ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରୁଥିବା ଯୁବକମାନଙ୍କୁ ପୁଣେ ପୋଲିସ ମାଡ଼ ମାରିବାର ଏକ ପୁରୁଣା ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ୍ ହେଉଛି।

Misleading Social

ଦୁଇଜଣ ଯୁବକ ହାତରେ ଅସ୍ତ୍ରଶସ୍ତ୍ର ଧରି ରାସ୍ତାରେ ଦୋକାନୀଙ୍କୁ ଆକ୍ରମଣ କରୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଦୁଇଜଣ ଯୁବକ ପ୍ରଥମେ ଦୋକାନ ଭଙ୍ଗାରୁଜା କରୁଛନ୍ତି ଏବଂ ତା’ପରେ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଏହା ପରେ ପୋଲିସ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ମାଡ଼ ମାରୁଛନ୍ତି। 

ଭିଡିଓ ସେୟାର କରି ଦାବି କରାଯାଉଛି ଯେ ରାସ୍ତାରେ ଏପରି ଆକ୍ରମଣ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ସେହି ଯୁବକଙ୍କୁ ମାଡ଼ ମାରୁଛନ୍ତି। ପୋଷ୍ଟର କ୍ୟାପସନରେ ଲେଖାଯାଇଛି, “ଉତ୍ତରପ୍ରଦେଶରେ ଆତଙ୍କ ଖେଲାଉଥିବା ଦୃଶ୍ୟ, ତା’ପରେ ଯୋଗୀ ଷ୍ଟାଇଲ୍

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ ଡିସେମ୍ବର ୨୯, ୨୦୨୨ ରେ ମିରର୍ ନାଓ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ, ଯେଉଁଥିରେ ଭାଇରାଲ୍ ଭିଡିଓଟି ମଧ୍ୟ ସେୟାର କରାଯାଇଥିଲା। ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ପୁନେ ଜିଲ୍ଲାରେ, ଏକ ଗୋଷ୍ଠୀ ଗଣ୍ଡଗୋଳ ସୃଷ୍ଟି କରିଥିଲେ ଏବଂ ଅନେକ ଦୋକାନ ଭଙ୍ଗାରୁଜା କରିଥିଲେ। ଘଟଣାଟି ସିଂହଗଡ଼ କଲେଜ ଅଫ୍ ଇଞ୍ଜିନିୟରିଂ ନିକଟରେ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ​​ଏବଂ ପିଟିଥିଲେ। 

ତଦନ୍ତ ସମୟରେ, ଆମେ ଆଜ୍ ତକ୍ ର ଏକ ରିପୋର୍ଟ ପାଇଲୁ ଯାହା ୩୦ ଡିସେମ୍ବର ୨୦୨୨ ରେ ପ୍ରକାଶିତ ହୋଇଥିଲା। ସୂଚନା ଅନୁଯାୟୀ, ପୁଣେ ସହରରେ କୋଇତା ଗ୍ୟାଙ୍ଗର ଦିନକୁ ଦିନ ବୃଦ୍ଧି ପାଉଥିବା ଆତଙ୍କ ଯୋଗୁଁ ଲୋକମାନେ ଅସୁବିଧାରେ ପଡ଼ିଥିଲେ। ଡିସେମ୍ବର ୨୮ ତାରିଖରେ ଭାରତୀୟ ବିଦ୍ୟାପୀଠ ପୋଲିସ ଷ୍ଟେସନ ଅଞ୍ଚଳରେ ଦୁଇଜଣ ଯୁବକ ହାତରେ ଛୁରୀ ଏବଂ ଧାରୁଆ ଅସ୍ତ୍ର ଧରି ଦୋକାନ ଭିତରକୁ ପଶି ଲୋକଙ୍କୁ ଧମକ ଦେଇ ଆହତ କରିଥିଲେ। ଯାହା ପରେ, ପୋଲିସ ସୂଚନା ପାଇବା ମାତ୍ରେ ଅପରାଧୀମାନଙ୍କୁ ଖୋଜାଖୋଜି କରିଥିଲା। ଜଣେ ଅପରାଧୀ ଖସିଯିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଧରି ମାଡ଼ ମାରିଥିଲା।

ସମାନ ଖବର ଆପଣ ମାନେ ANI ର ଟୁଇଟରେ ମଧ୍ୟ ଦେଖି ପାରିବେ ଯାହା ୩୦ ଡିସେମ୍ବର ୨୦୨୨ ରେ ପୋଷ୍ଟ ହେଇଥିଲା।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଘଟଣାଟି ଡିସେମ୍ବର ୨୯, ୨୦୨୨ ରାତି ୧୦ ଟାରେ ସିଂହଗଡ଼ ଲ’ କଲେଜ କ୍ୟାମ୍ପସ ନିକଟରେ ଥିବା ବିରାଜ ହାଇଟ୍ସ ବିଲଡିଙ୍ଗର ବେସମେଣ୍ଟରେ ଘଟିଥିଲା। ରିପୋର୍ଟରେ ଅଧିକାରୀମାନଙ୍କୁ ଉଦ୍ଧୃତ କରି କୁହାଯାଇଛି ଯେ ଭାରତୀ ବିଦ୍ୟାପୀଠ ପୋଲିସ ଜଣେ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଜଣେ ନାବାଳକକୁ ଅଟକ ରଖିଥିଲା, ଯେତେବେଳେ ତାଙ୍କ ସହଯୋଗୀ କିରଣ ଦଲଭି, ଯିଏ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲେ, ଫେରାର୍ ହୋଇଥିଲେ। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଦୁଇ ଅଭିଯୁକ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରୁଥିଲେ, ଏବଂ ଦୋକାନ ମାଲିକମାନଙ୍କୁ ଦୋକାନ ବନ୍ଦ କରିବାକୁ ବାଧ୍ୟ କରିଥିଲେ। ଅଭିଯୁକ୍ତମାନେ ରାସ୍ତାକଡରେ ଥିବା ମୋଟରସାଇକେଲ ଏବଂ ଖାଦ୍ୟ ଦୋକାନଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। 

ରିପୋର୍ଟରେ ଭାରତୀ ବିଦ୍ୟାପୀଠ ପୋଲିସ ଷ୍ଟେସନର ବରିଷ୍ଠ ନିରୀକ୍ଷକ ଶ୍ରୀହରି ଭୈରଟ କହିଥିଲେ ଯେ, “ଅଭିଯୁକ୍ତ ପୀଡିତାଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ ଏବଂ ଏହା ପଛରେ କୌଣସି ଉଦ୍ଦେଶ୍ୟ ନଥିଲା। ଅଞ୍ଚଳରେ ଭୟ ଏବଂ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଘଟଣା କରାଯାଇଥିଲା।” 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରୁଥିବା ଯୁବକମାନଙ୍କୁ ପୁଣେ ପୋଲିସ ମାଡ଼ ମାରିବାର ଏକ ପୁରୁଣା ଭିଡିଓକୁ ଉତ୍ତରପ୍ରଦେଶର ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରୁଥିବା ଯୁବକମାନଙ୍କୁ ପୁଣେ ପୋଲିସ ମାଡ଼ ମାରିବାର ଏକ ପୁରୁଣା ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ୍ ହେଉଛି।

Written By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *