
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କୁର୍ତା ପିନ୍ଧିଥିବା କିଛି ପିଲା ମାନେ ରେଳ ଟ୍ରାକର ନଟ୍ ଖୋଲୁଛନ୍ତି। ତାଙ୍କ ମଧ୍ୟରୁ ଜଣେ ନଟ୍ ଖୋଳୁଥିବା ବେଳେ ଅନ୍ୟ ଦୁଇ ଜଣ ସେହି ନଟ୍ ଏକତ୍ର କରୁଛନ୍ତି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେ ଏହା ଭାରତର ଏକ ଘଟଣା ଅଟେ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଭାରତର ଏକ ଦୃଶ୍ୟ ଏବଂ ନଟ୍ ଖୋଳୁଥିବା ପିଲା ମାନଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କହୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ପାକିସ୍ତାନର ଘଟଣା ଅଟେ ଯାହା ୨୦୨୩ ମସିହାରେ ଘଟିଥିଲା।
ସମାନ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ମିଳିଲା। ଟୁଇଟରେ ଲେଖା ଯାଇଛି, “ଏହି ବୟସରେ ସେମାନେ ରେଳ ଟ୍ରାକ୍ ନଷ୍ଟ କରୁଛନ୍ତି। କଳ୍ପନା କରନ୍ତୁ, ଆଗାମୀ ୫୦ ବର୍ଷରେ ସେମାନେ କ’ଣ କରିବେ? ଡକ୍ଟର ବାବାସାହେବ ଆମ୍ବେଦକର ଜୀ ତାଙ୍କ ବିଷୟରେ କ’ଣ କହିଛନ୍ତି ତାହା ପଢିବା ଏବଂ ବୁଝିବା ଉଚିତ୍। କେବଳ ତାଙ୍କ ନାମ ଜପ କରିଲେ କିଛି ହେବ ନାହିଁ।“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ସମାନ ଭିଡିଓ ଆମକୁ ପାକିସ୍ତାନୀ ଟାଇମ୍ସ ନାମକ ଫେସବୁକ ଏକାଉଣ୍ଟରେ ୫ ଡିସେମ୍ବର ୨୦୨୩ ରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟରେ ଉଲ୍ଲେଖ କରା ଯାଇଛି ଯେ ଏହା କରାଚିର ‘ସରତାଜ ଖାନ ଫାଟକ’ ନାମକ ରେଳବାଇ ଲାଇନ୍ ନିକଟରେ ଘଟିଥିଲା।
ଆମେ ପାକିସ୍ତାନର କରାଚି ସାଉଥ୍ ଜୋନ୍ ପୋଲିସ୍ ମିଡିଆ ସେଲ୍ ର ଫେସବୁକ୍ ପୋଷ୍ଟ ପାଇଲୁ। ୫ ଡିସେମ୍ବର ୨୦୨୩ ରେ ସେମାନେ ସମାନ ଭିଡିଓ ସେୟାର କରିଥିଲେ। ଉର୍ଦ୍ଦୁରେ ଏହି ପୋଷ୍ଟରେ ଲେଖା ଯାଇଛି ଯେ ‘ବୋଟ ବେସିନ ଚାଉକି’ ନିକଟ ସରତାଜ ଖାନ ଫାଟକ ରେଳ ଲାଇନର ଟ୍ରାକରୁ ନଟ୍ ବୋଲ୍ଟ ଚୋରି ହେବାର ଖବର ଆସିଥିଲା। ଏହି ପୋଷ୍ଟରେ ଆହୁରି କୁହାଯାଇଛି ଯେ “ଡିଜି ସାଉଥଙ୍କ ନିର୍ଦ୍ଦେଶରେ SHO Bot Besan କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେଳ ଫାଟକରୁ ସାମଗ୍ରୀ ଚୋରି କରିଥିବା ନାବାଳକମାନଙ୍କୁ ପୋଲିସ ଷ୍ଟେସନକୁ ଆଣିଥିଲେ। ପିଲାମାନେ ଛୋଟ ଥିବାରୁ ସେମାନଙ୍କର ପିତାମାତାଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା। ଅଭିଭାବକମାନେ ନିଶ୍ଚିତ ହେବା ପରେ ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିଲା ”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପିଲା ମାନେ ରେଳ ଟ୍ରାକର ନଟ୍ ଏବଂ ବୋଳ୍ଟ ଚୋରୀ କରୁଥିବା ଏକ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗରେ ସେୟାର କରା ଯାଉଛି। ଏହା ପାକିସ୍ତାନର ଏକ ପୁରୁଣା ଘଟଣା ଯାହାକୁ ଭାରତର ହେଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

Title:ପାକିସ୍ତାନରେ କିଛି ଲୋକେ ରେଳବାଇ ଟ୍ରାକ୍ ନଷ୍ଟ କରୁଥିବାର ପୁରୁଣା ଭିଡିଓକୁ ଭାରତର ଘଟଣା ଦାବି ସହିତ ଭାଇରାଲ କର ଯାଉଛି।
Written By: Siddharth SahuResult: False
