
କିଛି ଦିନ ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ଜଣେ ଯୁବକଙ୍କୁ ଟ୍ରେନ୍ ଭିତରୁ ଘୋଷାଡ଼ି ବାହାରକୁ ଆନୁଛନ୍ତି ଏବଂ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଭିଡିଓରେ କିଛି ସମୟ ପରେ କିଛି ଲୋକେ ଜଣେ ମହିଳାଙ୍କୁ ମଧ୍ୟ ଟ୍ରେନ୍ ରୁ ବାହାରକୁ ଆଣିଛନ୍ତି ଏବଂ ସେହି ଦୁଇ ଜଣଙ୍କୁ ପୋଲିସ ଥାନା ନେଇଛନ୍ତି। ଭିଡିଓ ଶେଷରେ ଯୁବକଙ୍କ ଉପରେ ଆକ୍ରମ କରିଥିବା ବ୍ୟକ୍ତି କହୁଛନ୍ତି ଯେ “ଆଜି ବଜରଙ୍ଗ ଦଳକୁ ସୂଚନା ମିଳିଥିଲା ଯେ ଜଣେ ହିନ୍ଦୁ ଯୁବତୀଙ୍କୁ ଜଣେ ମୁସଲିମ ପିଲା ଅଜମର ନେଇ ଯାଉଥିଲା। ସୂଚନା ମିଳିଲା ପରେ ବଜରଙ୍ଗ ଦଳ ରେଳବାଇ ଷ୍ଟେସନ୍ ପହଞ୍ଚି ଟ୍ରେନ୍ ରୁ ସେହି ଯୁବକ ଏବଂ ଯୁବତୀଙ୍କୁ ନେଇ ଜିଆରପି ଥାନା ନେଇ କାର୍ଯ୍ୟାନୁଷ୍ଠାନ କରିବା ପାଇଁ କହିଲା। ଯୁବକଟି ବିବାହିତ ଏବଂ ଏକ ସନ୍ତାନର ପିତା ମଧ୍ୟ ଅଟେ।”
ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ବଜରଙ୍ଗ ଦଳର ଭାଇ ମାନଙ୍କର ଉଚିତ ସମୟରେ ମଜବୁତ ପଦକ୍ଷେପ ଯୋଗୁ ଜିହାଡି କବଳରୁ ହିନ୍ଦୁ ବାଳିକା ସୁରକ୍ଷିତ ଭାବେ ଉଦ୍ଧାର ପାଇଲା।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଘଟଣା କେଉଁ ସ୍ଥାନରେ ଘଟିଥିଲା। ଭିଡିଓକୁ ଗଭୀରତା ସହିତ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଯେଉଁ ଥାନାକୁ ବଜରଙ୍ଗ ଦଳ ଯୁବକ ଏବଂ ଯୁବତୀଙ୍କୁ ନେଇଥିଲେ ସେ ଥାନା ଉଜ୍ଜୈନର ଜିଆରପି ଥାନା ଅଟେ।

ଏହି ଘଟଣା ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଁ ଆମେ ଉଜ୍ଜୈନ ଜିଆରପି ଥାନା ଫୋନ୍ କରି ସେଠିକାର ଅଧିକାରୀଙ୍କ ସହିତ ଯୋଗାଯୋଗ କରିଲୁ। ଥାନା ଅଧିକାରୀ ଆମକୁ ଘଟଣାର ବିବରଣୀ ଦେଇ କହିଲେ, “ଭିଡିଓରେ ଯେଉଁ ଲୋକ ମାନେ ଯୁବକ ଏବଂ ଯୁବତୀଙ୍କୁ ଥାନା ନେଇ ଆସିଥିଲେ ସେମାନେ ବଜରଙ୍ଗ ଦଳ ଲୋକେ ଥିଲେ। ସେମାନେ ଯୁବକ ଉପରେ ଅଭିଯୋଗ ଲଗାଇ ଥିଲେ ଯେ ସେ ଲଭ୍ ଜିହାଦ ଅନ୍ତର୍ଗତ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫେସେଇ ଅଜମର ନେଉଥିଲେ। ମାମଲା ଗମ୍ଭୀର ହେଉଥିବା ଦେଖି ଯୁବତୀଙ୍କ ପରିବାର ଲୋକଙ୍କୁ ଥାନା ଡାକରା ହେଲା। ଯୁବତୀ ଏବଂ ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଯୁବକ ଏବଂ ଯୁବତୀ ସହିତ ପାରିବାରିକ ବନ୍ଧୁତା ଅଛି ଏବଂ ସେମାନେ ପରସ୍ପରକୁ ଅନନେକ ବର୍ଷରୁ ଚିହ୍ନିଛନ୍ତି। ଏହି ଦୁହେଁଙ୍କ ମଧ୍ୟର ପ୍ରେମ ସମ୍ବନ୍ଧ ନାହିଁ ଏବଂ ଏହି ମାମଲା ଲଭ୍ ଜିହାଦର ନୁହେଁ। ଘଟଣାଟି ଗମ୍ଭୀର ନହେବା ପାଇଁ ଯୁବତୀ ଏବଂ ତାଙ୍କ ପରିବାର ଲୋକେ କୌଣସି କାର୍ଯ୍ୟାନୁଷ୍ଠାନ ନକରି ଥାନାରୁ ବିଦା ନେଇଥିଲେ।”
ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସମାନ ଘଟଣା ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୯ ଜାନୁଆରୀ ରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାର ୱେବସାଇଟରେ ଏହି ଘଟଣା ନେଇ ଏକ ସଂବାଦ ପ୍ରକାଶିତ ହେଇଥିବା ମିଳିଲା। ସମ୍ବାଦ ଅନୁଯାୟୀ ଜିଆରପିର ଏସପି ନିବେଦିତା ଗୁପ୍ତା କହିଛନ୍ତି ଯେ ଯୁବକ ଏବଂ ଯୁବତୀ ପାରିବାରିକ ବନ୍ଧୁ ଅଟନ୍ତି ଏବଂ ପରସ୍ପରକୁ ଅନେକ ବର୍ଷରୁ ଚିହ୍ନିଛନ୍ତି। ପଚରାଉଚରା କରିଲା ପରେ ପୋଲିସକୁ ଜଣା ପଡିଲା ଯେ ଉଭୟ ବୟସ୍କ ଥିଲେ ଏବଂ ତାଙ୍କର କୌଣସି ଅପରାଧ ନଥିଲା। ତାଙ୍କ ପିତା ମାତାଙ୍କ ସାକ୍ଷ୍ୟ ରେକର୍ଡ କରିଲା ପରେ ତାଙ୍କୁ ଥାନାରୁ ବିଦାୟ ଦିଆ ଯାଇଥିଲା। ଏସପି କହିଛନ୍ତି ଯେ, “ପଚରାଉଚରା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଯୁବକ ଏବଂ ଯୁବତୀ କିଛି କହି ନାହାଁନ୍ତି, ତେଣୁ କୌଣସି ମାମଲା ପଞ୍ଜୀକୃତ କରା ଯାଇ ନାହିଁ। ଭୁଲ ସୂଚନା ମିଳିଥିବା କାରଣ ହେତୁ ଏହି ଘଟଣା ଘଟିଥିଲା।”

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଉପରୋକ୍ତ ଘଟଣାଟି ଲଭ୍ ଜିହାଦ ମାମଲା ହେଇଥିବା ଦାବି ମିଥ୍ୟା ଅଟେ। ପୋଲିସ କହିବା ଅନୁଯାୟୀ ବ୍ଭୁଳ ସୂଚନା ମିଳିଥିବା ହେତୁ ଏହି ଘଟଣାଟି ଘଟିଥିଲା।

Title:କ’ଣ ବଜରଙ୍ଗ ଦଳ କାରଜ୍ୟକର୍ତ୍ତା ମାନେ ଭିଡିଓରେ ଥିବା ମହିଳାଙ୍କୁ ଲଭ୍ ଜିହାଦର ଶିକାର ହେବାରୁ ଉଦ୍ଧାର କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
