
୧୯ ନଭେମ୍ବର ରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ କ୍ରିକେଟ୍ ବିଶ୍ଵ କପ୍ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଅହମଦାବାଦରେ ଖେଳା ଯାଇଥିଲା। ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ଵ କପ୍ ଟ୍ରଫି ବିଜେତା ହୋଇଥିଲା। ମ୍ୟାଚ୍ ଶେଷ ହେବା ପରେ ପୁରସ୍କାର ସମାରୋହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ଟ୍ରଫି ଧରିଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାଟ୍ କମିନ୍ସଙ୍କୁ ଦେଖି ମଞ୍ଚରୁ ଦୂରେଇ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।
ଭିଡିଓ ଆରମ୍ଭରେ ଏକ ପୁରୁଣା ଭିଡିଓରେ ଅଷ୍ଟ୍ରେଲିଆ ଦଳ ପୁରସ୍କାର ସମାରୋହରେ ଶରଦ ପୱାରଙ୍କୁ ଅପମାନ କରି ମଞ୍ଚ ଛାଡି ପଳାଇବା ପାଇଁ କହୁଥିବା ନଜର ଆସିଛି।
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ବିଜେତା ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ସହ ଅଭିନନ୍ଦନ ଏବଂ ଫଟୋ କ୍ଲିକ୍ ନକରି ପିଏମ ମୋଦୀ ମଞ୍ଚ ଛାଡି ପଳାଇଥିଲେ। ଏହାର ତୁଳନା ଶରଦ ପୱାରଙ୍କ ଅପମାନର ପ୍ରତିଶୋଧ ବୋଲି ଦାବି କରା ଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୂଳ ଭିଡିଓର ଏକ ଛୋଟ କ୍ଲିପ୍ ଭାଇରାଲ କରି ମିଥ୍ୟା ପ୍ରଚାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମେ ହଟଷ୍ଟାରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପୁରା ଫାଇନାଲ୍ ମ୍ୟାଚ୍ ର ରିପ୍ଲେ ପାଇଲୁ ଯେଉଁଥିରେ ପୁରସ୍କାର ସମାରୋହ ମଧ୍ୟ ଦେଖିବାକୁ ମିଳିଲା। ପ୍ରାୟ ୧୦.୧୪ ଘଣ୍ଟା ସମୟରେ, ଆମେ ରବି ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ଘୋଷଣା କରି ତାଙ୍କୁ ବିଜେତା ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ବିଶ୍ୱକପ୍ ଟ୍ରଫି ଉପସ୍ଥାପନ କରିବାକୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ। ଆମେ ପିଏମ ମୋଦୀଙ୍କୁ ପ୍ୟାଟ୍ କମିନ୍ସଙ୍କ ସହିତ ହାତ ମିଳାଇ ଅଭିନନ୍ଦନ ଜଣାଇ ଥିବା ଦେଖିବାକୁ ପାଇଲୁ।
Hotstar Link:
ପୁରସ୍କାର ସମାରୋହରେ ଏକ ୟୁଟ୍ୟୁବ୍ ବ୍ୟବହାରକାରୀଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଭିଡିଓକୁ ମଧ୍ୟ ଆମେ ପାଇଲୁ। ୬.୨୫ ମିନିଟର ଟାଇମଷ୍ଟ୍ୟାମ୍ପରେ ଏହି ଭିଡିଓରେ, ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଞ୍ଚ ଆଡକୁ ଯାଉଥିବାର ଦେଖିପାରିବା। ଏହା ପରେ ସେ ଅଷ୍ଟ୍ରେଲିଆର ଅଧିନାୟକଙ୍କୁ ଅଭିନନ୍ଦନ ଜଣାଇ ହାତ ମିଳାଇ ଟ୍ରଫି ପ୍ରଦାନ କରିଥିଲେ। ସେ ସମଗ୍ର ଅଷ୍ଟ୍ରେଲିଆ ଦଳକୁ ମଧ୍ୟ ଅଭିନନ୍ଦନ ଜଣାଇ ଥିଲେ।
ନିମ୍ନରେ ଆପଣ ମାନେ ଭାଇରାଲ କ୍ଳିପ୍ ଏବଂ ଅସଲି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଆମେ ମୋଦୀଙ୍କ ଏକ ଟୁଇଟ୍ ମଧ୍ୟ ପାଇଛୁ ଯେଉଁଥିରେ ସେ ଅଷ୍ଟ୍ରେଲିଆ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, “ବିଶ୍ୱକପ୍ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଅଭିନନ୍ଦନ। ଟୁର୍ନାମେଣ୍ଟରେ ସେମାନଙ୍କର ଏକ ପ୍ରଶଂସନୀୟ ପ୍ରଦର୍ଶନ ଥିଲା, ଯାହା ଏକ ଚମତ୍କାର ବିଜୟରେ ଶେଷ ହୋଇଛି। ଆଜି ତାଙ୍କର ଉଲ୍ଲେଖନୀୟ ଖେଳ ପାଇଁ ଟ୍ରାଭିସ୍ ହେଡଙ୍କୁ ଅଭିନନ୍ଦନ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓର ଏକ ଛୋଟ କ୍ଳିପ୍ ସେଯାର କରି ମିଥ୍ୟା ପ୍ରଚାର କରା ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆ ଦଳ ଅଧିନାଯକ ପ୍ୟାଟ୍ କମିନ୍ସଙ୍କୁ ଅଣଦେଖା କିମ୍ବା ଅପମାନ କରି ନାହାଁନ୍ତି। ସେ ସମସ୍ତ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇ ଛନ୍ତି।

Title:କ’ଣ ବିଶ୍ଵ କପ୍ ଫାଇନାଲ୍ ରେ ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ନ ଜଣାଇ ପୁରସ୍କାର ବିତରଣ ଉତ୍ସବ ଛାଡି ପଳାଇ ଥିଲେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False