
ବର୍ତ୍ତମାନ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମନମୋହନ ସିଂ କହୁଛନତି ଯେ ଦେଶରେ ସଂଖ୍ୟାଲଘୁ, ବିଶେଷ ଭାବରେ ମୁସଲିମ ମାନଙ୍କୁ ପ୍ରଥମ ଅଧିକାର ଅଛି।
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଡାଃ ମନମୋହନ ସିଂ କହୁଛନ୍ତି ଯେ ଦେଶର ସମ୍ବିଧାନ ଉପରେ ପ୍ରଥମ ଅଧିକାର ମୁସଲିମ ମାନଙ୍କ ରହିବ।
ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୂଳ ଭିଡିଓର ଏକ ଛୋଟ ଅଂଶକୁ ପ୍ରସଙ୍ଗ ବାହାରେ ସେୟାର କରା ଯାଇଛି।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି କୁହା ଯାଇଛି ଯେ “ଦେଶର ସମ୍ବିଧାନ ଉପରେ ପ୍ରଥମେ ଅଧିକାର ମୁସଲମାନ ମାନଙ୍କର ରହିବ :- ଖାଁଗ୍ରେସୀ ଚାମ୍ଚା ମହାନ ଅର୍ଥନୈତିଜ୍ଞ ମନମୋହନ ସିଂ”
ସମାନ ପୋଷ୍ଟ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଦେଖି ପାରିବେ।
ଗତ ବର୍ଷ ଟୁଇଟରରେ ଏବଂ ୟୁଟ୍ୟୁବରେ ମଧ୍ୟ ସମାନ ଭିଡିଓ ଭାଇରାଲ ହେବା ଦେଖିବାକୁ ମିଳିଥିଲା। ଭିଡିଓ ସେୟାର କରି ଟୁଇଟର ବ୍ୟବହାରକାରୀ ମାନେ ପ୍ରଶ୍ନ ଉଠାଇଥିଲେ ଯେ କେବଳ ମୁସଲିମ ମାନଙ୍କୁ କାହିଁକି ପ୍ରଥମ ଅଧିକାର ଅଛି? କେଉଁ ନିୟମ ଏହା କହିଛି?
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବସାଇଟରେ ଭିଡିଓ ନେଇ ଏକ ସ୍ପଷ୍ଟୀକରଣ ଜାରି ହୋଇଥିବା ମିଳିଲା।
ୱେବସାଇଟ ଅନୁଯାୟୀ, ଜାତୀୟ ବିକାଶ ପରିଷଦ ସଭାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦ୍ଵାରା ଦିଆ ଯାଇଥିବା ଭାଷଣକୁ ପ୍ରସଙ୍ଗ ବାହାରେ ଭୁଲ ବ୍ୟାଖ୍ୟା କରି ଭାଇରାଲ କରା ଯାଉଛି ଯାହାକି ଏକ ବିବାଦ ସୃଷ୍ଟି କରିଛି। ମନମୋହନ ସିଂ ତାଙ୍କ ଭାଷଣରେ କହିଥିଲେ, “ମୋର ବିଶ୍ଵାସ ଯେ ଆମର ସାମୁହିକ ପ୍ରାଥମିକତା ସ୍ପଷ୍ଟ ଅଛି ଯେ କୃଷି, ଜଳସେଚନ ଏବଂ ଜଳ ସମ୍ପ୍ରଦ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ଭିତ୍ତିଭୂମିରେ ଗୁରୁତ୍ବପୂର୍ଣ୍ଣ ବିନିୟୋଗ ଏବଂ ସାଧାରଣ ଭିତ୍ତିଭୂମିର ଅତ୍ୟାବଶ୍ୟକ ଜନସାଧାରଣ ବିନିୟୋଗ କ୍ଷେତ୍ରରେ ଏସସି/ଏସଟି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ମହିଳା ଏବଂ ଶିଶୁଙ୍କ ଉନ୍ନତି ହେବା ଆବଶ୍ୟକ। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପାଇଁ ଉପାଦାନ ଯୋଜନା ଗୁଡିକ ପୁନର୍ଜୀବିତ ହେବା ଆବଶ୍ୟକ। ଆମକୁ ନୂତନ ଯୋଜନା ଗଠନ କରିବାକୁ ପଡିବ ଯାହା ସୁନିଶ୍ଚିତ କଇରବ ଯେ ସଂଖ୍ୟାଲଘୁ, ବିଶେଷ ଭାବରେ ମୁସଲିମ ମାନେ ବିକାଶର ଫଳଗୁଡିକରେ ସମାନ ଭାବରେ ଅଂଶୀଦାର କରିବାକୁ କ୍ଷମତା ପ୍ରାପ୍ତ କରନ୍ତୁ।”
ଉପରୋକ୍ତ ଭାଷଣରେ ମନମୋହନ ସିଂ ଏସସି/ଏସଟି, ଓବିସି, ମହିଳା, ଶିଶୁ ଏବଂ ସଂଖ୍ୟାଲଘୁ ସମୁଦାୟର ଉନ୍ନତି ପାଇଁ ତାଙ୍କୁ ଉତ୍ସଗୁଡିକ ଉପରେ ପ୍ରଥମ ଅଧିକାର ରହିବା କଥା କହିଥିଲେ।

ଏନଡ଼ିଟିଭି ୱ୍ବସାଇଟରେ ୧୦ ଡିସେମ୍ବର ୨୦୦୬ ରେ ଏହି ଘଟଣା ନେଇ ଏକ ଭିଡିଓ ପ୍ରସାରିତ ହୋଇଥିଲା। ଏଥିରେ କୁହା ଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯେଉଁଥିରେ ସେ ସଂଖ୍ୟାଲଘୁ ଏବଂ ବଞ୍ଚିତ ଗୋଷ୍ଠୀ ଲୋକ ବିଶେଷ କରି ମୁସଲିମ ସମ୍ପ୍ରଦାୟ ଲୋକଙ୍କ ଉନ୍ନତି ଏବଂ ଉତ୍ସଗୁଡିକ ଉପରେ ପ୍ରଥମ ଅଧିକାର ପାଇବା କଥା ଏକ ବିବାଦ ସୃଷ୍ଟି କରିଛି।
ଏହା ନେଇ ବିଜେପି କଂଗ୍ରେସ ଦଳ ଉପର ଅଭିଯୋଗ ଲଗାଇଥିଲା ଯେ ସେମାନେ ଭୋଟ୍ ପାଇବା ପାଇଁ ଏପରି ରାଜନୀତି କରି କେବଳ ସଂଖ୍ୟାଲଘୁକୁ ଲକ୍ଷ କରିଛନ୍ତି। ଏହା ନେଇ ସେହି କାଳର କଂଗ୍ରେସ ସରକାର ଏକ ସ୍ପଷ୍ଟୀକରଣ ଜାରି କରି କହିଥିଲା ଯେ ମନମୋହନ ସିଂ ତାଙ୍କ ଭାଷଣରେ ସମସ୍ତ ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗର ଅଧିକାର ବିଷୟରେ କହିଥିଲେ, କେବଳ ମୁସଲିମ ମାନଙ୍କ ବିଷୟରେ ନୁହେଁ।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ଅସଲି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓର ଏକ ଛୋଟ ଅଂଶକୁ ସେୟାର କରି ମିଥ୍ୟା ଦାବି ପ୍ରଚାର କରା ଯାଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୁସଲିମ ମାନଙ୍କୁ ସମ୍ବିଧାନ ଉପରେ ପ୍ରଥମ ଅଧିକାର ଦେବା ବିଷୟରେ କହୁଛନ୍ତି। ଅସଲି ଭିଡିଓରେ ମନମୋହନ ସିଂ ଏସସି/ଏସଟି, ଓବିସି, ମହିଳା, ଶିଶୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ଲୋକଙ୍କୁ ଉତ୍ସଗୁଡିକ ଉପରେ ପ୍ରଥମ ଅଧିକାର ଦେବା ବିଷୟରେ କହିଛନ୍ତି।

Title:କ’ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଯେ ଭାରତର ସମ୍ବିଧାନ ଉପରେ ପ୍ରଥମ ମୁସଲମାନ ମାନଙ୍କର ରହିବ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading
