
ଗତ କାଲୀ ୫ ଜାନୁଆରୀରେ ଭୁବନେଶ୍ବରରେ 5ଜି ସେବା ଉନ୍ମୋଚନ କରା ଯାଇଥିଲା। ରିଲାଏନ୍ସ ଜିଓ ଏବଂ ଏୟାର୍ଟେଲ୍ ରାଜ୍ୟରେ 5ଜି ସୁବିଶା ପ୍ରଦାନ କରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦାନ ଦେଇଥିଲେ।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ 5ଜି ବିକିରଣ କାରଣରୁ ପକ୍ଷୀ ମାନଙ୍କର ମୃତ୍ୟୁ ହେଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 5ଜି ବିକିରଣ, ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚାଉଥିବା ବିକିରଣ ଆବୃତ୍ତି ଠାରୁ କମ ଅଟେ।
କ’ଣ କୁହା ଯାଇଛି ପୋଷ୍ଟରେ?
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ 5ଜି ବିକିରଣ କାରଣରୁ ସବୁ ପକ୍ଷୀ ମରିଯିବେ ଏବଂ ତାଙ୍କ ସୋନୋଗ୍ରାଫି ସେନ୍ସ ନଷ୍ଟ ହୋଇ ଯିବ।

2018 ରେ ସୋସିଆଲ ମିଡିଆରେ ମଧ୍ୟ ଆମେ ସମାନ ଦାବି ଭାଇରାଲ ପାଇଲୁ। ଭିଡିଓରେ ଦାବି କରାଯାଇଥିଲା ଯେ ନେଦରଲ୍ୟାଣ୍ଡରେ 5G ପରୀକ୍ଷା ଆରମ୍ଭ ହେବା ସମୟରେ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିଥିଲା। ବିକିରଣର ପ୍ରଭାବ ହେତୁ ପକ୍ଷୀମାନେ ମରିଗଲେ ଏବଂ ଆକାଶରୁ ଖସିଯିବା ଆରମ୍ଭ କଲେ ଏବଂ ବତକ ମାନେ ନିଜକୁ ବଞ୍ଚାଇବା ପାଇଁ ପାଣିରେ ମୁଣ୍ଡ ବୁଡାଉଥିଲେ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅନ୍ୟ ଏକ ଦାବି ହେଉଛି ଯେ COVID-19 ଏକ ରୋଗ ନୁହେଁ | 5G ଟାୱାର ପରୀକ୍ଷା ହେତୁ ଏହି ମହାମାରୀ ଦ୍ୱିତୀୟ ଥର ପାଇଁ ଆସିଥିଲା। ଫଳସ୍ୱରୂପ, ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ମୃତ୍ୟୁ ବରଣ କରୁଥିଲେ।
ଆମ ଅନୁସନ୍ଧାନ:
ଆମର ଅନୁସନ୍ଧାନରେ, ଆମେ ପ୍ରତ୍ୟେକ ଦାବିକୁ ପୃଥକ ଭାବରେ ଖଣ୍ଡନ କରିଛୁ।
ଦାବି ୧: 5G ବିକିରଣ ଦ୍ଵାରା ପକ୍ଷୀ ମାନଙ୍କର ଜୀବନ ବିପଦରେ ପକାଉଚି? କ’ଣ 5G ବିକିରଣ ହେତୁ ନେଦରଲ୍ୟାଣ୍ଡ ପକ୍ଷୀମାନଙ୍କର ମୃତ୍ୟୁ ଦେଖିବାକୁ ମିଳିଥିଲା?
5ଜି ପରୀକ୍ଷା କରିଥିବା ନେଦରଲ୍ୟାଣ୍ଡର କମ୍ପାନୀ ସ୍ପଷ୍ଟ କରିଛି ଯେ ମୃତ ପକ୍ଷୀ ଯେଉଁଠାରେ ମିଳିଥିଲା ସେହି ଅଞ୍ଚଳରେ କୌଣସି 5ଜି ଟାୱାର ସ୍ଥାପନ କରାଯାଇ ନଥିଲା। ଅକ୍ଟୋବର-ନଭେମ୍ବର ୨୦୧୮ ଠାରୁ, ଘଟଣା ସ୍ଥଳ ନିକଟରେ 5-G ପରୀକ୍ଷା କରାଯାଇ ନଥିଲା।
ମ୍ୟୁନିସିପାଲିଟି ପ୍ରଶାସନ ଏବଂ ବିଶେଷଜ୍ଞମାନେ ପକ୍ଷୀମାନଙ୍କର ମୃତ୍ୟୁ ଘଟଣାର ଅନୁସନ୍ଧାନ କରି କହିଥିଲେ ଯେ ‘5G’ ଯୋଗୁଁ ସେହି ପକ୍ଷୀ ମାନଙ୍କର ମୃତ୍ୟୁ ହୋଇନଥିଲା। ଅନୁସନ୍ଧାନ ପରେ କୁହାଯାଇଛି ଯେ ବିଷାକ୍ତ କାରଣରୁ ସେହି ପକ୍ଷୀମାନଙ୍କର ମୃତ୍ୟୁ ହୋଇଥାଇପାରେ।

‘5G’ ଟେକ୍ନୋଲୋଜିରେ ବ୍ୟବହୃତ ଫ୍ରିକ୍ୱେନ୍ସି ଗୁଡିକ ଅଣ ଆୟୋନାଇଜିଂ ରେଡିଏସନ୍ ପ୍ରୋଟେକ୍ସନ୍ (ICNIRP) ଆନ୍ତର୍ଜାତୀୟ ଆୟୋଗ ଦ୍ୱାରା ନିର୍ମିତ ସୁରକ୍ଷା ସୀମା ମଧ୍ୟରେ ଅଛି | 5G ରେ ‘3G’ ଏବଂ ‘4G’ ଟେକ୍ନୋଲୋଜି ସହିତ ସମାନ ଏକ୍ସପୋଜର ସ୍ତର ରହିବ। ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଆଇସିଏନଆରପି ଅଧ୍ୟକ୍ଷ ଡାଃ ଏରିକ ରୋଙ୍ଗେନ୍ କହିଛନ୍ତି।
କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବାୟୋଫିଜିକ୍ ଜୋ କିର୍ସ୍ୱିଙ୍କ୍ ରିପୋର୍ଟ କରିଛନ୍ତି ଯେ 10 MHz ଉପରେ ଥିବା ରେଡିଓ ତରଙ୍ଗ ପକ୍ଷୀମାନଙ୍କ ପାଇଁ କ୍ଷତିକାରକ ନୁହେଁ।

ଦାବି ୨: କ’ଣ 5ଜି ବିକିରଣ ଦ୍ଵାରା କୋଭିଡ ବିସ୍ତାର ହେଉଛି?
ଏହି ଦାବି ମିଥ୍ୟା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସ୍ପଷ୍ଟ କରିଛି। ‘5G’ ହେତୁ କରୋନା ଜୀବାଣୁ ବିସ୍ତାର ହୁଏ ନାହିଁ। ରେଡିଓ ତରଙ୍ଗ ମାଧ୍ୟମରେ କୌଣସି ଜୀବାଣୁ ବିସ୍ତାର ହୋଇପାରିବ ନାହିଁ। ଅନେକ ଅଣ-5G ଦେଶରେ ମଧ୍ୟ Covid-19 ବିସ୍ତାର ହୋଇଛି। ତେଣୁ ‘5G’ ଏବଂ COVID ମଧ୍ୟରେ କୌଣସି ସମ୍ବନ୍ଧ ନାହିଁ।

ଦାବି ୩: କ’ଣ 5ଜି ବିକିରଣ ମଣିଷ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ?
ଅଣ ଆୟୋନାଇଜିଂ ବିକିରଣ ସୁରକ୍ଷା (ICNIRP) ଆନ୍ତର୍ଜାତୀୟ ପ୍ରକାଶନରେ କୁହାଯାଇଛି ଯେ, “ଯେହେତୁ ନୂତନ ଟେକ୍ନୋଲୋଜିର ବିକାଶ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର, ICNIRP (2020) ଅନେକ ପରିବର୍ତ୍ତନ କରିଛି ଯାହା 5G ଟେକ୍ନୋଲୋଜି ଆମକୁ କ୍ଷତି ପହଞ୍ଚାଇ ପାରିବ ନାହିଁ।”
ଫ୍ୟାକ୍ଟ କ୍ରେସେଣ୍ଡୋ ଡିଜିଟ ପତ୍ରିକାର ସମ୍ପାଦକ ମିଥୁନ ମୋହନଦାସଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କ କହିବାନୁସାରେ, “5G ବିକିରଣ ମଣିଷ, ପକ୍ଷୀ କିମ୍ବା ଅନ୍ୟ ଜୀବକୁ କ୍ଷତି ପହଞ୍ଚାଏ ନାହିଁ। ଯଦି ତାହା ହୋଇଥାନ୍ତା, ତେବେ 5G ଟାୱାରର ସ୍ଥାପନ ଏବଂ ପରୀକ୍ଷା ଅନୁମୋଦନ ହୋଇନଥାନ୍ତା। ଅନେକ ଦେଶରେ 5G ସଂସ୍ଥାପିତ ହେବାର ବହୁ ବର୍ଷ ବିତିଛି କିନ୍ତୁ କୌଣସି ପ୍ରାଣ ହରାଇବାର ଖବର ଆସି ନାହିଁ। ଟାୱାର ନିକଟରେ ରହୁଥିବା ଲୋକମାନେ ଉତ୍ତାପ ହେତୁ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି ମାମଲା ଉପରେ ଅନୁସନ୍ଧାନ ଜାରି ରହିଛି। ”

WHO କହିଛି ଯେ “ବେତାର ଟେକ୍ନୋଲୋଜି ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଏ ନାହିଁ। ଫ୍ରିକ୍ୱେନ୍ସି ବଢିବା ସହିତ ବିକିରଣ ଶରୀରରେ କମ୍ ପ୍ରବେଶ କରେ; ସର୍ତ୍ତ ଅନୁଯାୟୀ ସାମଗ୍ରିକ ଏକ୍ସପୋଜର ଅନ୍ତର୍ଜାତୀୟ ନିର୍ଦ୍ଦେଶାବଳୀ ତଳେ ରହିଛି।”

ଶେଷକଥା:
ଫ୍ୟାକ୍ଟ କ୍ରେସେଣ୍ଡୋ ଜାଣିବାକୁ ପାଇଲେ ଯେ 5G ବିକିରଣ ପକ୍ଷୀ କିମ୍ବା ମଣିଷ ପାଇଁ କ୍ଷତିକାରକ କିମ୍ବା ଘାତକ ନୁହେଁ। ଏହି ପୋଷ୍ଟରେ ଥିବା ଦାବି ମିଥ୍ୟା ଅଟେ। ବିଶେଷଜ୍ଞମାନେ ନିଶ୍ଚିତ କରିଛନ୍ତି ଯେ 5G ରେ ବିକିରଣ ସ୍ତର ଚେତାବନୀ ସ୍ତରଠାରୁ କମ୍ ଅଟେ।

Title:କ’ଣ 5ଜି ରୁ ବାହାରୁଥିବା ବିକିରଣ କାରଣରୁ ପକ୍ଷୀ ମାନଙ୍କ ମୃତ୍ୟୁ ହେଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
