
ବର୍ତ୍ତମାନ ଅସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଶିବିରସ୍ଥଳରେ କିଛି ଲୋକ ବୁଲୁଥିବା ସମୟରେ ସେଠାରେ ବୋମା ବିସ୍ଫୋରଣ ହେଉଛି। ଫଳରେ ଲୋକମାନେ ଆତଙ୍କିତ ହୋଇ ସେଠାରୁ ଦଉଡ଼ି ପଳାଇବା ଚେଷ୍ଟା କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଭାରତର ପାକିସ୍ତାନ ଉପରେ ଆକ୍ରମଣର ଏକ ଦୃଶ୍ୟ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ଭାରତ-ପାକିସ୍ତାନ ଯୁଧ୍ୟର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓର ସ୍କ୍ରିନଶଟ୍ ନେଇ ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୧୫ ନଭେମ୍ବର ୨୦୨୪ ରେ ଦି ନ୍ୟୁୟର୍କ ଟାଇମ୍ସର ଟୁଇଟର ହେଣ୍ଡେଲରେ ସମାନ ଭିଡିଓ ଟୁଇଟ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “ବୁଧବାର ଦିନ ଦକ୍ଷିଣ ଗାଜାରେ ହଜାର ହଜାର ବିସ୍ଥାପିତ ପାଲେଷ୍ଟାଇନୀଙ୍କ ପାଇଁ ମାନବିକ କ୍ଷେତ୍ର ଭାବରେ ନାମିତ ଏକ ଘନ ଜନବସତି ବିଶିଷ୍ଟ ତମ୍ବୁ ଶିବିର ଉପରେ ଇସ୍ରାଏଲୀ ସେନା ବୋମା ମାଡ଼ କରିଥିଲା।”
୧୪ ନଭେମ୍ବର ୨୦୨୪ ରେ ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, “ଇସ୍ରାଏଲୀ ସେନା ଦକ୍ଷିଣ ଗାଜାରେ ହଜାର-ହଜାର ବିସ୍ଥାପିତ ପାଲେଷ୍ଟାଇନୀଙ୍କ ପାଇଁ ଏକ ମାନବିକ କ୍ଷେତ୍ର ଭାବରେ ମନୋନୀତ ଏକ ଘନ ଜନବସତି ବିଶିଷ୍ଟ ଶିବିର ଉପରେ ବୋମା ମାଡ଼ କରିଛି, ଏବଂ କହିଛି ଯେ ଏହି ବିମାନ ଆକ୍ରମଣ ସେହି ଅଞ୍ଚଳରେ ଥିବା ଏକ ଲୋଡେଡ୍ ଅସ୍ତ୍ରଶସ୍ତ୍ର ଲଞ୍ଚରକୁ ଟାର୍ଗେଟ କରିଥିଲା।”
ପାଲେଷ୍ଟାଇନୀ ସମାଚାର ଏଜେନ୍ସି ୱାଫା ଏବଂ ଆହତମାନଙ୍କୁ ନିଆଯାଇଥିବା ଏକ ମେଡିକାଲ ସେଣ୍ଟରରେ କାର୍ଯ୍ୟରତ ଜଣେ ପାରାମେଡିକ୍ କହିଛନ୍ତି ଯେ ବୁଧବାର ଦିନ ହୋଇଥିବା ଅଲ-ମାୱାସି ନାମକ ଜୋନରେ ହୋଇଥିବା ବିମାନ ଆକ୍ରମଣରେ ଅତି କମରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ୱାଫା ରିପୋର୍ଟ କରିଛି ଯେ ପୀଡିତ ଜଣେ ଶିଶୁ ଥିଲେ ଏବଂ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲୀ ସେନା କହିଛି ଯେ ସେମାନେ ଲଞ୍ଚରକୁ ଟାର୍ଗେଟ କରିଥିଲେ କାରଣ ଏହା ଇସ୍ରାଏଲୀ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା କିନ୍ତୁ ଅଧିକ ବିବରଣୀ ଦେଇନାହିଁ।
ସମାନ ଭିଡିଓ ଆମକୁ ୧୪ ନଭେମ୍ବର ୨୦୨୪ ରେ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା।
https://www.instagram.com/reel/DCU8_eZNdZ5/?utm_source=ig_web_copy_link&igsh=MzRlODBiNWFlZA==
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ଭାରତ-ପାକିସ୍ତାନ ଯୁଧ୍ୟର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Title:ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ଭାରତ-ପାକିସ୍ତାନ ଯୁଧ୍ୟର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
