
୪ ସେପ୍ଟେମ୍ବର, ୨୦୨୫ ରେ ନେପାଳ ସରକାର ୨୬ ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ଏହା ଯୁବ ପିଢ଼ିକୁ କ୍ରୋଧିତ କରିଥିଲା। ସେମାନେ କେବଳ ପ୍ରତିବନ୍ଧକ ବିରୋଧରେ ନୁହେଁ ବରଂ ଦୁର୍ନୀତି ଏବଂ ସରକାରୀ ବିଫଳତା ବିରୁଦ୍ଧରେ ମଧ୍ୟ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ। ୮ ସେପ୍ଟେମ୍ବରରୁ ଏହି ଆନ୍ଦୋଳନ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରକୁ ବ୍ୟାପିଥିଲା। କିଛି ସ୍ଥାନରେ ହିଂସା ଦେଖାଦେଇଥିଲା, ସଂସଦରେ ନିଆଁ ଲଗାଯାଇଥିଲା। ପୋଲିସ ଗୁଳିରେ ୧୯ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।
ପରିସ୍ଥିତି ଗମ୍ଭୀର ହେବା ପରେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ଦେଇଥିଲେ। ସରକାର ପରେ ସୋସିଆଲ ମିଡିଆ ପ୍ରତିବନ୍ଧକ ଉଠାଇ ପୀଡିତଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅନେକ ଲୋକମାନେ ମୋଦୀଙ୍କ ସ୍ଵାଗତରେ ବ୍ୟାନର ନେଇ ରାଲି କରୁଛନ୍ତି। ଦାବି କରାଯାଉଛି ଯେ ଏହା ନେପାଳର ଭିଡିଓ ଯେଉଁଠାରେ ସେଠିକାର ବାସିନ୍ଦା ମାନେ ମୋଦୀଙ୍କ ସମର୍ଥନରେ ରାଲି କରୁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିବାକୁ ପାଇଲୁ ଯେ ରାଲି ସମୟରେ ଲୋକମାନେ ଯେଉଁ ବ୍ୟାନର ନେଉଥିଲେ ସେଥିରେ “Sikkimese Limboo Tribes Warmly Welcome To Hon’ble Prime Minister Of India Shri. Narendra Modi Ji To The State Of Sikkim” ବୋଲି ଲେଖା ଯାଇଛି।

ସେହି ବ୍ୟାନର ରେ Sukhim Yakthung Sapsok Songchumbho ନାମକ ଏକ ସଂସ୍ଥାର ନାମ ମଧ୍ୟ ଲେଖା ଯାଇଛି ଯାହା ସିକ୍କିମ ରାଜ୍ୟରେ ଅବସ୍ଥିତ। ଏହା ବାବଦ ବ୍ୟାନରରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ଏବଂ ସିକ୍କିମ ସରକାରଙ୍କ ପ୍ରତୀକ ମଧ୍ୟ ଦେଖିବାକୁ ମିଳିଛି।

ସମାନ ଅବସର ର ଅନ୍ୟ ଏକ ଭିଡିଓ Sukhim Yakthung Sapsok Songchumbho ଫେସବୁକ ଏକାଉଣ୍ଟରେ ୩୦ ମଇ ୨୦୨୫ ରେ ପୋଷ୍ଟ ହେଇଥିବା ମିଳିଲା।
ପୋଷ୍ଟରେ ଲେଖା ଯାଇଛି ଯେ, “ଆମେ, ସିକ୍କିମୀୟ ଲିମ୍ବୁ ଜନଜାତି, ସୁକିମ ୟାକଥୁଂ ସାପସୋକ୍ ସୋଙ୍ଗଚୁମ୍ବୋଙ୍କ ବ୍ୟାନର ତଳେ, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସିକ୍କିମର ୫୦ତମ ବାର୍ଷିକୀ ପାଳନ ପାଇଁ ୨୯ ମଇ ୨୦୨୫ରେ ସିକ୍କିମ ଗସ୍ତରେ ଆସିବାକୁ ଥିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହିତ ପ୍ରସ୍ତୁତ ଥିଲୁ। ଦୁର୍ଭାଗ୍ୟବଶତଃ, ଖରାବ ପାଗ ଏବଂ କମ୍ ଦୃଶ୍ୟମାନତା ଯୋଗୁଁ, ମାନ୍ୟବର ପ୍ରଧାନମନ୍ତ୍ରୀ ସିକିମରେ ଅବତରଣ କରିପାରିଲେ ନାହିଁ। ତଥାପି, ସେ ବାଗଡୋଗ୍ରାରୁ ଅନ୍ଲାଇନ୍ ସିକିମର ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ, ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତି ତାଙ୍କର ଦୟାପୂର୍ଣ୍ଣ କଥା ଏବଂ ସିକିମ ଏବଂ ଏହାର ଲୋକଙ୍କ ପାଇଁ ତାଙ୍କର ଶୁଭକାମନା ପାଇଁ ହୃଦୟର ସହିତ କୃତଜ୍ଞତା ଜଣାଉଛୁ।”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସିକ୍କିମର ଏକ ରାଲିର ଭିଡିଓକୁ ନେପାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଲୋକଙ୍କ ସମର୍ଥନର ଏକ ଭିଡିଓ ଦାବି ସହିତ ସେୟାର କରା ଯାଉଛି।

Title:ସିକ୍କିମର ଏକ ରାଲିର ଭିଡିଓକୁ ନେପାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଲୱା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
