
ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଏସିଆ କ୍ରିକେଟ ପରିଷଦର ଅଧ୍ୟକ୍ଷ ମୋହସିନ ନକଭିଙ୍କ ଠାରୁ ବିଜେତା ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ, ଯିଏ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଏବଂ ସେଠିକାର ଜଣେ ମନ୍ତ୍ରୀ।
ବିଜୟ ପରେ, ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପାକିସ୍ତାନୀ ପ୍ରଶଂସକମାନେ ଷ୍ଟାଡିୟମ ଭିତରେ ଚେୟାର ଫିଙ୍ଗିଥିବାର ଦାବି କରାଯାଇଥିଲା। ପୋଷ୍ଟର କ୍ୟାପସନରେ ଲେଖାଯାଇଛି, “ପାକିସ୍ଥାନି ପାଗଳ ହୋଇଗଲାଣି। କ୍ରୀକେଟ୍ ରେ ହାରିଲା ପରେ ଦୁବାଇର ଷ୍ଟାଡିୟମ ରେ ଭଙ୍ଗାରୁଜା କରୁଛନ୍ତି।“
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ୨୦୨୨ ଏସିଆ କପ୍ ର ଏକ ପୁରୁଣା ଭିଡିଓ ଯେତେବେଳେ ଆଫଘାନିସ୍ତାନ ପ୍ରଶଂଶକ ମାନେ ପାକିସ୍ତାନ ଠାରୁ ପରାସ୍ତ ହେବା ପରେ ଷ୍ଟାଡିୟମ ଭଙ୍ଗାରୁଜା କରିଥିଲେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ TRT World ୟୁଟ୍ୟୁବ ଚ୍ୟାନାଲରେ ୩ ବର୍ଷ ପୂର୍ବରୁ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନରେ ଲେଖା ଯାଇଛି, “ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ହାରିବା ପରେ ଆଫଗାନିସ୍ତାନ କ୍ରିକେଟ୍ ପ୍ରଶଂସକମାନେ ଚେୟାର ଫିଙ୍ଗିଲେ।”
ଅଧିକ ସର୍ଚ୍ଚ କରିବା ପରେ ଏହି ଘଟଣା ସମ୍ବନ୍ଧୀୟ ସେହି ସମୟର ଏକ ଖବର ରିପୋର୍ଟ ପାଇଲୁ। ଭିଡିଓଟି ୭ ସେପ୍ଟେମ୍ବର ୨୦୨୨ ରେ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ୍ ପରେ ପ୍ରଶଂସକଙ୍କ ଝଗଡ଼ା ଦର୍ଶାଉଛି। ଶାରଜା ଷ୍ଟାଡିୟମ ଭିତରେ ଏହି ଝଗଡ଼ା ଆରମ୍ଭ ହୋଇଥିଲା, ଯେଉଁଠାରେ ଆଫଗାନିସ୍ତାନ ପ୍ରଶଂସକମାନେ ନିଜ ଦଳର ଗୋଟିଏ ୱିକେଟ୍ ପରାଜୟ ପରେ ସେମାନଙ୍କର ଭାବନାକୁ ସମ୍ଭାଳି ନ ପାରି ପାକିସ୍ତାନ ସମର୍ଥକମାନଙ୍କୁ ଆକ୍ରମଣ କରିଥିଲେ ଏବଂ ଷ୍ଟାଡିୟମରେ ଭଙ୍ଗାରୁଜା କରିଥିଲେ।

ଆମେ ଇଣ୍ଡିଆ ଟାଇମ୍ସର YouTube ଚ୍ୟାନେଲରେ ଏକ ଭିଡିଓ ରିପୋର୍ଟ ପାଇଲୁ, ଯାହା ୮ ସେପ୍ଟେମ୍ବର ୨୦୨୨ ରେ “ଏସିଆ କପ୍ ୨୦୨୨: ଆଫଗାନିସ୍ତାନ ଏବଂ ପାକିସ୍ତାନ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ଏବଂ ଷ୍ଟାଡିୟମରେ ଭଙ୍ଗାରୁଜା” ଶୀର୍ଷକରେ ଅପଲୋଡ୍ କରାଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ୨୦୨୨ ଏସିଆ କପ୍ ର ଏକ ପୁରୁଣା ଭିଡିଓ ଯେତେବେଳେ ଆଫଘାନିସ୍ତାନ ପ୍ରଶଂଶକ ମାନେ ପାକିସ୍ତାନ ଠାରୁ ପରାସ୍ତ ହେବା ପରେ ଷ୍ଟାଡିୟମ ଭଙ୍ଗାରୁଜା କରିଥିଲେ।

Title:ଏସିଆ କପ୍ ଫାଇନାଲରେ ଭାରତଠାରୁ ହାରିବା ପରେ ପାକିସ୍ତାନୀ ପ୍ରଶଂସକଙ୍କ ପ୍ରତିକ୍ରିୟା ଦର୍ଶାଉଥିବା ପୁରୁଣା ଭିଡିଓ ଭାଇରାଲ ହେଉଛି।
Fact Check By: Siddharth SahuResult:Misleading
