
ଇରାନରେ ଗତ ତିନିରୁ ଚାରି ସପ୍ତାହ ଧରି ବିରୋଧ ପ୍ରଦର୍ଶନ ଚାଲିଛି। ଇସଲାମିକ ଗଣରାଜ୍ୟ ସରକାରଙ୍କ ପ୍ରତି ବ୍ୟାପକ ଅସନ୍ତୋଷ ଏବଂ ବଢ଼ୁଥିବା ଆର୍ଥିକ ସଙ୍କଟ ଯୋଗୁଁ ଦେଶର ବିଭିନ୍ନ ସହରରେ ପ୍ରତିବାଦ ଆରମ୍ଭ ହୋଇଛି। ଏହି ପରିସ୍ଥିତିରେ, ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ପ୍ରସାରିତ ହୋଇଛି। ଅପ୍ରାସଙ୍ଗିକ ଫଟୋ, ଭିଡିଓ ଏବଂ ପୋଷ୍ଟଗୁଡ଼ିକୁ ଇରାନର ପ୍ରତିବାଦର ଦୃଶ୍ୟ ଭାବରେ ମିଥ୍ୟା ଭାବରେ ସେୟାର କରାଯାଉଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠାରେ ମହିଳାମାନଙ୍କର ଏକ ଗୋଷ୍ଠୀ ସେମାନଙ୍କର ବୁର୍ଖା କାଢି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପୋଷ୍ଟରରେ ନିଆଁ ଲଗାଉଛନ୍ତି। ଭିଡିଓଟିକୁ ସେୟାର କରାଯାଉଛି ଏବଂ ଏହାକୁ ଇରାନରେ ଚାଲିଥିବା ପ୍ରତିବାଦର ଦୃଶ୍ୟ ବୋଲି ଦାବି କରାଯାଉଛି।
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇରାନ୍ ର ଜେନ୍ ଜି ଜାଗରଣ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ‘କାମିଲ୍ ଇରୋସ୍’ଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସମାନ ଦୃଶ୍ୟ ସହିତ ଏକ ଭିଡିଓ ମିଳିଲା। ୧୮ ଜାନୁଆରୀ ରେ କରାଯାଇଥିବା ପୋଷ୍ଟଟିର କ୍ୟାପସନ ଥିଲା – ଇରାନୀ ଲୋକଙ୍କ ପକ୍ଷରୁ ଆମର ପଦକ୍ଷେପ।
ଗେଟ୍ଟି ଇମେଜ୍ର ଗ୍ୟାଲେରୀରେ ପ୍ରଦର୍ଶନର ଅନେକ ଫଟୋ ମଧ୍ୟ ରହିଛି। ଭାଇରାଲ୍ ଭିଡିଓ ସହିତ ସମାନ ଦେଖାଯାଉଥିବା ଗୋଟିଏ ଚିତ୍ରରେ ଲେଖା ଅଛି, “ଦକ୍ଷିଣପନ୍ଥୀ ସଂଗଠନ ନେମେସିସ୍ର ମହିଳାମାନେ ଇରାନ ଲୋକଙ୍କ ସମର୍ଥନରେ ଏକ ରାଲି ସମୟରେ ଆୟାତୋଲ୍ଲା ଅଲି ଖାମେନିଙ୍କ ଫଟୋ ପୋଡ଼ି ଦେଇଥିଲେ। ଏହି ଘଟଣା ୧୮ ଜାନୁଆରୀ ୨୦୨୬ ରେ ଫ୍ରାନ୍ସର ପ୍ୟାରିସରେ ଘଟିଥିଲା। ଇରାନରେ ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କ ସହ ଏକତା ପାଇଁ ସାରା ବିଶ୍ୱରେ ପ୍ରତିବାଦ ହୋଇଛି। ଦେଶର ଆର୍ଥିକ ସଙ୍କଟ ଯୋଗୁଁ ଡିସେମ୍ବରରେ ଆରମ୍ଭ ହୋଇଥିବା ପ୍ରତିବାଦ ଇରାନ ସୁରକ୍ଷା ବାହିନୀ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ପରେ ଶାନ୍ତ ପଡ଼ିଛି।”


ଇରାନ ସରକାରଙ୍କ ବିରୋଧରେ ଏବଂ ଇରାନୀ ମହିଳା ମାନଙ୍କର ଅଧିକାରକୁ ସମର୍ଥନ କରି ହଜାର ହଜାର ଲୋକ ପ୍ୟାରିସରେ ଏକତ୍ରିତ ହୋଇ ଶୋଭାଯାତ୍ରା କରିଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଫ୍ରାନ୍ସର ପ୍ୟାରିସରେ ଇରାନ ସରକାର ବିରୋଧରେ ପ୍ରତିବାଦର ଭିଡିଓକୁ ଇରାନର ଘଟଣା ଦାବି ସହିତ ସେୟାର କରା ଯାଉଛି।
Title:ଫ୍ରାନ୍ସର ପ୍ୟାରିସରେ ଇରାନ ସରକାର ବିରୋଧରେ ପ୍ରତିବାଦର ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରାଯାଇଛି
Fact Check By: Siddharth SahuResult: Misleading


