
ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଗୋଟିଏ ଜିପ୍ ଉପରେ ବସିଥିବା ସମୟରେ ତାଙ୍କ ସହିତ ଗୋଟିଏ କୁକୁର ମଧ୍ୟ ସେଠାରେ ଥିଲା। ରାହୁଲ ଗାନ୍ଧୀ ସେହି କୁକୁରକୁ ବିସ୍କୁଟ୍ ଖାଇବାକୁ ଦେଉଛନ୍ତି ଏବଂ ତା’ପରେ ସେ ସେହି ବିସ୍କୁଟ ଜଣେ ବ୍ୟକ୍ତିକୁ ଦେଉଛନ୍ତି।
ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ ଯେଉଁ ବ୍ୟକ୍ତିଙ୍କୁ ଦେଉଛନ୍ତି ସେ ତାଙ୍କ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ରାହୁଲ ଗାନ୍ଧୀ କୁକୁରକୁ ବିସ୍କୁଟ୍ ଦେବା ସମୟରେ ସେହି କୁକୁର ଭୟଭୀତ ହୋଇଥିଲା ଏବଂ ବିସ୍କୁଟ ଖାଇନଥିଲା। ଏହା ଦେଖି ରାହୁଲ ଗାନ୍ଧୀ ସେହି କୁକୁରର ମାଲିକଙ୍କୁ ବିସ୍କୁଟ୍ ଦେଇଥିଲେ।
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭିଡିଓ କୁ ଭଲରେ ଦେଖନ୍ତୁ ରାହୁଲ ବାବା ଯେଉଁ ବିସ୍କୁଟ କୁକୁର ରଖୁ ଦେଉଛନ୍ତି କୁକୁର ସୁଙ୍ଘି ଦେଲା ଯାଇନଥିଲା , ସେହି ବିସ୍କୁଟ ଜଣେ କାର୍ଯ୍ୟକ୍ରତା ଙ୍କୁ ଦେଖାଦେଲା ,ସେ ନେଇ ଖାଇଦେଲା।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଏହି ଘଟଣା ନେଇ ୬ ଫେବ୍ରୁଆରି ୨୦୨୪ ରେ ଦି ହିନ୍ଦୁ ପତ୍ରିକାର ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ କହିଥିଲେ ଯେ ଭିଡିଓରେ ସେ ଯେଉଁ ବ୍ୟକ୍ତିଙ୍କୁ ବିସ୍କୁଟ୍ ଦେଉଥିଲେ ସେ ସେହି କୁକୁରର ମାଲିକ। ରାହୁଲ ଗାନ୍ଧୀ ଯେତେବେଳେ କୁକୁରକୁ ବିସ୍କୁଟ୍ ଦେଇଥିଲେ, କୁକୁର ଟି ଭୟଭୀତ ହୋଇଥିଲା। ତେଣୁ ସେ ବିସ୍କୁଟ୍ ଗୁଡିକୁ କୁକୁରକୁ ଦେବା ପାଇଁ ନିକଟରେ ଛିଡା ହୋଇଥିବା ତାହାର ମାଲିକକୁ ଦେଇଥିଲେ। କୁକୁର ମାଲିକ କୁକୁରକୁ ବିସ୍କୁଟ୍ ଦେବା ପରେ କୁକୁରଟି ତାହା ଖାଇଥିଲା।
ଆପଣ ମାନେ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଏଠାରେ ପଢି ପାରିବେ।
ଆମକୁ ANI ର ମଧ୍ୟ ଏକ ଟୁଇଟ ମିଳିଲା ଯେଉଁଥିରେ ରାହୁଲ ଗାନ୍ଧୀଙ୍କର ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ପୋଷ୍ଟ ହୋଇଥିଲା। ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, “ମୁଁ କୁକୁର ଏବଂ ତାହାର ମାଲିକଙ୍କୁ ଡାକିଲି। କୁକୁରଟି ଭୟଭୀତ ଥିଲା। ଯେତେବେଳେ ମୁଁ ତାକୁ ସେଠାରେ ଖାଇବାକୁ ଦେବାକୁ ଚେଷ୍ଟା କଲି ସେ ଭୟଭୀତ ହେଲା ତେଣୁ ମୁଁ ବିସ୍କୁଟକୁ କୁକୁରର ମାଲିକକୁ ଦେଲି ଏବଂ କୁକୁରଟି ତାଙ୍କ ହାତରୁ ଖାଇଲା। ସମସ୍ୟା କେଉଁଠାରେ ଅଛି ମୁଁ ବୁଝି ପାରୁ ନାହିଁ।”
INDIA Alliance ନାମକ ଟ୍ୱିଟର ଆକାଉଣ୍ଟରୁ ଏକ ଭିଡିଓ ମଧ୍ୟ ଅପଲୋଡ୍ କରାଯାଇଥିଲା ଯେଉଁଥିରେ କୁକୁରର ମାଲିକ କହିଥିଲେ ଯେ କୁକୁର ରାହୁଲ ଗାନ୍ଧୀଙ୍କ ସହ ଫଟୋ ଉଠାଇଥିଲା ଏବଂ ତାଙ୍କୁ ବିସ୍କୁଟ ଦିଆଯାଇଥିଲା।
ଏହା ପରେ ଆମେ ଟାଇମ୍ସ ନାଓ ର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ପ୍ରଥମେ ରାହୁଲ ଗାନ୍ଧୀ କୁକୁରକୁ ବିସ୍କୁଟ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେହି କୁକୁର ବିସ୍କୁଟ ଖାଇନଥିଲା। ଏହା ଦେଖି ରାହୁଲ ଗାନ୍ଧୀ କୁକୁରର ମାଲିକକୁ ବିସ୍କୁଟ ବଢାଇଥିଲେ ଏବଂ ତାଙ୍କ ସହିତ କଥା ହେଉଥିଲେ। କୁକୁରଟି ସେହି ସମୟରେ ତାହାର ମାଲିକ ହାତରେ ଥିବା ବିସ୍କୁଟକୁ ଖାଇଥିଲା। ଭିଡିଓର ୩୦ ସେକେଣ୍ଡ ରୁ ୪୦ ସେକେଣ୍ଡ ମଧ୍ୟରେ ଆପଣ ମାନେ କୁକୁରକୁ ତାହାର ମାଲିକ ହାତରୁ ଖାଉଥିବା ଦୃଶ୍ୟ ଦେଖି ପାରିବେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ରାହୁଲ ଗାନ୍ଧୀଙ୍କର କାର୍ଯ୍ୟଳୟ ସହିତ ଯୋଗାଯୋଗ କରିଲା। ସେମାନେ ଆମକୁ କହିଛନ୍ତି, “ରାହୁଲ ଗାନ୍ଧୀ କୁକୁରକୁ ରାଜନୀତି ହେତୁ ଡାକିନଥିଲେ। କୁକୁରଟି ତାଙ୍କୁ ଦେଇଥିବା ବିସ୍କୁଟ ଖାଇଲା ନାହିଁ କାରଣ ସେ ଭିଡ଼କୁ ଭୟ କରୁଥିଲା। ଏହା ପରେ ରାହୁଲ ଗାନ୍ଧୀ ବିସ୍କୁଟକୁ ମାଲିକଙ୍କୁ ଦେଲେ। କୁକୁରର ମାଲିକ କଂଗ୍ରେସ କର୍ମୀ ନୁହଁନ୍ତି। ସେ ସେଠାରେ ଭାରତ ଯୋଡୋ ନ୍ୟାୟ ଯାତ୍ରୀଙ୍କୁ ଦେଖିବା ପାଇଁ ଆସିଥିଲେ। ଏହି ଘଟଣା କେବଳ ଖରାପ ପ୍ରଚାର ପାଇଁ ବ୍ୟବହୃତ ହେଉଛି।“
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ରାହୁଲ ଗାନ୍ଧୀ କୁକୁରକୁ ବିସ୍କୁଟ୍ ଦେବା ସମୟରେ ସେହି କୁକୁର ଭୟଭୀତ ହୋଇଥିଲା ଏବଂ ବିସ୍କୁଟ ଖାଇନଥିଲା। ଏହା ଦେଖି ରାହୁଲ ଗାନ୍ଧୀ ସେହି କୁକୁରର ମାଲିକଙ୍କୁ ବିସ୍କୁଟ୍ ଦେଇଥିଲେ।\

Title:ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ୍ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଖାଇବାକୁ ଦେଇଥିବା ଦାବି ବିଭ୍ରାନ୍ତକାଇ ଅଟେ।
Fact Check By: Siddharth SahuResult: Misleading
