
ନିକଟରେ ଉତ୍ତରପ୍ରଦେଶର ଯୋଗୀ ସରକାର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଗତ କରିଛନ୍ତି। ଏହି ବିଲ୍ ଅନୁଯାୟୀ ଦୁଇଟିରୁ ଅଧିକ ସନ୍ତାନ ଥିବା ଲୋକମାନେ ରାଜ୍ୟରେ ସରକାରୀ ଚାକିରି ପାଇପାରିବେ ନାହିଁ। ବିଲ୍ ର ମୁଖ୍ୟ ବ୍ୟବସ୍ଥା ହେଉଛି: ଗର୍ଭନିରୋଧକ ଉପର ଗୁଡ଼ିକର ସୁଗମ୍ୟତା ବୃଦ୍ଧି, ସୁରକ୍ଷିତ ଗର୍ଭପାଟ ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା ଯୋଗାଇବା, ଶିଶୁ ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବା, ଏବଂ ୧୧ ରୁ ୧୯ ବର୍ଷ ବୟସର କିଶୋରମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକରତାକୁ ଭଲ ଭାବରେ ପରିଚାଳନା କରିବା।
ଏହି ବିଲ୍ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ଏହା ମଧ୍ୟରେ ଜାତୀୟ ସୁରକ୍ଷା ପରାମଶଦାତା ଅଜିତ ଡୋଭାଲଙ୍କ ଏକ ଟୁଇଟର ସ୍କ୍ରିନଶଟ୍ ଭାଇରାଲ ହେବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଅଜିତ ଡୋଭାଲ ଉତ୍ତରପ୍ରଦେଶର ଜନସଂଖ୍ୟା ବିଲ୍ କୁ ସମର୍ଥନ କରୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଏହି ପୋଷ୍ଟକୁ ମ୍ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏଇ ପୋଷ୍ଟର?
୧୧ ଜୁଲାଇରେ ଜଣେ ଫେସବୁକ ବ୍ୟବହାରକାରୀ ଅଜିତ ଡୋଭାଲଙ୍କ ଟୁଇଟର ଗୋଟିଏ ସ୍କ୍ରିନଶଟ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖା ଯାଇଅଛି ଯେ “ମୁ ଜନସଂଖ୍ୟା ଆଇନର ସମର୍ଥନ କରୁଛି। ଆପଣ ମାନେ ମଧ୍ୟ ଏହାର ସମର୍ଥନ କରନ୍ତୁ ଏବଂ ହିନ୍ଦୁସ୍ତାନକୁ ପାକିସ୍ତାନ ପରିଣତ ହେବାକୁ ଦିଅନ୍ତୁ ନାହିଁ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ ଯେ କ’ଣ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜନସଂଖ୍ୟା ନିୟନ୍ତ୍ରଣ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି କି? ସର୍ଚ କରିଲା ପରେ ଫଳାଫଳରେ ଆମକୁ କୌଣସି ତଥ୍ୟ ମିଳିଲା ନାହିଁ। ଅଜିତ ଡୋଭାଲ ପରି ପ୍ରସିଦ୍ଧ ବ୍ୟକ୍ତିଙ୍କ ଦ୍ଵାରା ଏପରି ମନ୍ତବ୍ୟ ଦେଇଥିବା ଘଟନା ନିଶ୍ଚିତ ଭାବରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥାନ୍ତା। କିନ୍ତୁ କୌଣସି ମଧ୍ୟ ତଥ୍ୟ ନପାଇବାରୁ ଆମକୁ ଭାଇରାଲ ଟୁଇଟ ଉପରେ ସନ୍ଦେହ ହେଲା।
ଏହା ପରେ ଆମେ ଟୁଇଟରରେ ଯାଇ ପୋଷ୍ଟ ହେଇଥିବା ଟୁଇଟର ଏକାଉଣ୍ଟ ଖୋଜିଲୁ। ଫଳାଫଳରେ ଆମକୁ ଜାଣିବା କୁ ମିଳିଲା ଯେ ଏହା ଅଜିତ ଡୋଭାଲଙ୍କ ଅସଲି ଟୁଇଟର ଏକାଉଣ୍ଟ ନୁହେଁ। ଏହି ଟୁଇଟର ଏକାଉଣ୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରା ଯାଇଅଛି ଯେ ଏହା ତାଙ୍କ ପ୍ରଶଂଶକଙ୍କ ଏକାଉଣ୍ଟ ଅଟେ। ଏହି ଟୁଇଟର ଏକାଉଣ୍ଟରେ ଭେରୀଫାଏଡ ନୀଳ ରଙ୍ଗ ଚିହ୍ନ ମଧ୍ୟ ନିଖୋଜ ଅଛି ଏବଂ ଏହା ଏକ ନୂତନ ଏକାଉଣ୍ଟ ଯେଉଁଟା ଚଳିତ ବର୍ଷ ଏପ୍ରିଲ ମାସରେ ସୃଷ୍ଟି କରା ଯାଇଅଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଟୁଇଟର ସ୍କ୍ରିନଶଟ୍ ଅଜିତ ଡୋଭାଲଙ୍କ ଅସଲି ଟୁଇଟର ଏକାଉଣ୍ଟ ନୁହେଁ। ଏହି ଟୁଇଟର ଏକାଉଣ୍ଟ ତାଙ୍କ ପ୍ରଶଂଶକଙ୍କ ଅଟେ। ତେଣୁ, ଭାଇରାଲ ହେଉଥିବା ଦାବିରେ କୌଣସି ସତ୍ୟତା ନାହିଁ।

Title:କ’ଣ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜନସଂଖ୍ୟା ଆଇନର ସମର୍ଥନରେ ଟୁଇଟ କରିଛନ୍ତି?
Fact Check By: Siddharth SahuResult: False
