ଫ୍ରାନ୍ସରେ AI ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଣଦେଖା କରିନଥିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍। ଭାଇରାଲ୍ ଦାବି ମିଥ୍ୟା…

Misleading Political

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ଅନୁଷ୍ଠିତ AI ଆକ୍ସନ ସମ୍ମିଳନୀରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅନେକ ବିଶ୍ୱ ନେତା ଏବଂ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ହାତ ମିଳାଉଥିବାର ଦେଖାଯାଇଛି। 

ଏହି କ୍ଲିପ୍ ସେୟାର କରୁଥିବା ୟୁଜର୍ସମାନେ ଦାବି କରୁଛନ୍ତି ଯେ ମାକ୍ରନ୍ ବିଶ୍ୱ ନେତାମାନଙ୍କୁ ସ୍ୱାଗତ କରିଥିଲେ କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇ ନଥିଲେ। ପୋଷ୍ଟଟି ସେୟାର କରିବା ସମୟରେ, କ୍ୟାପସନରେ ଲେଖାଯାଇଛି, “ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ନିଜକୁ କଣ ଭାବିଲାକି ? ଆମ ଭଗବାନଙ୍କ ଅବତାର ନରେନ୍ଦ୍ର ମୋଦୀ ହାତରେ କଣ ଗୋବର ଲାଗିଛିକି ହାତ ମିଳାଇଲା ନାହିଁ. ଘୋର ଅପମାନ

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ମୂଳ ଭିଡିଓରେ ଫ୍ରାନ୍ସ ରାଷ୍ଟ୍ରପତି ମୋଦୀଙ୍କୁ ଅଣଦେଖା କରି ନାହାଁନ୍ତି। ସେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିବା ମଧ୍ୟ ଦେଖିବାକୁ ମିଳିଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ନଉସନ୍ଧାରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ କିଛି ଗଣମାଧ୍ୟମ ରିପୋର୍ଟ ପାଇଲୁ ଯେଉଁଥିରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦିନିଆ ଗସ୍ତ ସମୟରେ ଫ୍ରାନ୍ସରେ ପହଞ୍ଚିଥିଲେ। ସେଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ‘AI ଆକ୍ସନ ସମିଟ୍’ର ସହ-ଅଧ୍ୟକ୍ଷତା କରିଥିଲେ। ଏହି ସମୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମାକ୍ରନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। 

ଏହି ଅବସର ବିଷୟରେ, ଅମର ଉଜାଲାର ପ୍ରକାଶିତ ରିପୋର୍ଟକୁ ଦେଖିଲେ ଜଣାପଡ଼େ ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ୟାରିସରେ AI ଶିଖର ସମ୍ମିଳନୀରେ ସହ-ଅଧ୍ୟକ୍ଷତା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ ଏବଂ ତାଙ୍କୁ ତାଙ୍କର ବନ୍ଧୁ ବୋଲି କହିଥିଲେ। ରିପୋର୍ଟରେ ଉଭୟ ନେତାଙ୍କ କିଛି ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରେ ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବା ଏବଂ ଭେଟିଥିବା ଦେଖାଯାଇଛି।

ସମାନ ସୂଚନା ସହିତ, ଆମେ Asianet ର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ମଧ୍ୟ ପାଇଲୁ। ରିପୋର୍ଟରେ ପ୍ରକାଶିତ ଫଟୋଗୁଡ଼ିକୁ ଦେଖିଲେ ଜଣାପଡୁଛି ଯେ ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ମୋଦୀଙ୍କୁ ସ୍ୱତନ୍ତ୍ର ସମୟ ଏବଂ ପୂର୍ଣ୍ଣ ସମ୍ମାନ ଦେଇଥିଲେ।

୧୧ ଫେବୃଆରୀ ୨୦୨୫ ରେ ଫ୍ରାନ୍ସରେ ଅନୁଷ୍ଠିତ AI ସମ୍ମିଳନୀ ସହିତ ଜଡିତ ଚିତ୍ରଗୁଡ଼ିକ ନ୍ୟୁଜ୍ ଏଜେନ୍ସି ANI ର ଏକ୍ସ (ଟୁଇଟର) ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। ଚିତ୍ରଗୁଡ଼ିକରେ ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠତା ସ୍ପଷ୍ଟ ଭାବରେ ଦେଖାଯାଉଛି।

ଆମେ ମାକ୍ରନଙ୍କ ଅଫିସିଆଲ୍ X ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓ ପାଇଲୁ। ଭିଡିଓରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ କରାଯାଇଥିଲା।

ତା’ପରେ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସିଆଲ୍ X ହ୍ୟାଣ୍ଡେଲରେ ଏକ ପୋଷ୍ଟ ପାଇଲୁ। ଏଥିରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଫ୍ରାନ୍ସ ଗସ୍ତର ସମାପ୍ତିର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ମାକ୍ରନଙ୍କୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦାୟ ଦେଉଥିବାର ଦେଖିବାକୁ ମିଳିଛି।

ଆମର ଅନୁସନ୍ଧାନ ସମୟରେ, ଆମେ ଆନ୍ତର୍ଜାତୀୟ ସମାଚାର ଏଜେନ୍ସି AP ର ସରକାରୀ ୟୁଟ୍ୟୁବ ଚ୍ୟାନେଲରେ ଏହି ସମ୍ମିଳନୀର ସମ୍ପୂର୍ଣ୍ଣ ଭିଡିଓ ପାଇଲୁ। ଏଠାରେ ଆମେ ଦେଖୁଛୁ ୮.୪୭ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାକ୍ରନଙ୍କ ସହିତ ସମ୍ମିଳନୀରେ ପହଞ୍ଚିଛନ୍ତି। ଏହା ପରେ, ମାକ୍ରନ୍ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସମେତ ଅନ୍ୟ ନେତାମାନଙ୍କୁ ଭେଟୁଛନ୍ତି ଏବଂ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ବସୁଛନ୍ତି।

ଭିଡିଓରେ ଆହୁରି ଦେଖାଯାଉଛି ଯେ ମାକ୍ରନ୍ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ (୧୪.୨୨ ମିନିଟ୍ ରେ), ପ୍ରଧାନମନ୍ତ୍ରୀ ମୋଦିଙ୍କୁ (୧୭.୧୫ ମିନିଟ୍ ରେ) ମଞ୍ଚକୁ ନିମନ୍ତ୍ରଣ କରୁଛନ୍ତି ଏବଂ ଦୁହେଁ ପୁଣି ଥରେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୁଳ ଭିଡିଓର ଏକ ଛୋଟ କ୍ଲିପ୍ କୁ ସେୟାର କରି ବିଭ୍ରାନ୍ତକାରୀ ଦାବି କରା ଯାଇଛି ଯେ ଫ୍ରାନ୍ସ ରାଷ୍ଟ୍ରପତି ମୋଦୀଙ୍କୁ ଅଣଦେଖା କରିଛନ୍ତି। କିନ୍ତୁ ପ୍ରକୃତରେ ଫ୍ରାନ୍ସ ରାଷ୍ଟ୍ରପତି, ମୋଦୀଙ୍କୁ ଆଲିଙ୍ଗନ କରି ତାଙ୍କ ସ୍ଵାଗତ କରିଥିଲେ।

Avatar

Title:ଫ୍ରାନ୍ସରେ AI ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଣଦେଖା କରିନଥିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍। ଭାଇରାଲ୍ ଦାବି ମିଥ୍ୟା…

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *