
ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ ମେଡିକାଲ କଲେଜର ଅନେକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ, ଏକ ବିଲଡିଙ୍ଗ ନିକଟରେ ଗାଡ଼ିଗୁଡ଼ିକ ପାର୍କିଂ ହେଇଥିବା ବେଳେ, ସେଠାରେ ବିସ୍ଫୋରଣ ହେଉଛି। ଭିଡିଓଟି ସେୟାର କରି ଦାବି କରାଯାଉଛି ଯେ ଏହି ଭିଡିଓଟି ଅହମ୍ମଦାବାଦର ମେଡିକାଲ କଲେଜର ହଷ୍ଟେଲରେ ହୋଇଥିବା ବିମାନ ଦୁର୍ଘଟଣାର ଫୁଟେଜ୍।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଲେବାନନରେ ପୁରୁଣା ବିସ୍ଫୋରଣର ଭିଡିଓ କୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଶ୍ୟ ଭାବରେ ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ, ଆମେ ଶେଖ ରାଘେବ ହର୍ବ ବିଶ୍ୱବିଦ୍ୟାଳୟ ହସ୍ପିଟାଲ ନାମକ ଏକ ଟୁଇଟର ହ୍ୟାଣ୍ଡେଲରେ ଭାଇରାଲ୍ ଭିଡିଓଟି ପାଇଲୁ। ଭିଡିଓଟି ୫ ଫେବୃଆରୀ ୨୦୨୫ ରେ ସେୟାର କରାଯାଇଥିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ୍ ଭିଡିଓଟି ସାମ୍ପ୍ରତିକ ନୁହେଁ। ଏହା ଏୟାର ଇଣ୍ଡିଆ ଦୁର୍ଘଟଣା ପୂର୍ବର।
ଭିଡିଓର କ୍ୟାପ୍ସନ୍ ରେ ଉଲ୍ଲେଖ କରା ଯାଇଛି ଯେ ଏହା ଶେଖ ରାଘେବ ହର୍ବ ବିଶ୍ୱବିଦ୍ୟାଳୟ ହସ୍ପିଟାଲର ଇସ୍ରାଏଲ୍ ଆକ୍ରମଣ ସମୟର ଦୃଶ୍ୟ ଅଟେ।
ଆମେ ଭାଇରାଲ୍ ଭିଡିଓଟିକୁ ଭଲଭାବେ ଦେଖିଲୁ। ଆମେ ଦେଖିଲୁ ଯେ ଏହାର ତଳେ ରାଘେବ ହର୍ବ ବିଶ୍ୱବିଦ୍ୟାଳୟ ହସ୍ପିଟାଲ ଲେଖାଯାଇଛି। ଆମେ ଗୁଗୁଲରେ ଏହା ବିଷୟରେ ଖୋଜିଲୁ। ଆମେ ଜାଣିବାକୁ ପାଇଲୁ ଯେ ଶେଖ ରାଘେବ ହର୍ବ ବିଶ୍ୱବିଦ୍ୟାଳୟ ହସ୍ପିଟାଲ ଲେବାନନରେ ଅବସ୍ଥିତ। ସନ୍ଧାନ ସମୟରେ, ଆମେ ଶେଖ ରାଘେବ ହର୍ବ ବିଶ୍ୱବିଦ୍ୟାଳୟ ହସ୍ପିଟାଲର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ମଧ୍ୟ ପାଇଲୁ। ଭିଡିଓଟି ୫ ଫେବୃଆରୀ ୨୦୨୫ ରେ ସେୟାର କରାଯାଇଥିଲା ଏବଂ ଏହା ଶେଖ ରାଘେବ ହସ୍ପିଟାଲର ବୋଲି କୁହାଯାଉଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓର ଅହମ୍ମଦାବାଦ ବିମାନ ଦୁର୍ଘଟଣା ସହିତ କୌଣସି ସମ୍ପର୍କ ନାହିଁ। ଲେବାନନରେ ପୁରୁଣା ବିସ୍ଫୋରଣର ଭିଡିଓ କୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଶ୍ୟ ଭାବରେ ସେୟାର କରା ଯାଉଛି।

Title:ଲେବାନନରେ ବିସ୍ଫୋରଣର ଭିଡିଓ କୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଶ୍ୟ ଭାବରେ ସେୟାର କରା ଯାଉଛି।
Fact Check By: Siddharth SahuResult: False
