
ଗତ ମାସ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହୟାରିଶଙ୍କ ସହିତ ସାକ୍ଷାତ କରିଥିଲେ। ସେ ବାଇଡେନଙ୍କ ସହିତ କରୋନା, ଜଳବାୟୁ ପରିବର୍ତନ ପରି ଅନେକ ବିଷୟରେ ଚର୍ଚ୍ଚା କରିଥିଲେ।
ମୋଦୀଙ୍କ ଆମେରିକା ପରିଦର୍ଶନ ନେଇ ଅନେକ ଭିଡିଓ ଏବଂ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାଗମ ଦେଖିବାକୁ ମିଳିଛି। ଏହି ଭିଡିଓରେ ମୋଦୀଜି ଏକ ମଞ୍ଚରେ କିଛି ଲୋକଙ୍କ ସହିତ ହାଥ ମିଳାଉଥିବା ବେଳେ ସେଠାରେ ଉପସ୍ଥିତ ଲୋକ ମାନେ ‘ଭାରତ ମାତାକି ଜୟ’ ଏବଂ ‘ବନ୍ଦେ ମାତରମ’ ନାରା ଲଗାଉଥିବା ଶୁଣିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହା ସମ୍ପ୍ରତି ସମୟରେ ମୋଦୀଙ୍କର ଆମେରିକା ପରିଦର୍ଶନର ଭିଡିଓ ଅଟେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିଲୁ ଯେ ଭିଡିଓରେ ଲୋକେ ମାସ୍କ ବ୍ୟବହାର କରି ନାହାନ୍ତି। ଏହା ଦ୍ଵାରା ଆମକୁ ସନ୍ଦେହ ହେଲା ଯେ ଭାଇରାଲ ଭିଡିଓ ସମ୍ପ୍ରତି ସମୟର ନୁହେଁ।

ଏହା ପରେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ପିଏମଓ ଇଣ୍ଡିଆ ୟୁଟ୍ୟୁବ ଚ୍ୟାନାଲରେ ୨୨ ସେପ୍ଟେମ୍ବର ୨୦୧୯ ମସିହାରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା।
ଏହି ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ଭାଇରାଲ ଭିଡିଓ ସହିତ ସମାନ ଥିବା ଜଣା ପଡିଲା। ଦୁଇଟି ଭିଡିଓର ମଞ୍ଚର ଡିଜାଇନ୍ ସମାନ ଥିବା ସମୟରେ ଦୁଇଟି ଭିଡିଓରେ ମୋଦୀଜିଙ୍କ ପୋଷାକ ମଧ୍ୟ ସମାନ ଅଟେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ୨୦୧୯ ମସିହାର ହାଓଡି ମୋଦୀ କାର୍ଯ୍ୟକ୍ରମର ଭିଡିଓ ଅଟେ। ପୁରୁଣା ଭିଡିଓକୁ ସମ୍ପ୍ରତି ସମୟର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭାଇରାଲ ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗତ ମାସ ଆମେରିକା ପରିଦର୍ଶନର ଭିଡିଓ ଅଟେ?
Fact Check By: Siddharth SahuResult: False
