
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାସ୍ତା ମାଝିରେ ଗୋଟିଏ ଖାଲରେ ଏକ ସ୍କୁଟି ଧସି ଯାଇଅଛି। ଦାବି ଅନୁଯାୟୀ ଏହି ଘଟଣା ହରିୟାଣା ରାଜ୍ୟର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣା ହରିୟାଣାର ନୁହେଁ ବରଂ ରାଜସ୍ଥାନର ଯୋଧପୁର ସହରର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ ଦାବି କରୁଛନ୍ତି ଯେ ରାସ୍ତା ମାଝିରେ ଏକ ଖାଲରେ ଧସି ଥିବା ସ୍କୁଟିର ଘଟଣା ହରିୟାଣା ରାଜ୍ୟର ଅଟେ। ପୋଷ୍ଟରେ କୁହା ଯାଇଛି ଯେ “ହରିୟାଣା ସରକାରଙ୍କ ନୂତନ ପଦକ୍ଷେପ, ବର୍ତ୍ତମାନ ତୁମେ ତୁମର ଗାଡିକୁ କେବଳ ଭୂମିରେ ତିଆରି ଗର୍ତ୍ତରେ ପାର୍କ କରିପାରିବ। Le – ହରିୟଣା ମଡେଲ”

ଆମ ନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଟାଇମ୍ସ ନାଓ ହିନ୍ଦୀ ପତ୍ରିକା ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୨୪ ସେପ୍ଟେମ୍ବର ୨୦୨୨ ର ଏହି ରିପୋର୍ଟ ଅନୁଯାୟୀ ଘଟଣାଟି ରାଜସ୍ଥାନର ଯୋଧପୁର ସହରର ଅଟେ। ଘଟଣାଟି ଏହା ଯେ, ଜଣେ ବୟସ୍କ ବ୍ୟକ୍ତି ଯୋଧପୁରରେ ଅବସ୍ଥିତ ବୀର ଦୁର୍ଗାଦାସ ଓଭର ବ୍ରିଜ୍ ଆଡକୁ ଯାଉଥିବା ସମୟରେ ହଠାତ ରାସ୍ତା ଧସି ଯାଇଥିଲା ଏବଂ ସେହି ବ୍ୟକ୍ତି ସ୍କୁଟି ସହିତ ସେହି ଖାଲରେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।
ଯେଉଁମାନେ ଏହି ଘଟଣାର ସାକ୍ଷୀ ଥିଲେ, କହିଛନ୍ତି ଯେ, ଜଣେ ବୟସ୍କ ଲୋକ ଗୋଟିଏ ଟ୍ରକ୍ ପଛରେ ସ୍କୁଟିରେ ଯାଉଥିଲେ। ହଠାତ ରାସ୍ତା ଧସି ଯାଇଥିଲା ଏବଂ ତାଙ୍କ ସ୍କୁଟିର ପଛ ଚକ ଖାଲରେ ପଶି ଥିଲା ଏବଂ ଏହା ପରେ ବୟସ୍କ ଲୋକ ପୁରା ସ୍କୁଟି ସହିତ ଖାଲରେ ପଡ଼ି ଯାଇଥିଲେ।
ଅନ୍ୟ ଯାତ୍ରୀମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ପୋଲିସ ରାସ୍ତା ବନ୍ଦ କରି ଟ୍ରାଫିକକୁ ଅନ୍ୟ ରାସ୍ତାରେ ଯିବା ପାଇଁ କହିଥିଲେ। ଲୋକଙ୍କ କହିବା ଅନୁଯାୟୀ, ସ୍ଵୀୱର ଲାଇନର ପାଣି ହେତୁ ରାସ୍ତା ମଝିରେ ଏପରି ଖାଲ ହୋଇଥିଲା।

ଅଧିକ ସର୍ଚ୍ଚ କରିଲା ପରେ ଆମକୁ ଏହି ଘଟଣା ନେଇ ନ୍ୟୁଜ୍ ୧୮ ରାଜସ୍ଥାନର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଘଟଣାଟି ରାଜସ୍ଥାନର ଯୋଧପୁର ସହରର ଭଗତ କି କୋଠି ରେଳବାଇ ଷ୍ଟେସନ୍ ସାମନାରେ ଘଟିଥିଲା। ବର୍ଷା କାରଣରୁ ରାସ୍ତା ଧସି ଯାଇଥିଲା। ଏହି ଘଟଣାରେ ଜଣେ ବୟସ୍କ ଲୋକଙ୍କୁ ଆଘାତ ହୋଇଥିଲା। ତାଙ୍କ କାନ୍ଧ ଏବଂ ମୁଣ୍ଡରେ ଆଘାତ ହୋଇଥିଲା। ପୂର୍ବରୁ ମଧ୍ୟ ଏହି ରାସ୍ତା ଅନେକ ଥର ଧସି ସାରିଛି।
୨୫ ସେପ୍ଟେମ୍ବରରେ ଓଟିଭି ମଧ୍ୟ ଏହି ଘଟଣା ନେଇ ଏକ ଭିଡିଓ ନିଜ ୟୁଟ୍ଯୁବ ଚ୍ୟାନାଲରେ ଅପ୍ଲୋଡ କରିଛି। ଭିଡିଓରେ ଆମେ ସମାନ ସ୍କୁଟି ରାସ୍ତାରେ ଏକ ଖାଲରେ ଧସିଥିବା ଦେଖିଲୁ। ଏହି ଭିଡିଓରେ ଘଟଣାରେ ଆଘାତ ହୋଇଥିବା ବାସକ ବ୍ୟକ୍ତିଙ୍କ ଏକ ସାକ୍ଷାତ ମଧ୍ୟ ଅଛି। ବୟସ୍କ ବ୍ୟକ୍ତି କହୁଛନ୍ତି, “ଟ୍ରକ୍ ଯିବା ପରେ ରାସ୍ତା ଧସି ପଡିଥିଲା। ମୁଁ ସେହି ଖାଲ ପାର୍ଶ୍ଵରୁ ପଳାଇବା ଚେଷ୍ଟା କରିଥିଲି କିନ୍ତୁ ଖାଲ ହଠାତ ଏତେ ବଡ଼ ହୋଇ ଯାଇଥିଲା ଯେ ମୁଁ ତାହା ଭିତରେ ପଡ଼ି ଗାଳି ଏବଂ ଗାଡ଼ି ପୁରା ଖାଲ ଭିତରେ ଧସି ଗଲା। ଏହି ରାସ୍ତାରେ ପୂର୍ବରୁ ଖାଲ ନଥିଲା, ମୁଁ ଯାଉଥିବା ସମୟରେ ହଠାତ ଏହି ଖାଲ ହେଇଗଲା।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ରାସ୍ତା ଧସି ଥିବାରୁ ଗୋଟିଏ ସ୍କୁଟି ଖାଲରେ ପଡିଥିବା ଘଟଣାଟି ରାଜସ୍ଥାନର ଯୋଧପୁର ସହରର ଅଟେ। ଏହି ଘଟଣାଟି ହରିୟାଣାର ହୋଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ରାସ୍ତାରେ ଧସି ଯାଇଥିବା ଏହି ସ୍କୁଟିର ଘଟଣା ହରିୟାଣା ରାଜ୍ୟରେ ଘଟିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
