
ଗତ କିଛି ସପ୍ତାହ ହେବ ପ୍ରବଳ ବର୍ଷା ହେତୁ ବେଙ୍ଗାଲୁରୁ ସହରରେ ବନ୍ୟା ପରିସ୍ଥିତି ହୋଇ ସହର ପାଣିରେ ବୁଡି ରହିଛି। ଏହା ଦ୍ଵାରା ଜନସାଧାରଣ ଲୋକଙ୍କୁ ସମସ୍ଯାର ସାମନା କରିବାକୁ ପଡୁଛି। ସହରରେ ପରିବହନ ସହିତ ଅନେକ ସାମାନ୍ୟ ସୁବିଧାରେ ମଧ୍ୟ ଅମସ୍ୟା ଉତପନ ହୋଇଛି।
ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ପଣି ଜମି ରହିଥିବା ସମୟରେ ଗୋଟିଏ ବୁଲ୍ଦୋଜର ପାଣି ହଟାଇବାର ଚେଷ୍ଟା କରୁଛି। ଦାବି ଅନୁଯାୟୀ ଏହି ଭିଡିଓ ବେଙ୍ଗାଲୁରୁ ସହରର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଇରାକ ଦେଶର ଏକ ପୁରୁଣା ଭିଡିଓକୁ ସମ୍ପ୍ରତ୍ତି ସମୟରେ ବେଙ୍ଗାଲୁରୁର ବନ୍ୟା ପରିସ୍ଥିତି ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, ବନ୍ୟା ପରିସ୍ଥିତି ମଧ୍ୟରେ ବେଙ୍ଗାଲୁରୁ ସହରରେ ଗୋଟିଏ ବୁଲ୍ଦୋଜର ରାସ୍ତାରୁ ପାଣି ହଟାଉଚି। ଏହି ପରି ସହର ସୁଖେଇବାର ଯୋଜନା କରା ଯାଇଛି କହି ଲୋକେ ପରିହାସ କରୁଛନ୍ତି।
ସମାନ ଭିଡିଓ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଉଥିବା ଦେଖି ପାରିବେ।
ଅନୁସନ୍ଧାନ ସମୟରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ଗତ କିଛି ବର୍ଷ ଧରି ବିଭିନ୍ନ ସ୍ଥାନର ଘଟନା ଦାବି ସହିତ ଭାଇରାଲ ହେଉଛି। ସମୟ-ସମୟରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହି ଘଟଣା ପାକିସ୍ତାନ, ଇରାନ, ବରୋଦା ଇତିୟାଦୀ ସ୍ଥାନର ଦୃଶ୍ୟ ଦାବି ସହିତ ସେଯାର କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଦେଖା ଯାଉଥିବା କିଛି ଦୋକାନର ନାମ ଆରବୀ ଭାଷାରେ ଲେଖା ଯାଇଛି। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ।


ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ଅବଦୁଲ ମୁଜାହେଦ ନାମକ ଜଣେ ଟୁଇଟର ବ୍ୟବହାରକାରୀଙ୍କ ଦ୍ଵାରା ୨୮ ନଭେମ୍ବର ୨୦୧୮ ରେ ଟୁଇଟ କରା ଯାଇଥିବା ମିଳିଲା। ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ଏହି ଭିଡିଓ ଇରାକ୍ ଦେଶର ବଗଦାଦ ସହରର ଅଟେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ଆରବିକ୍ ରୁଡାବ ନାମକ ଫେସବୁକ ଏକାଉଣ୍ଟରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। 27 ନଭେମ୍ବର 2018 ରେ ଏହି ଭିଡିଓ ପୋଷ୍ଟ କରି କୁହା ଯାଇଛି ଯେ ବଗଦାଦର ରାସ୍ତାରେ ଜମିଥିବା ବର୍ଷା ପାଣି ହଟାଇବାର ପ୍ରକ୍ରିୟା।
୨୩ ନଭେମ୍ବର ୨୦୧୮ ରେ ଅଲ୍ ଯଜିରା ରିପୋର୍ଟ ଅନୁଯାୟୀ, ଇରାକରେ ବର୍ଷା ହେତୁ ଉତପନ ହୋଇଥିବା ବନ୍ୟାରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ହଜାର ସଂଖ୍ୟାରେ ଲୋକ ମାନଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିଥିଲା। ବଗଦାଦ ନିକଟରେ ଥିବା ମୋସୁଲ୍ ସହରର ମେୟର କହିଥିଲେ ଯେ ବନ୍ୟା ହେତୁ ଘର ଏବଂ ଚାଷ ଜମି ନଷ୍ଟ ହୋଇଥିଲା ଏବଂ ପ୍ରାୟ ୩୦୦୦ ଲୋକେ ନିଜ ଘର ହରାଇ ଥିଲେ। ବନ୍ୟା କାରଣରୁ ଲୋକଙ୍କୁ ଛୋଟ ଡଙ୍ଗାରେ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ପ୍ରବନ୍ଧ କରା ଯାଇଥିଲା।
୨୬ ନଭେମ୍ବର ୨୦୧୮ ରେ ସିଜିଟିଏନ ନାମକ ୟୁଟ୍ୟୁବ ଚ୍ୟାନାଲରେ କୁହା ଯାଇଛି ଯେ ବର୍ଷା ହେତୁ ଉତ୍ପନ ହୋଇଥିବା ବନ୍ୟାରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୦ ଲୋକ ଆଘାତ ହୋଇଥିଲେ। ଅସ୍ୱାଭାବିକ ପ୍ରବଳ ବର୍ଷା ଯୋଗୁଁ ଇରାକ ଏବଂ ଏହାର ପଡ଼ୋଶୀ ଦେଶ ମାନେ ପ୍ରଭାବିତ ହୋଇଥିଲେ। ରାଜଧାନୀ ବଗଦାଦର ୨୮୦ କିଲୋମିଟର ଉତ୍ତରରେ ଥିବା ଗ୍ରାମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା। ଜାତିସଂଘର ଇରାକ କାର୍ଯ୍ୟାଳୟ କହିଥିଲା ଯେ ହଜାର ହଜାର ଲୋକଙ୍କୁ ଘରୁ ବାହାର କରି ସୁରକ୍ଷିତ ସ୍ଥାନରେ ରଖା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହି ଭିଡିଓ ବେଙ୍ଗାଲୁରୁର ଘଟଣା ନୁହେଁ। ଇରାକ ଦେଶର ଏକ ପୁରୁଣା ଭିଡିଓକୁ ସମ୍ପ୍ରତ୍ତି ସମୟରେ ବେଙ୍ଗାଲୁରୁର ବନ୍ୟା ପରିସ୍ଥିତି ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି।

Title:କ’ଣ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ମଧ୍ୟରେ ଗୋଟିଏ ବୁଲ୍ଦୋଜର ରାସ୍ତାରୁ ପାଣି ହଟାଉଚି? ଜାଣନ୍ତୁ ସତ୍ୟ?
Fact Check By: Siddharth SahuResult: False