
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ନାବାଳକ ଶିଶୁ ଖଣ୍ଡାରେ ଭାରତୀୟ ଜାତୀୟ ପତକାକୁ ଦୁଇ ଖଣ୍ଡ କରି ଦେଉଛି। ଦାବି ଅନୁଯାୟୀ ଏହି ଭିଡିଓ ଭାରତର ଅଟେ ଏବଂ ସଂଖ୍ୟାଲଘୁ ମୁସ୍ଲିମ ସମ୍ପ୍ରଦାୟ ଶିଶୁ ମାନଙ୍କୁ ଏପରି ଶିକ୍ଷା ଦିଆ ଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଭାରତର ନୁହେଁ ବରଂ ପାକିସ୍ତାନର ଗୋଟିଏ ବିଦ୍ୟାଳୟର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେଯାର କରି ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି ଯେ, “ମୁସଲମାନ ଛାତ୍ର ମାନଙ୍କୁ ହିନ୍ଦୁ ବିରୁଦ୍ଧ ରେ ଶିକ୍ଷା, ଜାତୀୟ ପତକା କୁ ଦୁଇଖଣ୍ଡ କରି ତଳେ ପକା ଯାଉଛି ।” ଏହି ପୋଷ୍ଟରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟ୍ୟାଗ୍ କରା ଯାଇଛି ଯେ ଆମ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଶିଶୁ ମାନଙ୍କୁ କେଉଁ ପ୍ରକାର ଶିକ୍ଷା ଦିଆ ଯାଉଛି।
ଏହି ପୋଷ୍ଟର କାମେଣ୍ଟରେ ଜଣେ ଉଲ୍ଲେଖ କରିଛନ୍ତି ଯେ ଏହା ବୋଧେ କେରଳର ଦୃଶ୍ୟ ଅଟେ।
ସମାନ ପୋଷ୍ଟ ଆପଣ ମାନେ ଏଠାରେ ମଧ୍ୟ ଭାଇରାଲ ହେଉଥିବା ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିବାକୁ ପାଇଲୁ ଭିଡିଓରେ ଦୁଇଟି ସ୍ଥାନରେ ପାକିସ୍ତାନର ପତକା ମଧ୍ୟ ଅଛି।

ଏହା ଦ୍ଵାରା ଆମକୁ ଭାଇରାଲ ଭିଡିଓ ଭାରତର ହେଇଥିବାର ସନ୍ଦେହ ହେଲା। ଏହି ଭିଡିଓ ନେଇ ଦେଶର ଗଣମାଧ୍ୟମରେ ମଧ୍ୟ ଅଧିକ ଚର୍ଚ୍ଚା ହୋଇନାହିଁ। ଯଦି ଏହି ଘଟଣା ଭାରତରୁ ଆସିଥାନ୍ତା ତେବେ ଏହା ନେଇ ଗଣମାଧ୍ୟମରେ ନିଶ୍ଚିତ ଭାବରେ ଖବର ପ୍ରକାଶିତ ହୋଇଥାନ୍ତା।
ତେବେ ଏହି ଭିଡିଓ କେଉଁଠିକାର?
ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨ ନଭେମ୍ବର ୨୦୨୨ ରେ ରେଡ଼ିଟ୍ ୱେବସାଇଟ ରେ ଏହି ଘଟଣା ନେଇ କିଛି ସୂଚନା ମିଳିଲା। ରେଡ଼ିଟ୍ ରେ ଭିଡିଓ ସେୟାର କରି କୁହା ଯାଇଛି ଯେ ପାକିସ୍ତାନର ଗୋଟିଏ ବିଦ୍ୟାଳୟରେ ହେଇଥିବା ଏକ କାର୍ଯ୍ୟକ୍ରମରେ ଜଣେ ବାଳକ ଖଣ୍ଡାରେ ଭାରତର ପତକାକୁ ଦୁଇ ଖଣ୍ଡ କରିଛି।
ଉପରୋକ୍ତ ତଥ୍ୟକୁ ନଜରରେ ରାଖୀ ସର୍ଚ୍ଚ କରିବା ପରେ ଆମକୁ ପାକିସ୍ତାନୀ ସାମ୍ବାଦିକ ତାରେକ ଫତହଙ୍କ ଟୁଇଟରେ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ୨ ନଭେମ୍ବରରେ ଏହ ଭିଡିଓ ଟୁଇଟ କରି ସେ କହିଛନ୍ତି ଯେ ପାକିସ୍ତାନର ଯୁବା ମାନଙ୍କ ମନକୁ ବିଷାକ୍ତ କରିବା ପାକିସ୍ତାନର ଗୋଟିଏ ଷ୍ଟାଇଲ୍। ଗୋଟିଏ ସମାରୋହରେ ଭାରତ ପତକାକୁ ହାଣି ଦେବା, ହିନ୍ଦୁଙ୍କ ପ୍ରତି ଘୃଣାର ଏକ ପରିଣାମ ଅଟେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ନ୍ୟୁଜରୁମ୍ ପୋଷ୍ଟ ୱେବସାଇଟରେ ସମାନ ଘଟଣା ନେଇ ଏକ ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା। ୩ ନଭେମ୍ବରରେ ଏହି ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିଜ ଦେଶର ଶିଶୁ ମାନଙ୍କ ମନରେ ଭାରତ ବିରୁଦ୍ଧରେ ଘୃଣା ଭାରୁଛି। ପାକିସ୍ତାନର ଗୋଟିଏ ବିଦ୍ୟାଳୟରେ ଆୟୋଜିତ ହେଇଥିବା ଏକ କାର୍ଯ୍ୟକ୍ରମରେ ଜଣେ ବାଳକ ଭାରତର ପତକାକୁ ଖଣ୍ଡାରେ ହାଣି ଥିବା ଦେଖିବାକୁ ମିଳିଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ଜଣେ ନାବାଳକ ଭାରତ ପତକାକୁ ହାଣୁ ଥିବା ଦୃଶ୍ୟ ଭାରତର ନୁହେଁ ବରଂ ପାକିସ୍ତାନର ଗୋଟିଏ ବିଦ୍ୟାଳୟର ଅଟେ। ଏହି ଭିଡିଓ ଭାରତର ହେଇଥିବା ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Title:କ’ଣ ଜଣେ ମୁସଲମାନ ଶିଶୁ ଦ୍ଵାରା ଖଣ୍ଡାରେ ଭାରତୀୟ ଜାତୀୟ ପତକାକୁ ଖଣ୍ଡ କରିବା ଭିଡିଓ ଭାରତର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
