
ସେତୁ, ରାସ୍ତା, ଏବଂ ରାଜପଥର ନିର୍ମାଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଆଦାୟ କରିବା ଟୋଲ୍ ଟିକସ ଆଦାଯ କରା ଯାଇଥାଏ। ଚାରି ଚକିଆ ଏବଂ ଭାରୀ ଯାନଗୁଡ଼ିକ ଠାରୁ ସାଧାରଣତଃ ଟୋଲ୍ ଆଦାୟ କରାଯାଏ, ମୋଟରସାଇକେଲ୍ ଏବଂ ସ୍କୁଟର ଭଳି ଦୁଇ ଚକିଆ ଯାନଗୁଡ଼ିକ ଅଧିକାଂଶ ଜାତୀୟ ଏବଂ ରାଜ୍ୟ ରାଜପଥରେ ଛାଡ଼ ପାଆନ୍ତି।
କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଘୂରିବୁଲୁଛି ଯେ ସରକାର ଦୁଇଚକିଆ ଯାନଗୁଡ଼ିକ ଉପରେ ମଧ୍ୟ ଟୋଲ୍ ଟିକସ ଆଦାୟ କରିବା ନିଷ୍ପତ୍ତି ନେଇଛି। ଦାବି ଅନୁଯାୟୀ, ଜାତୀୟ ରାଜପଥର ଟୋଲ୍ ରେ ଏଣିକି ଦୁଇଚକିଆ ଯାନଗୁଡ଼ିକୁ ମଧ୍ୟ ଟ୍ଯାକ୍ସ ଦେବାକୁ ପଡ଼ିବ। ୧୫ ଜୁଲାଇ ତାରିଖରୁ ଏହି ନିୟମ ଲାଗୁ ହେବ।
ଆମ ଅନୁସନ୍ଧାନ:
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଭାଇରାଲ ଦାବି ମିଥ୍ୟା ବୋଲି ଜଣା ପଡ଼ିଛି। କେନ୍ଦ୍ର ପରିବହନ ମନ୍ତ୍ରଣାଳୟ କିମ୍ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏପରି କୌଣସି ନିଷ୍ପତ୍ତି ନେଇନାହାଁନ୍ତି।
କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟ୍ୱିଟରରେ ପରିସ୍ଥିତି ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “କିଛି ଗଣମାଧ୍ୟମ ପ୍ଲାଟଫର୍ମ ଦୁଇ ଚକିଆ ଯାନ ଉପରେ ଟୋଲ୍ ଆଦାୟ କରାଯିବ ବୋଲି ଭ୍ରାମକ ଖବର ପ୍ରସାର କରୁଛନ୍ତି। ଏହା ସତ୍ୟ ନୁହେଁ। ଏପରି କୌଣସି ପ୍ରସ୍ତାବ ନାହିଁ। ଦୁଇ ଚକିଆ ଯାନ ସମ୍ପୂର୍ଣ୍ଣ ଟୋଲ୍ ମୁକ୍ତ ରହିବ। ତଥ୍ୟ ଯାଞ୍ଚ ନକରି ମିଥ୍ୟା ଖବର ପ୍ରସାରଣ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଦାୟିତ୍ବପୂର୍ଣ୍ଣ ସାମ୍ବାଦିକତା ନୁହେଁ। ମୁଁ ଏହାକୁ ନିନ୍ଦା କରୁଛି।“
ତାଙ୍କ ଟ୍ୱିଟ୍ରେ, ଗଡକରୀ ନ୍ୟୁଜ୍ ଚ୍ୟାନେଲ୍ TV9 ଭାରତବର୍ଷ କୁ ମଧ୍ୟ ଟ୍ୟାଗ୍ କରିଛନ୍ତି, ଯାହା ପୂର୍ବରୁ ରିପୋର୍ଟ କରିଥିଲା ଯେ ୧୫ ଜୁଲାଇରୁ ଦୁଇଚକିଆ ଯାନଗୁଡ଼ିକୁ ଟୋଲ୍ ଦେବାକୁ ପଡିବ। ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ, TV9 ସେମାନଙ୍କର ଭୁଲ ସ୍ୱୀକାର କରିଛି ଏବଂ ଏକ ସଂଶୋଧନ ରିପୋର୍ଟ ଜାରି କରିଛି, ଯାହା ନିଶ୍ଚିତ କରିଛି ଯେ ଏପରି କୌଣସି ଯୋଜନା ନାହିଁ ଏବଂ ଦୁଇଚକିଆ ଯାନ ଉପରେ ଟୋଲ୍ ଆଦାୟ କରାଯିବ ନାହିଁ।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ମଧ୍ୟ ଭାଇରାଲ୍ ଦାବିକୁ ଖଣ୍ଡନ କରି ଟ୍ୱିଟ୍ କରିଛି। ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୁଇଚକିଆ ଯାନ ଉପରେ କୌଣସି ଟୋଲ୍ ଆଦାୟ କରାଯିବ ନାହିଁ ଏବଂ ପ୍ରସାରିତ ରିପୋର୍ଟଗୁଡ଼ିକ ମିଥ୍ୟା।
ଦୁଇ ଚକିଆ ଯାନ ପାଇଁ କୌଣସି ଟୋଲ୍ ନାହିଁ, କିନ୍ତୁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଏକ୍ସପ୍ରେସୱେରେ ଦୁଇ ଚକିଆ, ତିନି ଚକିଆ, ସାଇକେଲ ଏବଂ ପଶୁ ଦ୍ୱାରା ଟାଣି ନିଆଯାଇଥିବା ଯାନଗୁଡ଼ିକୁ ଅନୁମତି ନାହିଁ। ଏହି ପ୍ରତିବନ୍ଧକ ଟୋଲ୍ ଶୁଳ୍କ ଯୋଗୁଁ ନୁହେଁ, ସୁରକ୍ଷା କାରଣରୁ ରହିଛି। ଆପଣ ଏଠାରେ, ଏଠାରେ ଏବଂ ଏଠାରେ ଖବର ପଢ଼ିପାରିବେ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ରାଜପଥ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏକ୍ସପ୍ରେସୱେ ନେଟୱାର୍କରେ କେବଳ ଅତି କମରେ ଚାରି ଚକିଆ ଯାନବାହନ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି। ଏହି ରାସ୍ତାଗୁଡ଼ିକରେ ଯେକୌଣସି ପ୍ରତିବନ୍ଧିତ ଯାନ ଦେଖାଗଲେ ତାହାକୁ ଅଟକାଇ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯିବ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କେନ୍ଦ୍ର ପରିବହନ ମନ୍ତ୍ରଣାଳୟ କିମ୍ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦୁଇଚକିଆ ଉପରେ ଟୋଲ୍ ଟ୍ଯାକ୍ସ ଆଦାୟ ନେଇ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।

Title:ଜାତୀୟ ରାଜପଥରେ ଦୁଇଚକିଆ ଯାନକୁ ଦେବାକୁ ପଡିବ ନାହିଁ ଟୋଲ୍; ମିଥ୍ୟା ଦାବି ଭାଇରାଲ୍।
Fact Check By: Siddharth SahuResult: False
