
ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଇସଲାମ ଧର୍ମ ଗୁରୁଙ୍କୁ ଆଲିଙ୍ଗନ କରିଛନ୍ତି। ସେହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ମୁସ୍ଲିମ ସମୁଦାଯର ଅନେକ ଲୋକ ଉପସ୍ଥିତ ଅଛନ୍ତି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ମଧ୍ୟରେ ଯାଇ ଇଦ୍ ପାଳନ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହାର ଇଦ୍ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେଯାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଭକ୍ତମାନେ ମୁସଲିମ ମାର ଅଭିଯାନ ଚଳାଇଥିବା ବେଳେ ଚତୁର୍ଥ ପାସ ରାଜା ଇଦ ପାଳନ କରୁଛନ୍ତି, ନିଶ୍ଚିତ ରୂପେ ଏହା ଚମତ୍କାର ଦୃଶ୍ୟ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୪ ସେପ୍ଟେମ୍ବର ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଫିସିଆଲ ଟୁଇଟର ହେଣ୍ଡେଲରୁ ଏକ ଟୁଇଟ ମିଳିଲା ଯେଉଁଥିରେ ସମାନ ଫୋଟୋ ପୋଷ୍ଟ କରା ଯାଇଥିଲା। ଏହି ଟୁଇଟରେ ସେ କହିଛନ୍ତି, “ଡାଃ ସୟଦନା ମୁଫଦ୍ଦଲ ସାଇଫୁଦ୍ଦିନଙ୍କ ସହ ଭେଟିବା ସଦାବେଳେ ଏକ ସମ୍ମାନର ବ୍ୟୟ ରହିଛି। ସେ ଜଣେ ସନ୍ଥ ଏବଂ ବିଦ୍ଵାନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରଶଂସନୀୟ। ଅନେକ ସମ୍ପ୍ରଦାୟର ସେବା ପଦକ୍ଷେପରେ ସେ ଆଗରେ ଅଛନ୍ତି।”
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧୪ ସେପ୍ଟେମ୍ବର ୨୦୧୮ ରେ ଡ଼ିଏନଏ ୱେବସାଇଟରେ ସମାନ ଅବସର ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଇନ୍ଦୋରର ସାଇଫି ମସଜିଦରେ ଦାଉଦୀ ବୋହରା ସଂପ୍ରଦାୟ ଲୋକଙ୍କୁ ସମ୍ବୋଧିତ କରିଥିଲେ। ସେଠାରେ ସେ ବାଣିଜ୍ୟରେ ଦାଉଦୀ ବୋହରା ସଂପ୍ରଦାୟ ଲୋକଙ୍କ ସଚ୍ଚୋଟତାର ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ‘ଭାସୁଦେବ କୁଟୁମ୍ବକମ୍’ ର ସଂକଳ୍ପ, ବିଶ୍ୱ ଏକ ପରିବାର, ଭାରତକୁ ଅନ୍ୟ ଦେଶଠାରୁ ଭିନ୍ନ ପରିଚୟ ଦେଇଥାଏ।
ସମ୍ପ୍ରଦାୟର ଆଧ୍ୟାତ୍ମିକ ମୁଖ୍ୟ ସୟଦନା ମୁଫଦ୍ଦଲ ସାଇଫୁଦ୍ଦିନ, ମହମ୍ମଦଙ୍କ ନାତି ଇମାମ ହୁସେନ୍ଙ୍କ ଶହୀଦକୁ ସ୍ମରଣ କରୁଥିବା ‘ଅଶାରା ମୁବାରକା’ କାର୍ଯ୍ୟକ୍ରମ ପାଇଁ ମସଜିଦରେ ପହଞ୍ଚିବା ପରେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏବଂ ସାଂସଦ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଦାଉଦି ବୋହରା ଆଧ୍ୟାତ୍ମିକ ନେତାଙ୍କୁ ଭେଟିଥିଲେ।

ଏହି ଅବସରର ଏକ ଭିଡିଓ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ୟୁଟ୍ୟୁବ ଚ୍ୟାନାଲରେ ୧୪ ସେପ୍ଟେମ୍ବରରେ ଅପ୍ଲୋଡ ହେଇଥିବା ପାଇଲୁ। ଏହି ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାଉଦୀ ବୋହରା ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଅଶାରା ମୁବାରକାରେ ଯୋଗ ଦେଇଥିଲେ।
ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।
ଉପରୋକ୍ତ ତଥ୍ୟ ଦ୍ଵାରା ପ୍ରମାଣିତ ହେଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦାଉଦୀ ବୋହରା ସମ୍ପ୍ରଦାୟ ଲୋକଙ୍କ ସହ ଏକ ସାକ୍ଷାତକୁ ମିଥ୍ୟା ଦାବି ସହିତ ପ୍ରଚାର କରା ଯାଉଛି।
ତେବେ କ’ଣ ପ୍ରଧାନମନ୍ତ୍ରୀ କେବଳ ଥରେ ଦାଉଦୀ ବୋହରା ସମ୍ପ୍ରଦାୟ ସହିତ ସାକ୍ଷାତ କରିଥିଲେ?
ଆମେ ଜାଣିବାକୁ ପାଇଲୁ ଯେ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ହ୍ୟୁଷ୍ଟନ୍ ରେ ଦାଉଦୀ ବୋହରା ସମ୍ପ୍ରଦାୟ ଲୋକଙ୍କ ସହ ଭେଟିଥିଲେ।
ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୁମ୍ବାଇର ମାରୋଲରେ ଅଲଜାମିଆ-ତୁସ-ସାଇଫିୟା (ଦି ସାଇଫି ଏକାଡେମୀ) ର ନୂତନ କ୍ୟାମ୍ପସକୁ ଉଦଘାଟନ କରିଥିଲେ। ଅଲଜାମିଆ-ତୁସ୍-ସାଇଫିୟା ହେଉଛି ଦାଉଦୀ ବୋହରା ସମ୍ପ୍ରଦାୟର ମୁଖ୍ୟ ଶିକ୍ଷାନୁଷ୍ଠାନ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦାଉଦୀ ବୋହରା ସମ୍ପ୍ରଦାୟ ଲୋକଙ୍କ ସହ ଏକ ସାକ୍ଷାତକୁ ମିଥ୍ୟା ଦାବି ସହିତ ପ୍ରଚାର କରା ଯାଉଛି। ଏହି ଫୋଟୋ ୨୦୧୮ ମସିହାରେ ଇନ୍ଦୋରର ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମହମ୍ମଦଙ୍କ ନାତି ଇମାମ ହୁସେନ୍ଙ୍କ ଶହୀଦକୁ ସ୍ମରଣ କରୁଥିବା ‘ଅଶାରା ମୁବାରକା’ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ।

Title:କ’ଣ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ସହିତ ଇଦ୍ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
