
ନିକଟରେ, ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଭାରତ, ୟୁକେ, ପର୍ତ୍ତୁଗାଲ ଏବଂ କାନାଡାର ନାଗରିକଙ୍କ ସମେତ ୨୪୦ ରୁ ଅଧିକ ଲୋକ ଥିଲେ।
ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପରିଚାରିକା ନିଜ ଫୋନ୍ ରୁ ସହକର୍ମୀଙ୍କର ଭିଡିଓ ନେଉଛନ୍ତି। ଦାବି କରାଯାଉଛି ଯେ ଏହା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପୂର୍ବରୁ ବିମାନ ପରିଚାରିକାଙ୍କ ଭିଡିଓ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ବିମାନ ଦୁର୍ଘଟଣା ପୂର୍ବରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି। ଭିଡିଓରେ ଥିବା ବିମାନ ସହାୟକ ନିଜେ ଏହି କଟା ସ୍ପଷ୍ଟ କରିଛନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଗୁଜୁରାଟ ବିମାନ ଦୁର୍ଘଟଣାରେ ସମସ୍ତ ଉଡାଣ ସହାୟକ ପ୍ରାଣ ହରାଇଛନ୍ତି। ସେ ପ୍ଲେନ୍ ରେ ଥିବା ସମସ୍ତ Crew Member ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ । ଏ ସମସ୍ତ ଅମର ଆତ୍ମାର ସଦଗତି ହେଉ, ଭଗବାନ୍ ଙ୍କ ନିକଟରେ ପ୍ରାର୍ଥନା।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓ କୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୟଶସ୍ଵୀ ଶର୍ମା ନାମକ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓ ଟି ୯ ଜୁନ୍ ୨୦୨୫ ରେ ଅପ୍ଲୋଡ ହୋଇଥିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହି ଭିଡିଓ ୧୨ ଜୁନ୍ ଅହମ୍ମଦାବାଦ ବିମାନ ଦୁର୍ଘଟଣା ପୂର୍ବରୁ ଉପଲବ୍ଧ ଅଛି।
ପୋଷ୍ଟରେ ଆମେ ଯଶସ୍ୱୀ ଶର୍ମାଙ୍କ ଏକ କମେଣ୍ଟ୍ ପାଇଲୁ ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ସୁରକ୍ଷିତ ଅଛନ୍ତି। ସେ ଲେଖିଛନ୍ତି, “ଆମ ସହିତ ଯୋଗାଯୋଗ କରିବା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ମୁଁ ସୁରକ୍ଷିତ ଏବଂ ମୁମ୍ବାଇରେ ଅଛି। ଯାହା ଘଟିଛି ତାହା ପାଇଁ ମୁଁ ଗଭୀର ଦୁଃଖିତ ଏବଂ ମୋର ହୃଦୟ ଭାଙ୍ଗିପଡ଼ିଛି। ଏହା ଆମ ପାଇଁ ଏକ ବହୁତ କଷ୍ଟକର ସମୟ।”
ଏହା ବ୍ୟତୀତ, ଆମେ ଯଶସ୍ୱୀ ଶର୍ମାଙ୍କ ଆଉ ଏକ ରିଲ୍ ପାଇଲୁ ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଭାଇରାଲ୍ ଦାବିଟି ମିଥ୍ୟା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ୧୨ ଜୁନ୍ ରେ ବିମାନ ଦୁର୍ଘଟଣା ପୂର୍ବରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି। ଭିଡିଓରେ ଥିବା ଉଡାଣ ସହାୟକ ଯିଏ ଭିଡିଓ ନେଇଛନ୍ତି, ନିଜେ ସ୍ପଷ୍ଟ କରିଛନ୍ତି ଯେ ସେ ସୁସ୍ଥ ଅଛନ୍ତି।

Title:ଏହି ଭିଡିଓଟି ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ବିମାନ ପରିଚାରିକାଙ୍କର ନୁହେଁ, ଦାବିଟି ଭ୍ରାମକ।
Fact Check By: Siddharth SahuResult: False
