ଇସଲାମିକ ପତାକା ବାହାର କରି ଭଗବା ପତାକା ଲଗାଉଥିବା ଭିଡିଓ ନେପାଳର ନୁହେଁ କର୍ଣ୍ଣାଟକର ଅଟେ।

Communal False

ନେପାଳରେ ସରକାର ବିରୋଧୀ ପ୍ରଦର୍ଶନ ପରେ, ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ଦେଇଥିଲେ, ଯାହା ନେପାଳରେ ରାଜନୈତିକ ସଙ୍କଟକୁ ଆହୁରି ଗମ୍ଭୀର କରିଥିଲା। ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାରକିଙ୍କୁ କ୍ଷମତାରେ ରଖି ଏକ ସରକାର ଗଠନ କରାଯାଇଛି। ଛଅ ମାସ ମଧ୍ୟରେ ନେପାଳରେ ସାଧାରଣ ନିର୍ବାଚନ ଘୋଷଣା କରାଯାଇଛି। 

ଏହି ସମୟରେ, ନେପାଳରେ ଜୈନ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରଦର୍ଶନ ସହିତ ଯୋଡ଼ି ଅନେକ ଭ୍ରାମକ ପୋଷ୍ଟ ଏବଂ ଭିଡିଓ ସେୟାର କରାଯାଉଛି। ଏହି ସମୟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି ଭିଡ଼ ଉପସ୍ଥିତିରେ ଏକ ପୋଲ ଉପରେ ଚଢ଼ି ସବୁଜ ପତାକା ବାହାର କରି ଭଗବା ପତାକା ଲଗାଉଥିବା ନଜର ଆସୁଛନ୍ତି। 

ଦାବି କରାଯାଉଛି ଯେ ଏହି ଭିଡିଓ ନେପାଳର, ଯେଉଁଠାରେ ହିନ୍ଦୁମାନେ ଇସଲାମିକ ପତାକା କାଢ଼ି ଦେଇଛନ୍ତି ଏବଂ ଭଗବା ପତାକା ଲଗାଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ନେପାଳର ନୁହେଁ ବରଂ କର୍ଣ୍ଣାଟକର ଅଟେ। ଗଣେଶ ବିଷର୍ଜନ ସମୟରେ ରାଲି ଉପରେ ପଥର ମାଡ଼ ହୋଇଥିବାରୁ କିଛି ସମ୍ପ୍ରଦାୟ ଲୋକମାନେ ଇସଲାମିକ ପତାକା ସ୍ଥାନରେ ଭଗବା ପତାକା ଲଗାଇଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଦେଖନ୍ତୁ, ନେପାଳର ହିନ୍ଦୁ ମାନଙ୍କୁ। 100 ବର୍ଷ ପୁରୁଣା ମସଜିଦ ଓ ମସଜିଦ ରେ ଲାଗିଥିବା ଇସଲାମିକ ଝଣ୍ଡା କୁ ଭାଙ୍ଗି, ସେଠାରେ ଭଗବା ଝଣ୍ଡା ଲଗାଉଛନ୍ତି। ଏହି ଭିଡିଓ ଅନେକ ପ୍ରମାଣ ଦେଉଛି, ନାରା “ନେପାଳ ରେ ମୁସଲମାନ ମାନଙ୍କ ପାଇଁ ଜାଗା ନାହିଁ” ବୋଲି ଦେଇ, ତାଙ୍କ ବସ୍ତି, ଘରଦୁଆର ସବୁ ଭାଙ୍ଗି ନିଆଁ ଲଗେଇଦେଇଛନ୍ତି ନେପାଳ ର ହିନ୍ଦୁ ମାନେ। ପ୍ରତି ମୁସଲମାନ ବସ୍ତି, ମସଜିଦ କୁ ନଷ୍ଟ କରିସାରିବା ପରେ ନେପାଳର ହିନ୍ଦୁ ମାନେ ନୂଆ ଅଭିଯାନ ଆରମ୍ଭ କରିଛନ୍ତି ” ନେପାଳ କୁ ଭଗବା ଝଣ୍ଡା ରେ ସୁସଜ୍ଜିତ କରିବା ପାଇଁ,”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ଫ୍ରାତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ, ଆମେ କନ୍ନଡ ନ୍ୟୁଜ୍ ସଂସ୍ଥା ପ୍ରଜାନୁଦିର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଥିବା ଏକ ଭିଡିଓ ପାଇଲୁ, ଯାହା ୮ ସେପ୍ଟେମ୍ବର ୨୦୨୫ ରେ ଅପଲୋଡ୍ କରାଯାଇଥିଲା। ଏଥିରେ ଭାଇରାଲ ଭିଡିଓ ସହିତ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓ ସହିତ ଥିବା ହ୍ୟାସଟ୍ୟାଗଗୁଡ଼ିକ ହେଉଛି ମାଦ୍ଦୁର, ଗଣେଶ ବିସର୍ଜନ, କର୍ଣ୍ଣାଟକ, ସିଦ୍ଧରମୈୟା। 

ତା’ପରେ ଆମେ ୮ ସେପ୍ଟେମ୍ବର ୨୦୨୫ ରେ ଜଣେ ଇନଷ୍ଟାଗ୍ରାମ ୟୁଜରଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଏକ ଭିଡିଓ ପାଇଲୁ। ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଏହା କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ମାଦ୍ଦୁର ର ଘଟଣା, ଯେଉଁଠାରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ପଥର ଫିଙ୍ଗାଳି ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଧିକ ସର୍ଚ୍ଚ କରିବା ପରେ, ଆମେ ସମୟ ନ୍ୟୁଜ୍ କନ୍ନଡର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ପାଇଲୁ। ଉପଲବ୍ଧ ସୂଚନା ଅନୁଯାୟୀ, ମାଣ୍ଡ୍ୟାରେ ହିନ୍ଦୁ ସଂଗଠନ ସହିତ ଜଡିତ ଲୋକମାନେ ସବୁଜ ପତାକାକୁ ଚିରି ଦେଇଥିଲେ ଏବଂ ଭଗବା ପତାକା ଉତ୍ତୋଳନ କରିଥିଲେ।

୯ ସେପ୍ଟେମ୍ବର, ୨୦୨୫ ରେ ମୁସଲିମ ମିରର ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ଭାଇରାଲ ଭିଡିଓ ସହିତ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପୋଷ୍ଟ ସହିତ ଥିବା କ୍ୟାପ୍ସନରେ କୁହାଯାଇଛି, “ସେପ୍ଟେମ୍ବର ୮ ତାରିଖରେ, କର୍ଣ୍ଣାଟକର ମାଦ୍ଦୁରରେ ଶହ ଶହ ହିନ୍ଦୁତ୍ୱ କର୍ମୀ ନରସିଂହ ସ୍ୱାମୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାର କରିଥିଲେ ଏବଂ ଏକ ମସଜିଦ ନିକଟରେ ଥିବା ଇସଲାମିକ ପତାକାକୁ ବଳପୂର୍ବକ ହଟାଇ ଦେଇଥିଲେ ଏବଂ ତା’ ସ୍ଥାନରେ ଏକ ଭଗବା ପତାକା ଉତ୍ତୋଳନ କରିଥିଲେ।

ଆମେ ଇଣ୍ଡିଆ ଟୁଡେ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆ ର ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୭ ତାରିଖ ଦିନ ମାଦୁର ସହରରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ପଥର ଫିଙ୍ଗା ଘଟଣା ଘଟିଥିଲା, ଯାହା ଫଳରେ ଦୁଇଟି ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ତା’ପରେ ପୋଲିସ ଭିଡ଼କୁ ଘଉଡ଼ାଇ ଦେଇଥିଲା ଏବଂ ବିସର୍ଜନ ପ୍ରକ୍ରିୟା ସମାପ୍ତ କରିବାକୁ ଅନୁମତି ଦେଇଥିଲା। ୮ ସେପ୍ଟେମ୍ବର ରେ, ହିନ୍ଦୁତ୍ୱ କର୍ମୀମାନେ ସହରର ନରସିଂହ ସ୍ୱାମୀ ମନ୍ଦିରରେ ଏକ ପ୍ରଦର୍ଶନ ଆରମ୍ଭ କରିଥିଲେ। ପ୍ରଦର୍ଶନ ସମୟରେ, ଏକ ପୋଲରୁ ସବୁଜ ପତାକା କଢ଼ାଯାଇଥିଲା ଏବଂ ଏକ ଭଗବା ପତାକା ଉତ୍ତୋଳନ କରାଯାଇଥିଲା।

ଡେକାନ୍ ହେରାଲ୍ଡ ରିପୋର୍ଟ ଅନୁଯାୟୀ, ମାଣ୍ଡ୍ୟା ପୋଲିସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ବାଲାଦାଣ୍ଡି ଗଣମାଧ୍ୟମକୁ ସୂଚନା ଦେଉଛନ୍ତି ଯେ ଏହି ଘଟଣାରେ ୨୧ ଜଣଙ୍କୁ ଗିରଫ କରାଯିବା ସହିତ ଏକ ମାମଲା ରୁଜୁ କରାଯାଇଥିଲା।

ଭାଇରାଲ୍ ଭିଡିଓଟିକୁ ଆହୁରି ସ୍ପଷ୍ଟ କରିବା ପାଇଁ, ଆମେ Google Street View ଘଟଣାସ୍ଥଳ ଖୋଜିଥିଲୁ। ଫଳାଫଳରୁ ଜଣାପଡ଼ିଲା ଯେ ସ୍ଥାନଟି କର୍ଣ୍ଣାଟକର ମାଦ୍ଦୁରର ଏକ ମୁଖ୍ୟ ରାସ୍ତା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ନେପାଳର ନୁହେଁ ବାରାଁ କର୍ଣ୍ଣାଟକ ରେ ଗଣେଶ ବିଷର୍ଜନ ଅବସର ର ଏକ ଘଟଣା।

Avatar

Title:ଇସଲାମିକ ପତାକା ବାହାର କରି ଭଗବା ପତାକା ଲଗାଉଥିବା ଭିଡିଓ ନେପାଳର ନୁହେଁ କର୍ଣ୍ଣାଟକର ଅଟେ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *