
୧୨ ନଭେମ୍ବର ରେ ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲାଙ୍କର ବିବାହ ହୋଇଥିଲା। ଏହି ବିବାହ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଛନ୍ତି।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଅଞ୍ଜଲି ବିର୍ଲାଙ୍କର ବିବାହର ଗୋଟିଏ ଫୋଟୋ ସେୟାର କରି ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି, “ଶୁଣିଲି ଓମ ବିର୍ଲା ଙ୍କ ଝିଅ ଅଞ୍ଜଳି ଜଣେ ମୁସଲମାନ ପୁଅ ଅନିଶ ରାଜାନି କୁ ବିବାହ କରିଛି । ଏ ଗ୍ରୁପର ସମସ୍ତ ଅନ୍ଧଭକ୍ତ ନିଜ ଭଉଣୀ ଭିଣୋଇ କୁ ଶୁଭେଚ୍ଛା ଦେବ ନାହିଁ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୩ ନଭେମ୍ବରର ଏନଡ଼ିଟିଭି ରେ ଏକ ରିପୋର୍ଟ ପ୍ରକାଶ ପାଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ମଙ୍ଗଳବାର ରାତିରେ ରାଜସ୍ଥାନର କୋଟା ଠାରେ ବିବାହ କରିଥିଲେ। ତାଙ୍କ ଜ୍ବାଇଁ ଅନିଶ କୋଟାର ଏକ ପ୍ରତିଷ୍ଠିତ ବ୍ୟବସାୟ ପରିବାରରୁ ଆସନ୍ତି।
ଏହା ବାବଦ ଆମକୁ ନବଭାରତ ଟାଇମ୍ସର ଏକ ରିପୋର୍ଟ ମଧ୍ୟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ଅଞ୍ଜଲି ବିର୍ଲାଙ୍କ ବିବାହ ଅନିଶଙ୍କ ସହିତ ହୋଇଛି ଯିଏ ଏକ ସିନ୍ଧି ବ୍ୟବସାୟ ପରିବାରରୁ ଆସିଛନ୍ତି।
ଆହୁରି ଅନୁସନ୍ଧାନରେ ଆମେ ବିହାରର ଗୟା, ବିଜେପି ନେତା ତଥା ସଂସଦୀୟ ସଦସ୍ୟ ହରି ମାଂଝିଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ପାଇଲୁ। ପୋଷ୍ଟରେ ବିବାହର କାର୍ଡ ସେୟାର କରି ଅନିଶ ରଜାନୀଙ୍କ ମୁସଲମାନ ବୋଲି ଦାବିକୁ ଅସ୍ୱୀକାର କରିଛନ୍ତି ଏବଂ ଅନିଶ ରଜାନୀ କୋଟାର ଏକ ସିନ୍ଧି ହିନ୍ଦୁ ପରିବାରର ବୋଲି କହିଛନ୍ତି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିଲା ଜଣେ ମୁସ୍ଲିମଙ୍କୁ ବାହା ହେଇ ନାହାଁନ୍ତି। ସେ ଅନିଶ ରଜାନୀ ସହ ବିବାହ କରିଛନ୍ତି ଯିଏ ଏକ ସିନ୍ଧି ହିନ୍ଦୁ ପରିବାରର ଅଟନ୍ତି।

Title:ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଥିବା ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ।
Fact Check By: Siddharth SahuResult: False
