
କିଛି NDFR କର୍ମଚାରୀଙ୍କ ଷ୍ଟ୍ରେଚରରେ ଲୋକଙ୍କୁ ନେଇ ଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଟ୍ରେନର ଗୋଟିଏ କୋଚ୍ ଭିନ୍ନ ଟ୍ରେନର ଅନ୍ୟ କୋଚ୍ ଉପରେ ଚଢିଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ଜଣା ପଡୁଛିଯେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ଘଟଣା ବିକାନେରରେ ଘଟିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉଦ୍ଧାର କାର୍ଯ୍ୟର ଏକ ମକ୍ ଡ୍ରିଲ୍ ଅଭ୍ୟାସ। ପ୍ରକୃତରେ କୌଣସି ଟ୍ରେନ୍ ଦୁର୍ଘଟଣା ହୋଇନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ବିକାନେର ଲାଳଗଡ଼ ରେଳ ଷ୍ଟେସନ ନିକଟରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦେଶର ସେହି ଦୁର୍ଭାଗ୍ୟଜନକ ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ନିଜ ଜୀବନର ଶେଷ ଯାତ୍ରାରେ ଅଛନ୍ତି।”
ଆମ ଅନୁସନ୍ଧାନ:
ଆମ ଅନ୍ବୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାସ୍କର ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହା ଏକ ପ୍ରକୃତ ଘଟଣାର ଫୁଟେଜ୍ ନୁହେଁ ବରଂ ଏକ ମକ୍ ଡ୍ରିଲ୍। ରେଳ ସୁରକ୍ଷା ବଳ, ପୋଲିସ ଫୋର୍ସ ଏବଂ ଅନ୍ୟ ଅଧିକାରୀଙ୍କ ଦକ୍ଷତା ଏବଂ ସତର୍କତା ଯାଞ୍ଚ ପାଇଁ ଏହି ଡ୍ରିଲ୍ କରାଯାଇଥିଲା। ଗୋଟିଏ କୋଚ୍ ଅନ୍ୟଟି ଉପରେ ରଖାଯାଇଥିଲା ଏବଂ ଏକ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ଦୁର୍ଘଟଣାର ଖବର ଜଣାଯାଇଥିଲା।
ଡିଭିଜନାଲ୍ ରେଲୱେ ମ୍ୟାନେଜର (ଡିଆରଏମ) ଏକ ଟୁଇଟ ମାଧ୍ୟମରେ ଜଣାଇଛନ୍ତି, “ଟ୍ରେନ୍ ଦୁର୍ଘଟନା ଭଳି ଘଟଣାଗୁଡିକ ସମୟରେ ରିଲିଫ୍ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟାକୁ ଅନୁସରଣ କରିବାକୁ ଏବଂ ଯେଉଁସବୁ ପରିବର୍ତ୍ତନ/ସୁଧାରଣୀୟ ଆବଶ୍ୟକ ଅଛି, ତାହା ଯାଞ୍ଚ କରିବା ପାଇଁ NDRF ସହିତ ଘନିଷ୍ଠ ସମନ୍ୱୟରେ ଏକ ମକ୍ ଡ୍ରିଲ୍ କରାଯାଇଥିଲା।”
ଏହା ସହିତ, ଆମେ ଟିରୁଚି ରେଳ ଦ୍ୱାରା ୨୩ ଅଗଷ୍ଟ୍ ୨୦୨୪ ରେ ଆଉ ଏକ ମକ୍ ଡ୍ରିଲ୍ କରାଯାଇଥିବା ଜାଣିବାକୁ ପାଇଲୁ। ଏହି ମକ୍ ଡ୍ରିଲ୍ ଟିରୁଚି ରେଳ ବିଭାଗ ଏବଂ ଜାତୀୟ ଆପଦ ପ୍ରତିକ୍ରିୟା ବଳ (NDRF) ଦ୍ୱାରା ସଂଯୁକ୍ତ ଭାବେ କରାଯାଇଥିଲା। ଏଥିରେ ଗୋଟିଏ AC କୋଚ୍ ଏବଂ ଦୁଇଟି ସାଧାରଣ କୋଚ୍ ଦୁର୍ଘଟଣା ଗ୍ରସ୍ତ ହେବାର ଏକ ନକଲ ତିଆରି ହୋଇଥିଲା।
ନିମ୍ନରେ ଥିବା ଫୋଟୋରେ ଆପଣ ମାନେ ପ୍ରାୟ ସମାନ ବ୍ୟବସ୍ଥା କରାଯାଇଥିବା ଦେଖି ପାରିବେ ଯେଉଁଠାରେ ଗୋଟିଏ କୋଚ୍ ଅନ୍ୟର ଉପରେ ରଖାଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଇଛି। ଏହା ଉଦ୍ଧାର କାର୍ଯ୍ୟର ଏକ ମକ୍ ଡ୍ରିଲ୍ ଅଭ୍ୟାସ। ବିକାନେର ରେ ପ୍ରକୃତରେ କୌଣସି ଟ୍ରେନ୍ ଦୁର୍ଘଟଣା ହୋଇନାହିଁ।

Title:ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍ ଭିଡିଓକୁ ନିକଟରେ ବୀକାନେର ରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
