
ସୋସିଆଲ ମିଡିଆରେ ଏକ ମନ୍ଦିରର ଫୋଟୋ ଭାଇରାଲ ହେଉଛି। ଏହି ଭାଇରାଲ୍ ଫୋଟୋରେ, “୭୮୬” ଲେଖାଥିବା ସବୁଜ କପଡା ମୂର୍ତ୍ତି ଉପରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ଭାଇରାଲ ଫୋଟୋ ଛତିଶଗଡରେ ଅବସ୍ଥିତ ମା ଚଣ୍ଡୀ ଦେବୀଙ୍କ ମନ୍ଦିରର ଅଟେ।
ସୋସିଆଲ ମିଡିଆରେ ଲୋକମାନେ ଏହି ଫୋଟୋ ସେୟାର କରି ଦାବି କରୁଛନ୍ତି ଯେ ୱାକଫ ବୋର୍ଡ ଏହି ମା ଚାଣ୍ଡି ଦେବୀ ମନ୍ଦିରର ସମ୍ପତ୍ତିରେ ନିଜର ଅଂଶ ଦାବି କରିଛି। ଚଣ୍ଡୀ ମଦିରରେ ନିଜର ମାଲିକାନା ଦେଖାଇବା ପାଇଁ ୱାକଫ ବୋର୍ଡ ନିଜର ଧାର୍ମିକ ପତାକା ମଦିର ଭିତରେ ଉତ୍ତୋଳନ କରିଛି।
କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଦାବି କରା ଯାଇଛି ଯେ, “ଛତ୍ତିଶଗଡ ର ଗୋଟେ ହିନ୍ଦୁ ଚଣ୍ଡୀ ମନ୍ଦିର ରେ ଠାକୁରାଣୀ ଙ୍କ ଠିକ୍ ଉପରେ ଗୋଟେ ଇସଲାମର ପତାକା ଦେଖୁଥିବେ। ଏଇ ହିନ୍ଦୁ ମନ୍ଦିର ରେ ଇସଲାମିକ ପତାକା ଲଗେଇ ୱାକଫ ବୋର୍ଡ ଏଇ ମନ୍ଦିର କୁ ତା ସମ୍ପତ୍ତି ବୋଲି କହୁଚି। ସିଧା ଭାଷା ରେ କହିବାକୁ ଗଲେ ୱାକଫ ବୋର୍ଡ ଗୋଟେ ଏମିତି ସଂସ୍ଥା ଯାହାକି ଇସଲାମିକ ଧର୍ମୀୟ ପୀଠ ଗୁଡ଼ିକ ରୁ ଆୟ ହଉଥିବା ସମ୍ପତ୍ତି କୁ ରଖେ। ଆଉ ସେ ସମ୍ପତ୍ତି ବି ପରେ ଇସଲାମିକ କର୍ଯ୍ୟକ୍ରମ ଗୁଡ଼ିକ ରେ ଲାଗେ। ଏବେ ଏଇ ସଂସ୍ଥାର ନଜର ମସଜିଦ, ମଜାର ସହିତ ହିନ୍ଦୁ ମଠ, ମନ୍ଦିର ଉପରେ ମଧ୍ୟ ରହିଛି।”

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବଦ ବ୍ୟବହାର କରି ଏହି ବିଷୟ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୭ ଫେବ୍ରୁଆରି ୨୦୨୩ ର ଆମର ଉଜାଲା ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ମନ୍ଦିର ଏକତା ଏବଂ ଅଖଣ୍ଡତାର ଉଦାହରଣ ଅଟେ। ଏଠାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଏକାଠି ପୂଜା କରନ୍ତି। ଏହି ମନ୍ଦିରରୁ ମୁସଲମାନମାନଙ୍କର ଚାଦର ବାହାରିଥାଏ | ଏହି ମନ୍ଦିରର ଗୋଟିଏ ପାର୍ଶ୍ୱରେ ଚଣ୍ଡୀ ମାଁଙ୍କୁ ପୂଜା କରାଯାଏ ଏବଂ ଅନ୍ୟପକ୍ଷରେ ସୟଦ ବାବାଙ୍କ ପବିତ୍ର ୭୮୬ ର ସବୁଜ ପତାକା ମଧ୍ୟ ଉତ୍ତୋଳନ କରା ଯାଇଥାଏ | ଏଠାରେ ସମସ୍ତ ଧର୍ମ ଏକତ୍ର ପୂଜା କରନ୍ତି।

ପ୍ରକାଶିତ ଖବରରେ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ରାୟଙ୍କ ବିବୃତ୍ତି ରହିଛି। ଏହି ରିପୋର୍ଟରେ ରାଜେନ୍ଦ୍ର କୁମାର ରାୟ କହିଛନ୍ତି – ଏପର୍ଯ୍ୟନ୍ତ ଏଠାରେ ହିନ୍ଦୁ-ମୁସଲମାନ ବିବାଦର କୌଣସି ପରିସ୍ଥିତି ଉପୁଜିନାହିଁ। ସମସ୍ତେ ଏଠାରେ ଏକାଠି ପୂଜା କରନ୍ତି।
ଅଧିକ ଅନୁସନ୍ଧାନରେ ଆମେ ଇଟିଭି ଇଣ୍ଡିଆ ଦ୍ୱାରା ଏକ ରିପୋର୍ଟ ପାଇଲୁ ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ମନ୍ଦିର ୧୦୦ ବର୍ଷ ପୁରୁଣା ଅଟେ। ଉଭୟ ହିନ୍ଦୁ ଏବଂ ମୁସଲମାନ ମନ୍ଦିରରେ ପୂଜା କରନ୍ତି।
ଏଥିସହ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସ୍ଥାନୀୟ ଲୋକେ କହିଛନ୍ତି ଯେ ମନ୍ଦିରରେ ଚଣ୍ଡୀ ମାତାଙ୍କ ପ୍ରତିମା ସ୍ଥାନୀୟ ରାମସାଗର ପୋଖରୀରୁ ଉତ୍ପନ୍ନ ହୋଇଛି ଏବଂ ମୁସଲମାନ ସମ୍ପ୍ରଦାୟର ପବିତ୍ର ଚନ୍ଦ୍ର ମଧ୍ୟ ସେହି ପୋଖରୀରୁ ଉତ୍ପନ୍ନ ହୋଇଛି। ଏହା ପରେ ତତ୍କାଳୀନ ସ୍ଥାନୀୟ ରାଜା ଠାକୁର ନିହାଲ ସିଂ ମନ୍ଦିରରେ ମାତା ପ୍ରତିଷ୍ଠା ପରେ ସୟଦ ବାବା ସାହେବଙ୍କ ୭୮୬ ପବିତ୍ର ଚାଦର ସ୍ଥାପନ କରିଥିଲେ।
ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ଏହି ମନ୍ଦିର ହିନ୍ଦୁ-ମୁସଲମାନ ଏକତାର ଜୀବନ୍ତ ଉଦାହରଣ ଅଟେ। ଏଠାରେ ଉଭୟ ଧର୍ମର ଲୋକମାନେ ନିଜ ନିଜ ଧାର୍ମିକ ବିଶ୍ୱାସ ଅନୁଯାୟୀ ପାରସ୍ପରିକ ସମନ୍ୱୟ ସହିତ ପୂଜା କରନ୍ତି |
ସଂପୂର୍ଣ୍ଣ ଖବର ବିଷୟରେ ଜାଣିବା ପାଇଁ ଆମେ ଗୁଣ୍ଡେରହିର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ରାୟଙ୍କ ସହ ଯୋଗାଯୋଗ କରିଲ। ସେ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ଖବର ମିଥ୍ୟା ଅଟେ। ସେ କହିଛନ୍ତି ଯେ ତାଙ୍କ ପୂର୍ବପୁରୁଷମାନେ ଏହି ମନ୍ଦିର ନିର୍ମାଣ କରିଥିଲେ। ପୁରାତନ ବିଶ୍ୱାସ ଅନୁଯାୟୀ, ସ୍ଥାନୀୟ ରାମସାଗର ପୋଖରୀରେ ମୁସଲମାନ ସମ୍ପ୍ରଦାୟର ପବିତ୍ର ଚନ୍ଦ୍ର ମିଳିଥିଲା ଏବଂ ତାଙ୍କର ଶେଷ ଦାଦା ନିହାଲ ସିଂ ସେହି ଚନ୍ଦ୍ରକୁ ଏକ ବାକ୍ସରେ ରଖିଥିଲେ। ଏହା ପରେ ଚନ୍ଦ୍ରକୁ ମନ୍ଦିରରେ ରଖାଯାଇ ସବୁଜ କପଡ଼ାରେ ଆବୃତ କରାଯାଇଥିଲା | ସେବେଠାରୁ ଉଭୟ ଧର୍ମର ଲୋକମାନେ ଏଠାରେ ପ୍ରାର୍ଥନା କରିଆସିଛନ୍ତି।
ଏଥି ସହ ସେ କହିଛନ୍ତି ଯେ ଏହି ଝଗଡା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଅନୁସନ୍ଧାନ କରାଯାଇଛି। ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି।
ANI ର ୟୁଟ୍ୟୁବ୍ ଚ୍ୟାନେଲରେ ଆମେ ଏକ ଭିଡିଓ ପ୍ରସାରିତ ହେଇଥିବା ପାଇଲୁ ଯେଉଁଥିରେ, ବିଧାୟକ ରାଜେନ୍ଦ୍ର କୁମାରଙ୍କ ବିବୃତ୍ତି ମନ୍ଦିର ଏବଂ ସ୍ଥାନୀୟ ଲୋକ ମନ୍ଦିର ବିଷୟରେ ସ୍ପଷ୍ଟୀକରଣ ଦେଉଥିବାର ନଜର ଆସିଛନ୍ତି। ଏଠାରେ ସମ୍ପୂର୍ଣ୍ଣ ରିପୋର୍ଟ ଦେଖନ୍ତୁ |
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଚଣ୍ଡି ମାତାଙ୍କ ମନ୍ଦିର ହିନ୍ଦୁ-ମୁସଲମାନ ଏକତାର ଏକ ଉଦାହରଣ ଅଟେ। ଏଠାରେ କୌଣସି ସାମ୍ପ୍ରଦାୟିକ ବିବାଦ ପରିସ୍ଥିତି ଘଟି ନାହିଁ।

Title:କ’ଣ ଛତ୍ତିଶଗଡର ଗୋଟିଏ ହିନ୍ଦୁ ଚଣ୍ଡୀ ମନ୍ଦିରରେ ୱାକ୍ଫ ବୋର୍ଡ ଇସଲାମିକ ପତାକା ଉତ୍ତୋଳନ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
