
ନିକଟରେ, ଆମେରିକାର ନ୍ୟାୟ ବିଭାଗ ଯୌନ ଅପରାଧୀ ଏବଂ ମାନବ ଚାଲାଣକାରୀ ଜେଫ୍ରି ଏପଷ୍ଟାଇନଙ୍କ ତଦନ୍ତ ସହିତ ଜଡିତ ଲକ୍ଷ ଲକ୍ଷ ପୃଷ୍ଠାର ଡକ୍ୟୁମେଣ୍ଟ, ଭିଡିଓ ଏବଂ ଫଟୋଗ୍ରାଫ ପ୍ରକାଶ କରିଛି। ଏହା ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମ୍ପର୍କରେ, ଏକ ଫଟୋ ସେୟାର ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଛୋଟ ପିଲାମାନଙ୍କୁ ବାକ୍ସରେ ରଖୁଥିବା ଦେଖିବାକୁ ମିଳିଛି।
ଦାବି କରା ଯାଉଛି ଯେ ଏହି ଫଟୋଟି ଏପଷ୍ଟିନ୍ ଫାଇଲ୍ସରୁ ଆସିଛି ଯେଉଁଥିରେ ଛୋଟ ପିଲା ମାନଙ୍କର ମାଂସ ଖିଆ ଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ୧୯୭୫ ଭିଏତନାମ ଯୁଧ୍ୟ ସମୟରେ ନବଜାତ ଶିଶୁ ମାନଙ୍କୁ ଏୟାରଲିଫ୍ଟ କରା ଯାଉଥିବା ଘଟଣାକୁ ଏପଷ୍ଟିନ୍ ଫାଇଲ୍ସ ସହିତ ଯୋଡ଼ି ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ପରିଣାମ ସ୍ୱରୂପ ଏହି ଫଟୋଟି ୨୦୧୪ ମସିହାରେ ଆମେରିକୀୟ ପ୍ରତିରକ୍ଷା ଗୁପ୍ତଚର ସଂସ୍ଥା ୱେବସାଇଟରେ ପୋଷ୍ଟ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ୧୯୭୫ ମସିହାରେ ଦକ୍ଷିଣ ଭିଏତନାମରେ ଯୁଦ୍ଧ ସମୟରେ ରାଷ୍ଟ୍ରପତି ଗେରାଲ୍ଡ ଫୋର୍ଡ ଏକ ବିଶାଳ ଉତ୍ତର ଭିଏତନାମ ଆକ୍ରମଣର ସମ୍ମୁଖୀନ ହୋଇ ସାଇଗନ୍ ରୁ ଭିଏତନାମୀୟ ଅନାଥ ପିଲାମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମିଶନ, ଯାହାକୁ ଅପରେସନ୍ ବେବିଲିଫ୍ଟ କୁହାଯାଏ, ୪ ଏପ୍ରିଲ୍ ୧୯୭୫ ରେ ଆରମ୍ଭ ହୋଇଥିଲା। ୩,୦୦୦ ରୁ ଅଧିକ ଅନାଥ ପିଲାଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ଫଟୋ ଏକ ଭିଏତନାମ ଗଣମାଧ୍ୟମ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ୩ ଏପ୍ରିଲ ୧୯୭୫ ରେ, ଯେତେବେଳେ ଭିଏତନାମ ଯୁଦ୍ଧ ଶେଷ ହେବାକୁ ବସିଥିଲା, ଆମେରିକାର ରାଷ୍ଟ୍ରପତି ଜେରାଲ୍ଡ ଫୋର୍ଡ ଘୋଷଣା କରିଥିଲେ ଯେ ସମସ୍ତ ଅନାଥ ଭିଏତନାମୀୟ ପିଲାମାନଙ୍କୁ ସାଇଗନ୍ ରୁ ତୁରନ୍ତ ବିମାନରେ ସ୍ଥାନାନ୍ତର କରାଯିବା ଉଚିତ। ଏହି ଯୋଜନାର ନାମ “ଅପରେସନ୍ ବେବିଲିଫ୍ଟ” ଦିଆଯାଇଥିଲା। ଆମେରିକା ଦାବି କରିଥିଲା ଯେ ଭିଏତନାମରୁ ସ୍ଥାନାନ୍ତରିତ ହୋଇଥିବା ଅଧିକାଂଶ ପିଲା ଅନାଥ ଥିଲେ ଯେଉଁମାନେ ଯୁଦ୍ଧରେ ସେମାନଙ୍କ ପିତାମାତାଙ୍କୁ ହରାଇଥିଲେ କିମ୍ବା ଯୁଦ୍ଧ ସମୟରେ ଆମେରିକୀୟ ସୈନିକ ଏବଂ ଭିଏତନାମୀୟ ମହିଳାଙ୍କ ସନ୍ତାନ ଥିଲେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋ ଏପଷ୍ଟିନ୍ ଫାଇଲ୍ସ ସହିତ ଜଡ଼ିତ ନୁହେଁ। ୧୯୭୫ ରେ ଭିଏତନାମ ଯୁଧ୍ୟ ସମୟରେ ଛୋଟ ପିଲାଙ୍କୁ ଏୟାରଲିଫ୍ଟ କରା ଯାଉଥିବା ସମୟର ଦୃଶ୍ୟ।

