
ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଏବଂ CPI(M) ପାର୍ଟି ସଚିବ ସୀତାରାମ ୟେଚୁରୀଙ୍କର ୧୨ ସେପ୍ଟେମ୍ବର ୨୦୨୪ ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହୋଇଥିଲା। ଏହି ଫୋଟୋରେ ଏକ ବ୍ୟାନର ଦେଖାଯାଇଛି ଯେଉଁଥିରେ ଲେଖା ହୋଇଛି, “କମରେଡ୍ ସୀତାରାମ ୟେଚୁରୀ ଅମର ରହେ”, ଯାହା ସାମ୍ନାରେ ଏକ କଫିନ୍ ଅଛି ଏବଂ ଅନେକ ଲୋକ ଛିଡା ହୋଇଛନ୍ତି। ଦାବି କରାଯାଇଛି ଯେ ସୀତାରାମ ୟେଚୁରୀ ଜଣେ ଖ୍ରୀଷ୍ଟିଆନ ଥିଲେ ସେଥିପାଇଁ ତାଙ୍କ ଶରୀରକୁ ଏକ କଫିନ୍ରେ ରଖାଯାଇଥିଲା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସୀତାରାମ ୟେଚୁରୀ ଖ୍ରୀଷ୍ଟିଆନ ନଥିଲେ। ସେ ଜଣେ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଜଣେ ନାସ୍ତିକ ଥିଲେ। ତାଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ କରାଯାଇ ଚିକିତ୍ସା ଅନୁସନ୍ଧାନ ପାଇଁ AIIMS ଦିଲ୍ଲୀରେ ଦାନ କରାଯାଇଥିଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ନାମ: ସୀତାରାମ ୟେଚୁରୀ
ଧର୍ମ : ଖ୍ରୀଷ୍ଟିଆନ
ଏ ବାମପନ୍ଥୀ ଖ୍ରୀଷ୍ଟିଆନ ଜଣକ ହିନ୍ଦୁ ନାମରେ କେତେଯେ ହିନ୍ଦୁଙ୍କୁ ବୋକା ବନାଇ ହିନ୍ଦୁ ସମାଜ ବିରୁଦ୍ଧରେ ଦୁଷ୍ପ୍ରଚାର ଓ ଷଡଯନ୍ତ୍ର କରୁଥିଲା ଆଜି ତାର କବର ଶବ ସଂସ୍କାରରୁ ଜଣା ପଡିଲା ଇଏ ଜଣେ ଖ୍ରୀଷ୍ଟିଆନ ଥିଲା। ଭାରତରେ ଏହିଭଳି ହଜାର ହଜାର ଖ୍ରୀଷ୍ଟିଆନ ହିନ୍ଦୁ ବେଶ ରେ ଓ ହିନ୍ଦୁ ନାମରେ ବାମପନ୍ଥୀ ରୂପରେ ହେଉ ବା ହେତୁବାଦୀ ଓ ଗେରୁଆ ବସ୍ତ୍ର ଧାରଣ କରି କିମ୍ବା ଫେସବୁକରେ ହିନ୍ଦୁ ନାମରେ ID ଖୋଲି ହିନ୍ଦୁ ଧର୍ମ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି, ଅପପ୍ରଚାର କରୁଛନ୍ତି, ହିନ୍ଦୁ ଦେବାଦେବୀଙ୍କୁ ଗାଳି କରୁଛନ୍ତି, ହିନ୍ଦୁ ସଂସ୍କାର ଓ ପରମ୍ପରାକୁ ଅନ୍ଧ ବିଶ୍ୱାସ କହି ସରଳ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଉଛନ୍ତି। ଏମାନଙ୍କୁ ସାବଧାନ ରୁହନ୍ତୁ ସଚେତନ ରୁହନ୍ତୁ। ଅନ୍ୟ ହିନ୍ଦୁଭାଇ ଓ ଭଉଣୀ ମାନଙ୍କୁ ବି ଜାଗ୍ରତ କରାନ୍ତୁ।“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୪ ସେପ୍ଟେମ୍ବର ୨୦୨୪ ରେ JNU ଛାତ୍ର ସଂଗଠନର ଟୁଇଟର ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ଏଥିସହ ଦୁଇଟି ଅନ୍ୟ ଫୋଟୋ ଏବଂ ଏକ ଭିଡିଓ ମଧ୍ୟ ରହିଛି।
JNU pays homage to beloved Comrade Sitaram Yechury.
JNU Will continue his legacy of struggle for secular democratic and just society ✊🏾
Lal Selam Comrade!!
Long Live #SitaramYechury !! pic.twitter.com/pG9viMnx3z
— JNUSU Official (@jnusu_official) September 13, 2024
ଆମେ ୧୦ ଅଗଷ୍ଟ ୨୦୧୭ ରେ ସାଂସଦ ଟିଭିର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ପାଇଲୁ। ଏହି ଭିଡିଓରେ ରସଭାର ସୀତାରାମ ୟେଚୁରୀଙ୍କ ବିଦାୟ ଭାଷଣର କିଛି ଅଂଶ ଦେଖାଯାଇଛି। ଭିଡିଓର ଟାଇମଷ୍ଟ୍ୟାମ୍ପ 16:03 ମିନିଟରୁ ସୀତାରାମ ୟେଚୁରୀ କହିଛନ୍ତି ଯେ ସେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ) ଜେନେରାଲ ହସ୍ପିଟାଲରେ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କ ଜେଜେବାପା ଜଣେ ବିଚାରପତି ଯିଏ ଗୁଣ୍ଟୁର ରେ ବାସ କରିଥିଲେ। ତେଣୁ ୧୯୫୪ ମସିହାରେ ସମଗ୍ର ପରିବାର ସେଠାକୁ ଯାଇଥିଲେ। ସୀତାରାମ ୟେଚୁରୀ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୫୬ ମସିହାରେ ସେମାନେ ହାଇଦ୍ରାବାଦ ଯାଇଥିଲେ। ତାଙ୍କର ବିଦ୍ୟାଳୟ ଶିକ୍ଷା ଏକ ଇସଲାମିକ ସଂସ୍କୃତିରେ ଥିଲା ଯାହା ସ୍ୱାଧୀନତାର ପ୍ରଥମ ଦିନରେ ନିଜାମ ଶାସନ ଅଧୀନରେ ହାଇଦ୍ରାବାଦରେ ପ୍ରଚଳିତ ଥିଲା। ତା’ପରେ ସେ ଦିଲ୍ଲୀ ଯାଇ ସେଠାରେ ଅଧ୍ୟୟନ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି, “ମୁଁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛି ଯାହାର ପିତା ଇସଲାମିକ ଆଦେଶର ସୁଫି ଏବଂ ଯାହାର ନାମ ଚିସ୍ତି… ତାଙ୍କ ମା ଜଣେ ରାଜପୁତ କିନ୍ତୁ ମାଇସୋରିଆନ୍ ରାଜପୁତ ଯିଏ ଅଷ୍ଟମ ଶତାବ୍ଦୀରେ ସେଠାକୁ ଯାଇଥିଲେ। ଆମେ ବର୍ତ୍ତମାନ ୨୧ ଶତାବ୍ଦୀରେ ଅଛୁ… ମୁଁ ଜଣେ ଦକ୍ଷିଣ ଭାରତୀୟ ବ୍ରାହ୍ମଣ ପରିବାରରୁ ଆସିଛି, ଏହି ଲେଡିଙ୍କୁ ବିବାହ କରିଛି, ତେବେ ମୋର ପୁଅକୁ କ’ଣ କୁହା ହେବ?… ମୋର ପୁଅକୁ ଭାରତୀୟ ଛଡ଼ା ଅନ୍ୟ କୌଣସି ଭାବରେ ବର୍ଣ୍ଣନା କରି ହେବ ନାହିଁ। ଏହି ପରି ମୋର ଦେଶ।”
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ସୀତାରାମ ୟେଚୁରି ଜଣେ ତେଲୁଗୁ ବ୍ରାହ୍ମଣ ଥିଲେ।
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ସୀତାରାମ ୟେଚୁରିଙ୍କର ୨୦୧୭ ର ଏକ ଟୁଇଟ ପାଇଲୁ ଯେଉଁଥିରେ ସେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ ଏବଂ ନିଜକୁ ନାସ୍ତିକ ବୋଲି କହିଥିଲେ।
What do you mean by ‘sanctity’? Is the Law minister doing charity by giving ‘sanctity’? Sanctity is provided by the Indian Constitution. pic.twitter.com/1alLcIjtRA
— Sitaram Yechury (@SitaramYechury) April 22, 2017
CPI(M) ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରେ କହିଛି ଯେ ଚିକିତ୍ସା ଅନୁସନ୍ଧାନ ପାଇଁ ସୀତାରାମ ୟେଚୁରିଙ୍କ ଶରୀରକୁ AIIMS ଦିଲ୍ଲୀ କୁ ଦାନ କରା ଯାଇଛି।
Those who wish to pay homage to Comrade Sitaram Yechury may visit the Party headquarters, AK Gopalan Bhavan and do so there.
Long live Comrade Sitaram. pic.twitter.com/vlyZ7gl1rC
— CPI (M) (@cpimspeak) September 15, 2024
ଏକ ରିପୋର୍ଟ ଅନୁଯାୟୀ, ସୀତାରାମ ୟେଚୁରିଙ୍କ ଅନ୍ତିମ ସଂସ୍କାର ହୋଇ ନାହିଁ କାରଣ ତାଙ୍କ ଶରୀରକୁ AIIMS ଦିଲ୍ଲୀ କୁ ଅନୁସନ୍ଧାନ ପାଇଁ ଦାନ କରା ଯାଇଛି।

ଶରୀରକୁ ଏକ କଫିନରେ ରଖିବାର କୌଣସି ଧାର୍ମିକ ଦିଗ ନାହିଁ। ଡାକ୍ତରୀ ଅନୁସନ୍ଧାନ ପାଇଁ ଶରୀରକୁ ଦିଆଯାଇଥିଲା ଏବଂ ସେଥିପାଇଁ ଏହାକୁ କଫିନରେ ରଖାଯାଇଥିଲା।
ଆମେ ସିପିଆଇ (ଏମ୍) ନେତା ତଥା ଶ୍ରୀ ସୀତାରାମ ୟେଚୁରୀଙ୍କ ଘନିଷ୍ଠ ସହଯୋଗୀ ଶ୍ରୀ ପ୍ରକାଶ କରାଟଙ୍କ ସହ ଯୋଗାଯୋଗ କରିଲୁ। ସେ ଆମକୁ ସ୍ପଷ୍ଟ କରିଛନ୍ତି ଯେ ଯଦିଓ ସୀତାରାମ ୟେଚୁରୀ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ସେ ଜଣେ ନାସ୍ତିକ ଥିଲେ। ତାଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଶରୀରକୁ ଅନୁସନ୍ଧାନ ପାଇଁ AIIMS କୁ ଦାନ କରାଯାଇଥିଲା। କୌଣସି ପ୍ରକାରର ଧାର୍ମିକ ରୀତିନୀତି କରାଯାଇ ନାହିଁ।
ସିଦ୍ଧାନ୍ତ:
ସୀତାରାମ ୟେଚୁରୀ ଖ୍ରୀଷ୍ଟିଆନ ନଥିଲେ। ସେ ଜଣେ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଜଣେ ନାସ୍ତିକ ଥିଲେ। ତାଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ କରାଯାଇ ଚିକିତ୍ସା ଅନୁସନ୍ଧାନ ପାଇଁ AIIMS ଦିଲ୍ଲୀରେ ଦାନ କରାଯାଇଥିଲା। ସେଥିପାଇଁ ତାଙ୍କ ଶରୀରକୁ କଫିନରେ ରକ୍ଷା ଯାଇଥିଲା।

Title:ପୂର୍ବତନ ସିପିଆଇ (ଏମ) ସଚିବ ସ୍ଵର୍ଗତ ସୀତାରାମ ୟେଚୁରୀ ଜଣେ ଖ୍ରୀଷ୍ଟିଆନ ଥିଲେ କି?
Fact Check By: Siddharth SahuResult: False
