
ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ ପରେ, ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହି ସମୟରେ, ଗୋଟିଏ କାର ର ଡ୍ୟାସକ୍ୟାମର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟିକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ, “ଏହା ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପର ଏକ ଭିଡିଓ।”
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଏବଂ ଏହାର ଜାପାନରେ ଘଟିଥିବା ସାମ୍ପ୍ରତିକ ଭୂମିକମ୍ପ ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଗତକାଲି ଜାପାନ ରେ ହୋଇଥିବା ଭୂମିକମ୍ପ ର ଦୃଶ୍ୟ”
ଆମ ଅନୁସନ୍ଧାନ:
ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ୮ ଡିସେମ୍ବର ୨୦୨୫ ରେ ଜାପାନର ଆଓମୋରି ଉପକୂଳରୁ ୮୦ କିଲୋମିଟର ଦୂର ପ୍ରଶାନ୍ତ ମହାସାଗରରେ ଏକ ଭୂମିକମ୍ପ ହୋଇଥିଲା। ରିପୋର୍ଟ ଅନୁସାରେ, ଜାପାନ ସମୟ ଅନୁସାରେ ରାତି ୧୧.୧୫ ରେ ଭୂମିକମ୍ପ ହୋଇଥିଲା।
ଏହା ପରେ ଆମେ ଭାଇରାଲ ଭିଡିଓର ସ୍କ୍ରିନଶଟ୍ ନେଇ ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ, ଆମେ ଜାଣିବାକୁ ପାଇଲୁ ଯେ ଅନେକ ଲୋକ ସମାନ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ 2024 ମସିହାରେ ଜାପାନରେ ହୋଇଥିବା ଭୂମିକମ୍ପ ବିଷୟରେ ଉଲ୍ଲେଖ କରାଯାଇଥିଲା।
ଅଧିକ ସର୍ଚ୍ଚ କରିବା ପରେ ଆମେ ୟୁଟ୍ୟୁବରେ ସମାନ ଭିଡିଓ ପାଇଲୁ, ଯେଉଁଥିରେ ସୂଚନା ଦିଆଯାଇଥିଲା ଯେ ଜାପାନର ଦକ୍ଷିଣ-ପଶ୍ଚିମ ଟୋକିଓରେ 7.1 ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହା ସେହି ସମୟର ଭିଡିଓ ଯାହାକୁ ଆପଣ ତଳେ ଦେଖିପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଭିଡିଓର ଜାପାନରେ ଘଟିଥିବା ସାମ୍ପ୍ରତିକ ଭୂମିକମ୍ପ ସହିତ କୌଣସି ସମ୍ପର୍କ ନାହିଁ। ଏହା ଏକ ପୁରୁଣା ଭିଡିଓ।
Title:ଭୂମିକମ୍ପର ପୁରୁଣା ଭିଡିଓ ଜାପାନରେ ଘଟିଥିବା ସାମ୍ପ୍ରତିକ ଭୂମିକମ୍ପ ନାମରେ ଭାଇରାଲ ହେଉଛି।
Fact Check By: Siddharth SahuResult: Misleading


