
ୱ୍ହାଟ୍ସଅପ୍ ମାଧ୍ୟମରେ ଆମକୁ ଏକ ମେସେଜ୍ ର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଛି। ଏହି ଭାଇରାଲ ମେସେଜ୍ ରେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ବିଷୟରେ ଉଲ୍ଲେଖ ହୋଇଛି। ମେସେଜ୍ ରେ ଏହା ମଧ୍ୟ ଦାବି କରା ଯାଇଛି ଯେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ପାଇଁ ବର୍ତ୍ତମାନ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ଉପରେ ମଧ୍ୟ ରୋକ ଲଗେଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ଏହି ମେସେଜରେ?
ମେସେଜ୍ ର ମୁଖ୍ୟ ଦାବି ହେଉଛି: ଜାପାନ ସରକାର ଚଳିତ ବର୍ଷଶେଷ ପୂର୍ବରୁ ଦେଶର ସମସ୍ତ ମାଇକ୍ରୋୱେଭ ଓଭନ୍ ନଷ୍ଟ କରିବାର ନିଷ୍ପତ୍ତି ନେଇଛି। ଏହାର କାରଣ: ହିରୋଷିମା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଛନ୍ତି ଯେ ମାଇକ୍ରୋୱେଭରୁ ତରଙ୍ଗ ଗତ ୨୦ ବର୍ଷ ମଧ୍ୟରେ ହିରୋଷିମା ଏବଂ ନାଗାଷାକି ଉପରେ ଆମେରିକାର ପରମାଣୁ ବୋମା ଅପେକ୍ଷା ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତି ପହଞ୍ଚାଇଛି। ବିଶେଷଜ୍ଞ ମାନେ ଜାଣିବାକୁ ପାଇଛନ୍ତି ଯେ ମାଇକ୍ରୋୱେଭ ଚୁଲିରେ ଗରମ ହେଇଥିବା ଖାଦ୍ୟରେ ବହୁତ ଅସ୍ୱାସ୍ଥ୍ୟକର କମ୍ପନ ଏବଂ ବିକିରଣ ରହିଥାଏ। ଜାପାନର ସମସ୍ତ ମାଇକ୍ରୋୱେଭ କାରଖାନା ବନ୍ଦ ହେଉଛି। ଦକ୍ଷିଣ କୋରିଆ ଏବଂ ଚୀନ ମଧ୍ୟ ୨୦୨୧ ଏବଂ ୨୦୨୩ ତକ ସମସ୍ତ କାରଖାନା ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ମାଇକ୍ରୋୱେଭ ବିକିରଣ, ମାଇକ୍ରୋୱେଭ ବ୍ୟବହାର କରି ରାନ୍ଧିବା, ମାଇକ୍ରୋୱେଭ ସୁରକ୍ଷା ମାନକ ବିଷୟରେ ସୁରକ୍ଷା ଏକତ୍ର କରିଲୁ। ନିମ୍ନରେ ଆପଣ ଏହି ସବୁ ବିଷୟରେ ପଢି ପାରିବେ।
- ମାଇକ୍ରୋୱେଭ ବିକିରଣ କ’ଣ? ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା ୱେବସାଇଟରେ ମାଇକ୍ରୋୱେଭ ବିକିରଣ ବିଷୟରେ ବିବରଣୀ ଦିଆ ଯାଇଛି। ୱେବସାଇଟ ଅନୁଯାୟୀ ମାଇକ୍ରୋୱେଭ ବିଦ୍ୟୁତ-ଚୁମ୍ବକୀୟ ତରଙ୍ଗ ବ୍ୟବହାର କରେ ଯାହା ଖାଦ୍ୟରେ ପ୍ରବେଶ କରି ଅଣଗୁଡିକ କମ୍ପନ ଏବଂ ଉତ୍ତାପ ସୃଷ୍ଟି କରେ ଯାହା ଖାଦ୍ୟ ରାନ୍ଧିବା ସମ୍ଭବ ହେଇଥାଏ। ଏହି ବିକିରଣ ଖାଦ୍ୟକୁ ରେଡିଓଏକତିଭ କରେ ନାହିଁ। ମାଇକ୍ରୋୱେଭ ଚୁଲି ଏପରି ନିର୍ମାଣ କରା ଯାଇଥାଏ ଯେ ବିଦ୍ୟୁତ-ଚୁମ୍ବକୀୟ ବିକିରଣ ଚୁଲି ବାହାରକୁ ବାହାରେ ନାହିଁ।

- ମାଇକ୍ରୋୱେଭ ସୁରକ୍ଷା ମାନକ: ଆମେରିକା ଫୁଡ୍ ଏଣ୍ଡ୍ ଡ୍ରଗ୍ ୱେବସାଇଟ ଅନୁଯାୟୀ ବିଦ୍ୟୁତ ଉତ୍ପାଦିକ ଗୁଡିକ ପାଇଁ FDA କାର୍ଯ୍ୟଦକ୍ଷତା ମାନ ନିର୍ଧାରଣ କରେ ଏବଂ ନିଶ୍ଚିତ କରେ ଯେ ବିକିରଣ ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିବ ନାହିଁ। ଏକ ଫେଡେରାଲ ଷ୍ଟାଣ୍ଡାର୍ଡ ମାଇକ୍ରୋୱେଭ ପରିମାଣକୁ ସୀମିତ କରେ ଯାହା ଚୁଲିର ଜୀବନକାଳରେ ୫ ମିଲିୱାଟ ମାଇକ୍ରୋୱେଭ ବିକିରଣକୁ ଚୁଲି ପୃଷ୍ଠରୁ ପ୍ରାୟ ୨ ଇଞ୍ଚରେ ସୀମିତ କରିଥାଏ। ଏହି ସୀମା ଲୋକଙ୍କ କ୍ଷତି କରିବାକୁ ଜଣାଶୁଣା ସ୍ତରଠାରୁ ବହୁତ କମ୍ ଅଟେ। ସମସ୍ତ ଓଭନ୍ ରେ ଦୁଇଟି ଲକ୍ ପ୍ରକ୍ରିୟା ଥାଏ। କୌଣସି କାରଣରୁ ଏହା ଖୋଲା ରହି ଯାଇଥିବା ବେଳେ ମାଇକ୍ରୋୱେଭ ବିକିରଣ ଉତ୍ପାଦନ ହେବା ବନ୍ଦ ହୋଇ ଯାଇଥାଏ।

- କ’ଣ ମାଇକ୍ରୋୱେଭ ବିକିରଣରୁ ଆଘାତ ହେବା ସାଧାରଣ ଘଟଣା? ଆମେରିକା ଫୁଡ୍ ଏଣ୍ଡ୍ ଡ୍ରଗ୍ ୱେବସାଇଟ ଅନୁଯାୟୀ ମାଇକ୍ରୋୱେଭ ଚୁଲି ସହିତ ଜଡିତ ଅଧିକାଂଶ ଆଘାତ ଗରମ ପାତ୍ର, ଅତ୍ୟାଧିକ ଗରମ ଖାଦ୍ୟ କିମ୍ବା ତରଳ ପଦାର୍ଥରୁ ଉତ୍ତାପ ସମ୍ବନ୍ଧୀୟ ହୋଇଥାଏ। ଅସାଧାରଣ ପରିସ୍ଥିତି କିମ୍ବା ଅନୁପଯୁକ୍ତ ସେବା ହେତୁ ବିକିରଣ ଆଘାତ ହୋଇଥିବାର ବହୁତ କମ୍ ଘଟଣା ସାମନାକୁ ଆସିଛି।

ଉପରୋକ୍ତ ତଥ୍ୟ ଦ୍ଵାରା ପ୍ରମାଣିତ ହେଲା ଯେ ମାଇକ୍ରୋୱେଭ ବିକିରଣରୁ ଆଘାତ ହେବା ଏକ ଅସାଧାରଣ ଚିନ୍ତାଧାରା।
ତେବେ ଭାଇରାଲ ମେସେଜ୍ ଦାବି କେଉଁଠାରୁ ସୃଷ୍ଟି ହେଲା?
ଭାଇରାଲ ଦାବିର କେଉଁଠାରୁ ସୃଷ୍ଟି ହେଲା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ସମାନ ଦାବି ୩ ମାର୍ଚ ୨୦୧୯ ରେ ରୁଷର ଏକ ୱେବସାଇଟ ପାନୋରାମା ରେ ପ୍ରକାଶିତ ହେଇଥିବା ମିଳିଲା। ଅନୁଛେଦକୁ ଇଂରାଜୀ ଭାଷାରେ ଅନୁବାଦ କରି ପଢିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ମେସେଜ୍ ଏବଂ ଅନୁଛେଦ ମଧ୍ୟରେ କୌଣସି ଅନ୍ତର ନାହିଁ। ଆମେ ଏହି ପ୍ରକାଶନକୁ ପଡିଲା ପରେ ଏକ ସ୍ଥାନରେ “ଏହି ସାଇଟରେ ଥିବା ସମସ୍ତ ଅନୁଛେଦ ଗୁଡିକର ବାସ୍ତବିକତା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଅନୁଛେଦ ଗୁଡିକ ଏକ ବ୍ୟଙ୍ଗାତ୍ମକ ଖବର ଅଟେ” ବୋଲି ଲେଖା ହେଇଥିବା ପାଇଲୁ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହି ମେସେଜ୍ ଏକ ବ୍ୟଙ୍ଗ ୱେବସାଇଟର ପ୍ରକାଶନରୁ ନିଆ ଯାଇଛି। ଜାପାନ ମାଇକ୍ରୋୱେଭ ନଷ୍ଟ କରିବା ଏବଂ ଉତ୍ପାଦନ ରୋକିବା ଦାବି ମିଥ୍ୟା ଅଟେ।

Title:କ’ଣ ମାଇକ୍ରୋୱେଭର କ୍ଷତିକାରକ କାରଣ ପାଇଁ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ବନ୍ଦ କରିଛି?
Fact Check By: Siddharth SahuResult: False
