
ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରେ, ଅନଧିକୃତ ପ୍ରବେଶକୁ କେନ୍ଦ୍ର କରି ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇ ଦିଆଯାଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଆମେରିକା ଦ୍ୱାରା ଭାରତକୁ ପଠାଯାଉଥିବା ଅବୈଧ ପ୍ରବାସୀମାନଙ୍କର ଏକ ଫୋଟୋ ବୋଲି କୁହାଯାଉଛି। ଭାଇରାଲ ଫୋଟୋରେ ଅନେକ ଲୋକଙ୍କୁ ହାତକଡି ବାନ୍ଧି ଏକ ଲଢ଼ୁଆ ବିମାନ ଭିତରେ ବସିଥିବା ଦେଖାଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି ଫୋଟୋ ଆମେରିକା ଦ୍ଵାରା ଗୁଆଟେମାଲା ଦେଶର ଅବୈଧ ପ୍ରବାଶିଙ୍କୁ ସେଟାକୁ ଫେରାଉଥିବା ଫୋଟୋ ଅଟେ ଯାହା ୩୦ ଜାନୁଆରୀର ଘଟଣା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “କୁଆଡେ଼ ଗଲା କି ମୋଦୀ ଆଉ ଟ୍ରମ୍ପଙ୍କ ଦୋସ୍ତି? ସବୁ କଥାରେ ଆମେରିକା ଇଣ୍ଡିଆ କହୁଥିବା ମୋଦୀ ନିଜ ଦେଶ ନାଗରିକଙ୍କୁ ଆଜି ଏହି ଅବସ୍ଥାରେ ଦେଖି କେତେ ଖୁସୀ, କିଛି ବିଦେଶ ନୀତି ନୁହଁ ସବୁ ବେପାର।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଦି ଇଣ୍ଡିପେଣ୍ଡେଣ୍ଟ ପତ୍ରିକାର ୱେବସାଇଟରେ ୩୦ ଜାନୁଆରୀ ୨୦୨୫ ରେ ପ୍ରକାଶିତ ହେଇଥିଲା। ରିପୋର୍ଟ ଅନୁଯାୟୀ, ଫୋଟୋରେ ଥିବା ବ୍ୟକ୍ତି ମାନେ ଗୁଆଟେମାଲା ଏବଂ ମେକ୍ସିକୋ ଦେଶର ଅବୈଧ ପ୍ରବାସୀ ଯାହାକୁ ଆମେରିକା ନିର୍ବାସିତ କରୁଛି। ଏହି ରିପୋର୍ଟରେ ଭାରତୀୟମାନଙ୍କ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ।
ଉପରୋକ୍ତ ଫୋଟୋ ପାଇଁ ଏସୋସିଏଟେଡ୍ ପ୍ରେସକୁ (AP) କ୍ରେଡିଟ୍ ଦିଆ ଯାଇଛି। ତେଣୁ ଆମେ AP ର ଅଫିସିଆଲ ୱେବସାଇଟରେ ଯାଇ ଏହି ଫୋଟୋ ସର୍ଚ୍ଚ କରିଲୁ। ଫୋଟୋର କ୍ୟାପସନରେ ଲେଖା ଅଛି, “ଫେସ୍ ମାସ୍କ ଏବଂ ହାତରେ ଏବଂ ପାଦରେ ଶିକୁଳି ପିନ୍ଧିଥିବା ପ୍ରବାସୀମାନେ ଗୁରୁବାର, ୩୦ ଜାନୁଆରୀ ୨୦୨୫ ଏସ ଏଲ୍ ପାସୋ, ଟେକ୍ସାସର ଫୋର୍ଟ ବ୍ଲିସ୍ରେ ଏକ ସାମରିକ ବିମାନରେ ବସି ଗୁଆଟେମାଲାକୁ ନିର୍ବାସିତ ହେବା ପାଇଁ ଅପେକ୍ଷା କରିଛନ୍ତି।”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ଫୋଟୋ ଆମେରିକା ଦ୍ଵାରା ଗୁଆଟେମାଲା ଦେଶର ଅବୈଧ ପ୍ରବାଶିଙ୍କୁ ସେଠାକୁ ଫେରାଉଥିବା ଫୋଟୋ ଅଟେ ଯାହା ୩୦ ଜାନୁଆରୀର ଘଟଣା।

Title:ଏହି ଫୋଟୋରେ ହାତକଡି ପିନ୍ଧା ଲୋକଙ୍କ ଆମେରିକା ଦ୍ୱାରା ଭାରତ ପଠାଯାଉଥିବା ବେଆଇନ ପ୍ରବାସୀ ନୁହଁନ୍ତି।
Fact Check By: Siddharth SahuResult: Misleading
