
ଗତ କିଛି ମାସ ହେବ ଶାହରୁଖ ଖାଁର ପଠାନ୍ ସିନେମା ବିବାଦରେ ରହି ଆସିଛି। ଫିଲ୍ମରେ ଦୀପିକାଙ୍କ ଭଗବା ରଙ୍ଗ ପୋଷାକକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଲୋକେ ଏହା ନେଇ ନିଜ କ୍ରୋଧ ପ୍ରକାଶ କରି #BoycottPathan ଟ୍ରେଣ୍ଡ କରୁଛନ୍ତି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଏକ ସିନେମା ହଲ୍ ରେ ପଠାନ୍ ଫିଲ୍ମର ପୋଷ୍ଟର ଲାଗିଥିବା ବେଳେ କିଛି ପୋଲିସକର୍ମୀ ସିନେମା ହଲ୍ କୁ ସୁରକ୍ଷା ଦେଉଛନ୍ତି। ଦାବି କରା ଯାଉଛି ଯେ ପୋଲିସ ପଠାନ୍ ଫିଲ୍ମକୁ ସୁରକ୍ଷା ଦେଉଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯ ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ଅସଲି ଫୋଟୋ ପଦମାବାତ ଫିଲ୍ମର ଅଟେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହା ଜାଣିବାକୁ ଚେଷ୍ଟା କରିଲୁ ଯେ ପଠାନ୍ ଫିଲ୍ମ କେବେ ରିଲିଜ୍ ହେଉଛି? ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିଲୁ ଯେ ଜୀବିଜ୍ ୱେବସାଇଟରେ ଏହା ବିଷୟରେ ସୂଚନା ଦିଆ ଯାଇଛି। ସୂଚନା ଅନୁଯାୟୀ, ପଠାନ୍ ଫିଲ୍ମ ସିନେମା ହଲ୍ ରେ ୨୫ ଜାନୁଆରୀ ରିଲିଜ୍ ହେବାକୁ ଅଛି ଯାହାର ଅଗ୍ରୀମ ବୁକିଂ ୨୦ ଜାନୁଆରୀରୁ ଆରମ୍ଭ ହେଇଛି। ଓଟିଟି ରେ ଏହି ଫିଲ୍ମ ୨୫ ଏପ୍ରିଲ୍ ରେ ରିଲିଜ୍ ହେବାକୁ ଯାଉଛି।
ତେବେ ଏହି ଫୋଟୋରେ ପୋଲିସକର୍ମୀ ପଠାନ୍ ଫିଲ୍ମକୁ ସୁରକ୍ଷା ଦେଉଥିବା ସନ୍ଦେହଜନକ ଜଣା ପଡୁଛି।
ଅଧିକ ଜାଣିବା ପାଇଁ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରି ଦେଖିଲୁ। ଫଳାଫଳରେ ଆମକୁ ୨୬ ଜାନୁଆରୀ ୨୦୧୮ ରେ ଦି ଇଣ୍ଡିଆନ ଏକ୍ସପ୍ରେସ୍ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଫୋଟୋ ଦିଲ୍ଲୀର ଡିଲାଇଟ୍ ସିନେମାର ଫୋଟୋ ଅଟେ। ପଦମାବାତ ଫିଲ୍ମ ନେଇ ଦେଶରେ ବିବାଦ ଏବଂ ହିଂସାର ପରିବେଶ ଦେଖିବା ପରେ ଦିଲ୍ଲୀ ପୋଲିସ ସିନେମା ଘର ସାମନାରେ ସୁରକ୍ଷା ଦେଇଥିଲେ।
୨୫ ଜାନୁଆରୀ ୨୦୧୮ ର ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ଏହି ଫୋଟୋରେ ସୁରକ୍ଷାକର୍ମୀ ମାନେ ଦିଲ୍ଲୀରେ ପଦମାବାତ ଫିଲ୍ମ ରିଲିଜ୍ ହେବା ପରେ ସିନେମା ଘର ବାହାରେ ସୁରକ୍ଷା ଦେଉଛନ୍ତି।
ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ଅସଲି ଫୋଟୋ ରେ ପୋଲିସକର୍ମୀ ମାନେ ପଦମାବାତ ସିନେମା ସମୟରେ ସୁରକ୍ଷା ପ୍ରଦାନ କରୁଥିଲେ।

Title:କ’ଣ ପଠାନ୍ ଫିଲ୍ମ ଦେଖାଉଥିବା ଏକ ସିନେମା ହଲ୍ କୁ ପୋଲିସ ସୁରକ୍ଷା ଦେଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Altered
