
ରାଜସ୍ଥାନର ଜୟପୁରରେ କଂଗ୍ରେସ ପାର୍ଟି କାର୍ଯ୍ୟାଳୟର ଉଦଘାଟନ ସମୟରେ କଲମା (ଇସଲାମିକ ପ୍ରାର୍ଥନା) ପାଠ କରାଯାଉଥିବାର ଦାବି ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଫୁଟେଜରେ ଅନେକ ଲୋକ ଏକାଠି ହୋଇଥିବା ଦେଖାଯାଉଛି ଏବଂ ଆପଣ ବୈଠକ ସମୟରେ କୁରାନ୍ କଲମା ପାଠ ହେଉଥିବାର ଶୁଣିପାରିବେ। ଦାବି କରାଯାଉଛି ଯେ କଂଗ୍ରେସ ପାର୍ଟି ଜୟପୁରରେ ଏକ ନୂତନ କାର୍ଯ୍ୟାଳୟ ଖୋଲିଛି ଏବଂ ଏହାର ଉଦଘାଟନ ଉପଲକ୍ଷେ କଲମା ପାଠ କରାଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ। ଏଥିରେ ୩୧ ଅକ୍ଟୋବର, ୨୦୨୩ ରେ କଂଗ୍ରେସ ପାର୍ଟି ମୁଖ୍ୟାଳୟ, ଜୟପୁରରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିରେ ଆୟୋଜିତ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଦର୍ଶାଯାଇଛି।
ସମାନ ଭିଡିଓ ଆମକୁ ଇଂଷ୍ଟାଗ୍ରାମ୍ ରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିଲୁ ଯେ ସେଥିରେ ‘ହୀନା ଖାନ ଲାଇଭ୍’ ବୋଲି ଉଲ୍ଲେଖ ହୋଇଛି। ଭାଇରାଲ ଭିଡିଓ ଟି ଏକ ଫେସବୁକ ଲାଇଭ୍ ଭିଡିଓର ସ୍କ୍ରିନ୍ ରେକର୍ଡିଂ ବୋଲି ମାନେ ହେଉଛି।
ଏହି ତଥ୍ୟକୁ ନଜରରେ ରଖି ଆମେ ହୀନା ଖାନ ନାମକ ଫେସବୁକ୍ ଆକାଉଣ୍ଟ ସର୍ଚ୍ଚ କରିଲୁ। ସୂଚନା ଅନୁଯାୟୀ, ହୀନା ଖାନ ଜୟପୁର ନଗର ଜିଲ୍ଲା କମିଟିର ସାଧାରଣ ସଚିବ। ତାଙ୍କ ଆକାଉଣ୍ଟ ଖୋଜିବା ପରେ, ଆମେ ୩୧ ଅକ୍ଟୋବର ୨୦୨୩ ରେ ସେୟାର କରାଯାଇଥିବା ଏକ ପୋଷ୍ଟ ପାଇଲୁ, ଯାହାର କ୍ୟାପସନ ଥିଲା, “ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।” ସେଠାରେ ସେୟାର କରାଯାଇଥିବା ଚିତ୍ରଗୁଡ଼ିକ ଭାଇରାଲ ଭିଡିଓ ସହିତ ସମାନ ମନେ ହେଉଥିଲା। ଆପଣ ସେଗୁଡ଼ିକୁ ତଳେ ଦେଖିପାରିବେ।
ଫେସବୁକ୍ ଫଟୋ ଏବଂ ଭାଇରାଲ ଭିଡିଓର ସ୍କ୍ରିନସଟ୍ର ତୁଳନା ତଳେ ଦେଖାଯାଇପାରିବ, ଯାହା ସୂଚିତ କରେ ଯେ ଏହା ସମାନ ଘଟଣାର।

ଉପରୋକ୍ତ ତଥ୍ୟ ବ୍ୟବହାର କରି ଆମେ ଅଧିକ ସର୍ଚ୍ଚ କରିବା ପରେ ୩୧ ଅକ୍ଟୋବର ୨୦୨୩ ରେ ଡିଡି ନ୍ୟୁଜରେ ପ୍ରସାରିତ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭାର ଏକ ଭିଡିଓ ପାଇଲୁ। ଏଥିରେ କଂଗ୍ରେସ ନେତ୍ରୀ ହୀନା ଖାନଙ୍କୁ ଦେଖିବାକୁ ମିଳିପାରିବ।
ଆମେ କଂଗ୍ରେସ ଦଳର ନେତ୍ରୀ ଏବଂ ରାଜସ୍ଥାନ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସଙ୍ଗୀତା ବେନିୱାଲଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟ ମଧ୍ୟ ପାଇଲୁ। ପୋଷ୍ଟରେ ସେହି ବୈଠକର ଏକ ଭିଡିଓ ଅଛି, ପୃଷ୍ଠଭୂମିରେ ‘ରଘୁପତି ରାଘବ ରାଜା ରାମ’ ଗୀତ ଶୁଣାଯାଉଛି। ଏହି ଭିଡିଓରେ ହୀନା ଖାନଙ୍କୁ ମଧ୍ୟ ଦେଖିହେବ।
ଫ୍ୟାକ୍ଟ କ୍ରିଷେଣ୍ଡୋ ବେନିୱାଲଙ୍କ ସହିତ ଯୋଗାଯୋଗ କରିଲା। ସେ କହିଛନ୍ତି, “ଭାଇରାଲ୍ ଭିଡିଓଟି ଅସମ୍ପୂର୍ଣ୍ଣ ଭାବରେ ସେୟାର କରାଯାଉଛି। କାର୍ଯ୍ୟକ୍ରମରେ ସମସ୍ତ ଧର୍ମର ପ୍ରାର୍ଥନା କରାଯାଇଥିଲା। ହିନ୍ଦୁ ଭଜନ ଗାନ କରାଯାଇଥିଲା, ଶିଖମାନେ ସେମାନଙ୍କର ପ୍ରାର୍ଥନା କରିଥିଲେ, ସେହିପରି ଖ୍ରୀଷ୍ଟିଆନ ଏବଂ ମୁସଲମାନମାନେ କୁରାନରୁ କଲମା ପାଠ କରିଥିଲେ। ମୁଁ ନିଜେ ସମାବେଶରେ ଉପସ୍ଥିତ ଥିଲି।”
ଆମେ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଚିବ ସ୍ୱର୍ଣ୍ଣିମ ଚତୁର୍ବେଦୀଙ୍କ ଏକ ଟ୍ୱିଟ୍ ପାଇଲୁ, ଯିଏ ୨ ଅଗଷ୍ଟ ୨୦୨୪ ରେ ଭିଡିଓଟିକୁ ରିଟ୍ୱିଟ୍ କରିଥିଲେ ଏବଂ ଦାବିକୁ ଖାରଜ କରି କହିଥିଲେ ଯେ ଭିଡିଓଟି ଜୟପୁରରେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ସର୍ବଧର୍ମ ପ୍ରାର୍ଥନା ସମାବେଶକୁ ଦର୍ଶାଉଛି। ଟ୍ୱିଟ୍ ରେ କୁହାଯାଇଛି, “ଜୟପୁରରେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ସମାବେଶର ଏକ ଭିଡିଓ କ୍ଲିପ୍, ଯେଉଁଥିରେ ଭଜନ, ଗୁରବାନୀ, ବାଇବଲ ଏବଂ କୁରାନ ପାଠ କରାଯାଇଛି, ଏହାକୁ କଂଗ୍ରେସ ଦଳ ବିରୁଦ୍ଧରେ ଦୂଷିତ ପ୍ରଚାର ପ୍ରସାର ପାଇଁ ବ୍ୟବହାର କରାଯାଉଛି। କଂଗ୍ରେସ ଦଳ ଖୁବ୍ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।“
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ୩୧ ଅକ୍ଟୋବର, ୨୦୨୩ ରେ କଂଗ୍ରେସ ପାର୍ଟି ମୁଖ୍ୟାଳୟ, ଜୟପୁରରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିରେ ଆୟୋଜିତ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଭିଡିଓ। ଏହି ସଭାରେ ଅନେକ ଧର୍ମର ପ୍ରାର୍ଥନା ହୋଇଥିଲା।
Title:ପୁରୁଣା ସର୍ବଧର୍ମ ପ୍ରାର୍ଥନା ସଭା ଭିଡିଓକୁ କଂଗ୍ରେସ କାର୍ଯ୍ୟାଳୟରେ କଲମା ପାଠ ହେଉଥିବା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: Misleading


