
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ପୋଲିସ ଅଧିକାରୀଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ଓଜନକୁ ନେଇ ଇଣ୍ଟର୍ନେଟରେ ତାଙ୍କ ପରିହାସ କରା ଯାଉଛି। ଦାବି ଅନୁଯାୟୀ ସେ ଓଡ଼ିଶା ପୋଲିସର ଜଣେ ଅଧିକାରୀ ଅଟନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଫୋଟୋରେ ଥିବା ପୋଲିସ ଅଧିକାରୀ ଓଡ଼ିଶାର ନୁହେଁ ବରଂ ମଧ୍ୟପ୍ରଦେଶ ପୋଲିସ ଅଟନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ପୋଲିସ ଅଧିକାରୀ ଓଡ଼ିଶା ପୋଲିସକର୍ମୀ ଅଟନ୍ତି। ଏହା ସହିତ ଫୋଟୋର ଲେଖା ହୋଇଛି, “ଓଡ଼ିଶା ପୋଲିସରେ ଉତ୍ତମ ଶାରୀରିକ ଗଠନ ଉପରେ ଗୁରୁତ୍ଵ। ଭୁବନେଶ୍ବର-କଟକ କମିଶନରଙ୍କ ଓଜନ ୧୧୦ କେଜି।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୩ ମାର୍ଚ୍ଚ ୨୦୧୭ ରେ ଏବିପି ନ୍ୟୁଜ୍ ୱେବସାଇଟ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଫୋଟୋରେ ଥିବା ପୋଲିସ ଅଧିକାରୀଙ୍କ ନାମ ହେଉଛି ଦୌଲତରାମ ଯୋଗାୱତ। ସେ ମଧ୍ୟପ୍ରଦେଶ ପୋଲିସର ଅଧିକାରୀ ଥିଲେ। ୨୦୧୭ ମସିହାରେ ତାଙ୍କ ଶରୀରର ଓଜନ ନେଇ ପ୍ରସିଦ୍ଧ ଲେଖକ ଶୋଭା ଦେ ପରିହାସ କରିଥିଲେ। ମୁମ୍ବଇ ମ୍ୟୁନସିପାଲ୍ ନିର୍ବାଚନ ସମୟରେ ଦୌଲତରାମ ସେଠାରେ ବନ୍ଦୋବସ୍ତ କାର୍ଯ୍ୟରେ ଯାଇଥିଲେ।

ଶୋଭା ଦେ ଦୌଲତରାମଙ୍କ ଫୋଟୋ ଏକ ଟୁଇଟ ମାଧ୍ୟମରେ ପୋଷ୍ଟ କରିଥିଲେ। ଏହା ପରେ ତାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ନିମ୍ନରେ ଆପଣ ମାନେ ତାଙ୍କ ଟୁଇଟ ଦେଖି ପାରିବେ।
ଶୋଭା ଦେଙ୍କ ଟୁଇଟ ପରେ ଦୌଲତରାମ କହିଥିଲେ ଯେ ଏହି ଟୁଇଟ ଦ୍ଵାରା ତାଙ୍କୁ ଆଘାତ ଲାଗିଥିଲା। ୧୯୯୩ ମସିହାରେ ତାଙ୍କ ଗଲ୍ ବ୍ଳାଡର ଅପରେସନ୍ ପରେ ହରମୋନ୍ ବ୍ୟାଧି ହେତୁ ତାଙ୍କ ଓଜନ ବଢି ଥିଲା।
୨୦୧୭ ମସିହାରେ ଏନଡ଼ିଟିଭିର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହୋଇଥିଲା। ରିପୋର୍ଟ ଅନୁଯାୟୀ ୫୮ ବର୍ଷୀୟ ଦୌଲତରାମ ଯୋଗାୱତଙ୍କୁ ତାଙ୍କ ଓଜନ ନେଇ ପ୍ରସିଦ୍ଧ ଲେଖକ ଶୋଭା ଦେ ପରିହାସ କରିଥିଲେ। କିନ୍ତୁ ସୋସିଆଲ ମିଡିଆରେ ଲୋକେ ତାଙ୍କ ପରିହାସ ନକରି ସାହାଣିଭୂତି ଜଣାଇ ଥିଲେ। ଏହି ଘଟଣା ପରେ ଦୌଲତରାମ ମୁମ୍ବଇର ଏକ ଚିକିତ୍ସାଳୟରେ ନିଜ ଓଜନ କମ୍ କରେଇବା ପାଇଁ ଦାଖଲ ହୋଇଥିଲେ। ଡାକ୍ତର ଦାବି କରିଥିଲେ ଯେ ସେ ଅପରେସନ୍ ଦ୍ଵାରା ତାଙ୍କ ଓଜନ ପ୍ରାୟ ୧୦୦ କେଜି କମ କରିବାରେ ସକ୍ଷମ ହେଇ ପାରିବେ। ତାଙ୍କ ଚିକିତ୍ସାର ଖର୍ଚ୍ଚ ମଧ୍ୟପ୍ରଦେଶ ସରକାର ଦ୍ଵାରା ପୂର୍ଣ୍ଣ କରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଥିବା ପୋଲିସ ଅଧିକାରୀଙ୍କ ଓଡିଶା ପୋଲିସ ହେଇଥିବା ଦାବି ମିଥ୍ୟା ଅଟେ। ମଧ୍ୟପ୍ରଦେଶର ଜଣେ ପୋଲିସ ଅଧିକାରୀଙ୍କ ପୁରୁଣା ଫୋଟୋକୁ ଓଡ଼ିଶା ପୋଲିସ ଦାବି ସହିତ ଭାଇରାଲ କରା ଯାଉଛି।

Title:ମଧ୍ୟପ୍ରଦେଶର ଜଣେ ପୋଲିସ ଅଧିକାରୀଙ୍କ ପୁରୁଣା ଫୋଟୋକୁ ଓଡ଼ିଶା ପୋଲିସ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
