ଏହି ଭିଡିଓ, ଯାହାକୁ ମଣିପୁରର ବୋଲି ଦାବି କରାଯାଉଛି, ଏହା ପ୍ରକୃତରେ କୋଲକାତାର ୱାକଫ ବିଲ୍ ବିରୋଧରେ ଏକ ପ୍ରଦର୍ଶନ

False Political

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଭିଡ଼ ଦେଖାଯାଉଛି। ସେମାନେ ନାରା ଦେଉଥିବା ସହ ପୋଷ୍ଟର ଏବଂ ବ୍ୟାନର ଧରିଛନ୍ତି। ଭିଡିଓଟିକୁ ମଣିପୁରର ବୋଲି ଦାବି କରି ସେୟାର କରାଯାଉଛି ଏବଂ ଏହି ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଥିଲା ବୋଲି ମଧ୍ୟ କୁହା ଯାଉଛି।

ଏହା ଉଲ୍ଲେଖ କରିବା ଉଚିତ ଯେ ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ସେପ୍ଟେମ୍ବର ୧୩, ୨୦୨୫ ରେ ମଣିପୁର ଗସ୍ତ କରିଥିଲେ। ଏହି ଭିଡିଓକୁ ଏପରି ବ୍ୟବହାର କରାଯାଉଛି ଯେ ତାଙ୍କ ଗସ୍ତ ସମୟରେ ମଣିପୁର ରାଜ୍ୟରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମଣିପୁର ରେ ଭୋଟ ଚୋରି ର ନାରା‌

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଇଂଷ୍ଟାଗ୍ରାମ୍ ରେ ସମାନ ଭିଡିଓ ମିଳିଲା, ଯାହା ୧୪ ଏପ୍ରିଲ୍ ୨୦୨୫ ରେ @trisharooy ନାମକ ଏକ ଆକାଉଣ୍ଟ ଦ୍ୱାରା ଅପଲୋଡ୍ କରାଯାଇଥିଲା।

ସେହି ପୋଷ୍ଟର କ୍ୟାପସନରେ ସ୍ପଷ୍ଟ ଭାବରେ ଲେଖା ଅଛି: “କୋଲକାତା ୱାକଫ ବିଲ୍ ପ୍ରତିବାଦ। ସ୍ଥାନ: କୋଲକାତାର ଏନଆରଏସ ହସ୍ପିଟାଲ ନିକଟରେ।” ଏହାର ଅର୍ଥ ହେଉଛି ଯେ ଭିଡିଓଟି ମଣିପୁରର ନୁହେଁ, ବରଂ କୋଲକାତାର ୱାକଫ ବିଲ୍ ପ୍ରତିବାଦର।

ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିଲୁ ଯେ ସେଥିରେ ଏକ ବସ୍ ରେ ବଙ୍ଗଳା ଭାଷାରେ କିଛି ଲେଖା ଯାଇଛି। ଆପଣ ମାନେ ସେହି ଫୋଟୋ ନିମ୍ନରେ ଦେଖି ପାରିବେ। 

ତା’ପରେ ଆମେ ଭିଡିଓରେ ଦେଖାଯାଇଥିବା ସ୍ଥାନ ଯାଞ୍ଚ କରିବା ପାଇଁ Google Maps ବ୍ୟବହାର କଲୁ। Maps ରେ ସନ୍ଧାନ କରିବା ପରେ କୋଲକାତାର ସିଆଲଦା ଅଞ୍ଚଳରେ NRS ମେଡିକାଲ କଲେଜ ଏବଂ ହସ୍ପିଟାଲ ନିକଟରେ ସ୍ଥାନଟି ମିଳିଲା।

ଆମେ ଏହା ପରେ ଏହି ଘଟଣା ସହିତ ଜଡିତ ରିପୋର୍ଟ ଖୋଜିଥିଲୁ ଏବଂ ୧୪ ଏପ୍ରିଲ, ୨୦୨୫ ରେ ପ୍ରକାଶିତ ଟାଇମ୍ସ ର ଏକ ରିପୋର୍ଟ ପାଇଲୁ। ଏହି ରିପୋର୍ଟ ଅନୁଯାୟୀ, ୱାକଫ (ସଂଶୋଧନ) ଆଇନ ୨୦୨୫ ବିରୋଧରେ କୋଲକାତାରେ ବହୁ ସଂଖ୍ୟକ ଭାରତୀୟ ଧର୍ମନିରପେକ୍ଷ ମୋର୍ଚ୍ଚା (ISF) ସମର୍ଥକ ପ୍ରଦର୍ଶନ କରିଥିଲେ। କୋଲକାତାର ସିଆଲଦା ଷ୍ଟେସନ ଅଞ୍ଚଳରୁ ପ୍ରତିବାଦ ଆରମ୍ଭ ହୋଇ ରାମଲୀଳା ମଇଦାନ ପର୍ଯ୍ୟନ୍ତ ଜାରି ରହିଥିଲା। ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ, ଯାହା ଫଳରେ ଦୀର୍ଘ ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପ୍ରତିବାଦ କୋଲକାତାର ରେଡ ରୋଡ ପର୍ଯ୍ୟନ୍ତ ଜାରି ରହିଥିଲା।

ଏହାର ଅର୍ଥ ହେଉଛି ଭାଇରାଲ୍ ଭିଡିଓଟି ପ୍ରକୃତରେ ୱାକଫ୍ ସଂଶୋଧନ ଆଇନ ୨୦୨୫ ବିରୋଧରେ ISF ସମର୍ଥକଙ୍କ ଦ୍ୱାରା ହୋଇଥିବା ପ୍ରତିବାଦର, ଏବଂ ମଣିପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ କୌଣସି ଆନ୍ଦୋଳନର ନୁହେଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ମଣିପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ହୋଇଥିବା ପ୍ରଦର୍ଶନର ନୁହେଁ। ଏହା କୋଲକାତାର ଏକ ଭିଡିଓ ଯେଉଁଥିରେ ISF ସମର୍ଥକ ମାନେ ୱାକଫ୍ ସଂଶୋଧନ ଆଇନ ୨୦୨୫ ବିରୋଧରେ ପ୍ରଦର୍ଶନ କରିଥିଲେ।

Avatar

Title:ଏହି ଭିଡିଓ, ଯାହାକୁ ମଣିପୁରର ବୋଲି ଦାବି କରାଯାଉଛି, ଏହା ପ୍ରକୃତରେ କୋଲକାତାର ୱାକଫ ବିଲ୍ ବିରୋଧରେ ଏକ ପ୍ରଦର୍ଶନ

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *