ଉତ୍ତରାଖଣ୍ଡର ଏକ ଭିଡିଓକୁ ଉତ୍ତରପ୍ରଦେଶରେ ମଦ୍ରସା ବିରୁଦ୍ଧରେ ଯୋଗୀ ସରକାରଙ୍କର କାର୍ଯ୍ୟନୁଷ୍ଠାନ ଦାବି ସହିତ ସେୟାର କରା ଯାଉଛି। 

Communal False

ନିକଟରେ ୱାକଫ୍ ସଂଶୋଧନ ବିଲ୍ ପାସ୍ ହେବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ କିଛି ସରକାରୀ ଅଧିକାରୀଙ୍କ ସହିତ ପୋଲିସ ଏକ ମଦ୍ରସା ରେ ପ୍ରବେଶ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉତ୍ତରାଖଣ୍ଡର ଘଟଣା ଅଟେ। ଭଗବାନପୁର ତହସିଲ ଅଧିକାରୀ ବେଆଇନ ମଦ୍ରସା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେଉଥିବା ନଜର ଆସୁଛନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଉତ୍ତର ପ୍ରଦେଶ ର ୱାକଫ ସଂଶୋଧନ କୁ ଭିତି କରି ଯୋଗୀ ଆଦିତ୍ୟ ନାଥ ଏବେ ଆକ୍ସନ ମୋଡ ରେ। କାଗଜ ପଛରେ ଦେଖାଇବ, ପ୍ରଥମେ ତମ ଜିନିଷ ପତ୍ର ଓ ସମ୍ପତି ଦେଖାଅ, ଆମେ ସିଲ କରିବୁ: ପୋଲିସ ଅଧିକାରୀ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ  ୨୨ ମାର୍ଚ୍ଚ ୨୦୨୫ ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। କ୍ୟାପସନ ଅନୁସାରେ, ୨୨ ମାର୍ଚ୍ଚ ୨୦୨୫ରେ, ଭଗବାନପୁର ତହସିଲ ପ୍ରଶାସନ ବେଆଇନ ମଦ୍ରାସାଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Archive

ଏହା ଉଲ୍ଲେଖନୀୟ ଯେ ଭଗବାନପୁର ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାର ଜିଲ୍ଲାର ଏକ ସହର, ତହସିଲ ଏବଂ ତାଲୁକା। ଏହା ବ୍ୟତୀତ, ୱାକଫ ସଂଶୋଧନ ବିଲ୍ ୪ ଏପ୍ରିଲ ୨୦୨୫ ରେ ଗୃହୀତ ହୋଇଥିଲା। ଏହା ସ୍ପଷ୍ଟ କରେ ଯେ ଭିଡିଓଟି ୱାକଫ ସଂଶୋଧନ ବିଲ୍ ଗୃହୀତ ହେବାର ପୂର୍ବର।

୨୬ ମାର୍ଚ୍ଚ ୨୦୨୫ ରେ ଡିଡି ନ୍ୟୁଜ୍ ଉତ୍ତରାଖଣ୍ଡର ସରକାରୀ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ହରିଦ୍ୱାରରେ ପ୍ରଶାସନ ବେଆଇନ ମଦ୍ରାସାଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ରିପୋର୍ଟରେ, ଆମେ ଭାଇରାଲ୍ ଭିଡିଓରେ ଥିବା ଅଧିକାରୀମାନଙ୍କୁ ଦେଖିପାରୁଛୁ।

ଏହା ବ୍ୟତୀତ, ଭାଇରାଲ ଭିଡିଓରେ ଥିବା ପୋଲିସ ଅଧିକାରୀଙ୍କ ୟୁନିଫର୍ମରେ “ଉତ୍ତରାଖଣ୍ଡ ପୋଲିସ” ଲେଖାଯାଇଥିବା ମଧ୍ୟ ଦେଖିବାକୁ ମିଳିଲା।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ହରିଦ୍ୱାରରେ ଅବୈଧ ମଦ୍ରାସା ବିରୋଧରେ ଜିଲ୍ଲା ପ୍ରଶାସନର ଅଭିଯାନ ଜାରି ରହିଛି। ଏପର୍ଯ୍ୟନ୍ତ ୧୨ ରୁ ଅଧିକ ମଦ୍ରାସାକୁ ସିଲ୍ କରାଯାଇଛି। ହରିଦ୍ୱାର, ରୁରକି, ଲକ୍ସର ଏବଂ ଭଗବାନପୁର ତହସିଲରେ ବ୍ୟାପକ ତଦନ୍ତ କରାଯାଉଛି। ଜିଲ୍ଲା ମାଜିଷ୍ଟ୍ରେଟ୍ କର୍ମେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରାୟ ୬୦ ଟି ମଦ୍ରାସା ବିନା ପଞ୍ଜୀକରଣରେ ପରିଚାଳିତ ହେଉଛି ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତହସିଲଦାର ପ୍ରିୟଙ୍କା ରାଣୀ କହିଛନ୍ତି ଯେ ପିଲାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ସହିତ ସମସ୍ତ ମଦ୍ରାସାର ପଞ୍ଜୀକରଣ ବାଧ୍ୟତାମୂଳକ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଭାଇରାଲ ଭିଡିଓ ଉତ୍ତରାଖଣ୍ଡର ଭଗବାନପୁର ତହସିଲର ଘଟଣା ଅଟେ। ସେଠିକାର ବେଆଇନ ମଦ୍ରାସା ଗୁଡ଼ିକୁ ପଞ୍ଜୀକରଣ କରିବା ପାଇଁ ତହସିଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏହାର ୱାକଫ୍ ବିଲ୍ କିମ୍ବା ଉତ୍ତରପ୍ରଦେଶ ସହିତ କୌଣସି ସମ୍ପର୍କ ନାହିଁ। 

Avatar

Title:ଉତ୍ତରାଖଣ୍ଡର ଏକ ଭିଡିଓକୁ ଉତ୍ତରପ୍ରଦେଶରେ ମଦ୍ରସା ବିରୁଦ୍ଧରେ ଯୋଗୀ ସରକାରଙ୍କର କାର୍ଯ୍ୟନୁଷ୍ଠାନ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *