
ରାଜସ୍ଥାନର ଜାଲୋର ଜିଲ୍ଲାର ସାୟଲା ପୋଲିସ ଥାନା ଅଞ୍ଚଳରେ ଜଣେ ଦଳିତ ଛାତ୍ରର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଏହି ଖବର ସମ୍ବନ୍ଧୀୟ ବିଭିନ୍ନ ଦାବି ସହିତ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ମାଠିଆରୁ ପାଣି ପିଥିବାରୁ ଶିଶୁଟିକୁ ମାରି ତାହାର ହତ୍ୟା କରି ଦିଆ ଯାଇଛି।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ “ମାଠିଆରୁ ପାଣି ପିଇବା କାରଣରୁ ସ୍ଵବର୍ଣ୍ଣ ହେଡ ମାଷ୍ଟର ମାରିଦେଲା। ମନେରଖନ୍ତୁ ଜଣେ ଦଳିତ ଆଉ ସବର୍ଣ୍ଣ କଦାପି ଭାଇ ଭାଇ ନାହାନ୍ତି ଭୋଟ ବ୍ୟାଙ୍କ ଏବଂ ମୁସଲମାନ ମାନଙ୍କ ସହିତ ଦଙ୍ଗା କରିବା ପାଇଁ ତୁମ ଭାଇ ଅଛନ୍ତି।”

ଆମ ଅନୁସନ୍ଧାନ:
ଅନୁସନ୍ଧାନ ଆରମ୍ଭରେ ଆମେ ଜାଲୋର ଜିଲ୍ଲାର ଏସଏଚଓ ଧୃବ୍ ପ୍ରସାଦଙ୍କ ସହିତ ଯୋଗାଯୋଗ କରିଲୁ। ଯେତେବେଳେ ଆମେ ତାଙ୍କୁ ଭାଇରାଲ ଫୋଟୋ ଏବଂ ଭିଡିଓ ବୋଶୟରେ ପଚାରିଲୁ ସେ ଆମକୁ ସୂଚନା ଦେଲେ ଯେ “ଭିଡିଓରେ ଥିବା ଶିଶୁ ଇନ୍ଦ୍ର କୁମାର ମେଘୱାଲ ନୁହଁନ୍ତି। ଏହା ଅନ୍ୟ ଏକ ବିଦ୍ୟାଳୟରେ ଭିଡିଓ ହୋଇପାରେ କାରଣ ଭିଡିଓରେ ଥିବା ଶିଶୁ ଯେଉଁ ୟୁନିଫର୍ମ ପିନ୍ଧିଛି ତାହାଘଟଣା ଘଟିଥିବା ବିଦ୍ୟାଳୟର ୟୁନିଫର୍ମ ନୁହେଁ।“
ଏହା ପରେ ଆମେ ଘଟଣା ଘଟିଥିବା ବିଦ୍ୟାଳୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷକ ଅଶୋକ କୁମାର ଜିଙ୍ଗରଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସ୍ପଷ୍ଟ କରିଛନ୍ତି ଯେ ଏହି ଭିଡିଓ ତାଙ୍କ ବିଦ୍ୟାଳୟର ନୁହେଁ ଏବଂ ଭିଡିଓରେ ଥିବା ଶିଶୁ ମଧ୍ୟ ଈଦର କୁମାର ମେଘୱାଲ ନୁହେଁ।
ସେ ଆମ ସହିତ ତାଙ୍କ ବିଦ୍ୟାଳୟର ୟୁନିଫର୍ମ ସେୟାର କରିଲେ ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭିଡିଓ ଇନ୍ଦ୍ର କୁମାର ପଢୁଥିବା ବିଦ୍ୟାଳୟର ନୁହେଁ।

ଏହି ଖବରକୁ ନିଶ୍ଚିତ କରିବା ପାଇଁ ଆମେ ଇନ୍ଦ୍ର କୁମାରଙ୍କ ପିତାଦେବରାମ ମେଘୱାଲ ସୁରାଣାଙ୍କୁ ୱ୍ହାଟ୍ସ ଅପ୍ ମାଧ୍ୟମରେ ଭାଇରାଲ ଭିଡିଓ ପଠାଇଲୁ। ସେ ଆମକୁ ସ୍ପଷ୍ଟ କରିଛନ୍ତି ଯେ ଭିଡିଓରେ ଦେଖା ଯାଉଥିବା ବାଳକ ତାଙ୍କ ପୁଅ ଇନ୍ଦ୍ର କୁମାର ନୁହେଁ। ଏଥି ସହିତ ସେ ଅନୁରୋଧ କରିଛନ୍ତି ଯେ ତାଙ୍କ ପୁଅ ନାମରେ ମିଥ୍ୟା ଖବର ପ୍ରଚାର ନକରା ଯାଉ।
ସେ ଆମକୁ ତାଙ୍କ ପୁଅର ଫୋଟୋ ମଧ୍ୟ ପଠାଇଲେ। ଭାଇରାଲ ଭିଡିଓରେ ଶିଶୁ ଏବଂ ଇନ୍ଦ୍ର କୁମାରଙ୍କ ଫୋଟୋର ବିଶ୍ଳେଷଣ କରିଲା ପରେ ଆମେ ଜାଣିଲୁ ଯେ ଦୁଇଟି ଶିଶୁ ଅଲଗା ଅଟନ୍ତି।

ବାରମେରର ଜିୟୁପିଏସ ଗୋମରଖ ଧାମ ଫେସବୁକ ଏକାଉଣ୍ଟରେ ୩୦ ଜୁଲାଇରେ ଭାଇରାଲ ଭିଡିଓ ପୋଷ୍ଟ କରି କୁହା ଯାଇଛି ଯେ NO Bag Day ଅବସରରେ ଦ୍ଵିତୀୟ ଶ୍ରେଣୀ ଛାତ୍ର ହରିଶଙ୍କ ଦ୍ଵାରା ଏକ ଆତ୍ମବିଶ୍ଵାସ ପ୍ରଦର୍ଶନ।
ଚେଲା ରାମ ରାଇକା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଭିଡିଓରେ ନାହୁଥିବା ଶିଶୁର ନାମ ହରିଶ ଅଟେ ଏବଂ ସେ ରାଜସ୍ଥାନର ବାରମର ଗୋମାର୍କ ଧାମ ବିଦ୍ୟାଳୟ ଛାତ୍ର ଅଟନ୍ତି। ଚେଲା ରାମ ରାଇକାଙ୍କ ଫେସବୁକ ପ୍ରୋଫାଇଲ୍ ଅନୁଯାୟୀ ସେ ଏହି ବିଦ୍ୟାଳୟର ଜଣେ ଶିକ୍ଷକ ଅଟନ୍ତି।

ପୁରା ଘଟଣା କ’ଣ?
ଘଟଣାଟି ରାଜସ୍ଥାନର ଜାଲୋର ଜିଲ୍ଲାର ସାୟଲା ପୋଲିସ ଥାନା ଅଞ୍ଚଳର ସୁରାଣା ଗ୍ରାମରେ ଘଟିଛି। ସୁରାଣା ଗ୍ରାମରେ ଥ୍ବା ଏକ ଘରୋଇ ବିଦ୍ୟାଳୟ ସରସ୍ଵତୀ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀରେ ପଢୁଥିବା ଇନ୍ଦ୍ର ମେଘୱାଲଙ୍କୁ ତାଙ୍କ ଶିକ୍ଷକଙ୍କ ଦ୍ଵାରା ଦିଆ ଯାଇଥିବା ଯନ୍ତ୍ରଣାରୁ ମୃତ୍ୟୁ ହୋଇଥିଲା। ୯ ବର୍ଷୀୟ ଶିଶୁ ସହିତ ଏହି ଘଟଣା ୨୦ ଜୁଲାଇରେ ଘଟିଥିଲା। ଅହମଦାବାଦରେ ଚିକିତ୍ସିତ ହେଉଥିବା ଇନ୍ଦ୍ର ମେଘୱାଲଙ୍କ କିଛି ଦିନ ପରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଅଭିଯୋଗ ଲଗାଇଛନ୍ତି ଯେ ପାଣି ମାଠିଆରେ ହାତ ଲଗାଇବା କାରଣରୁ ଇନ୍ଦ୍ରଙ୍କ ଶିକ୍ଷକ ତାଙ୍କୁ ମାରିଥିଲେ ଯାହା ଫଳରେ ତାଙ୍କ କାନର ଶିରାଫାଟି ଯାଇଥିଲା।
ପୋଲିସ କହିଛି ଯେ ପରିବାରର ଅଭିଯୋଗ ଉପରେ ଶିକ୍ଷକଙ୍କ ବିରୁଦ୍ଧରେ ଏସସି ଏସଟି ଏକ୍ଟ୍ ଏବଂ ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଦେଖା ଯାଉଥିବା ଶିଶୁ ରାଜସ୍ଥାନର ବାଳକ ଇନ୍ଦ୍ର କୁମାର ମେଘୱାଲ ନୁହନ୍ତି। ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

Title:କ’ଣ ଭିଡିଓରେ ଥିବା ବାଳକ ରାଜସ୍ଥାନର ସେହି ଦଳିତ ଛାତ୍ର ଯିଏ ଶିକ୍ଷକଙ୍କ ମାଡ଼ କାରଣରୁ ନିଜ ପ୍ରାଣ ହରାଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
