
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବାର ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ଚା ଦୋକାନ ସାମନାରେ ଛିଡା ହୋଇଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଯେ ଫୋଟୋରେ ଥିବା ବ୍ୟକ୍ତି ଉତ୍ତର ପ୍ରଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଅଟନ୍ତି ଯିଏ ଚା ବିସ୍କୁଟ ଦୋକାନ କରି ନିଜ ପରିବାରକୁ ପୋଷୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨ ଅକ୍ଟୋବରରେ କୈଳାଶ ଗୁପ୍ତା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏହି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ସେହି ଫୋଟୋରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଅଟନ୍ତି ଯିଏ ଚା ଦୋକାନ କରି ନିଜ ପରିବାରକୁ ପୋଷୁଛନ୍ତି।

ଆମ ଅନୁସନ୍ଧାନ:
ଫୋଟୋରେ ଥିବା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କ ପରି ଦେଖା ଯାଉଛନ୍ତି। ତେଣୁ, ଯୋଗୀ ଆଦିତ୍ୟନାଥଙ୍କ ସହ ସମାନତା ଥିବା ଅନ୍ୟ ଜଣଙ୍କର ଫୋଟୋ ଭାଇରାଲ ହେଉଥିବାର ସନ୍ଦେହକୁ ଆଧାର କରି ଆମେ ଅନୁସନ୍ଧାନ ଆରମ୍ଭ କରିଲୁ। ଆମେ ଭାଇରାଲ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ୍ ସାହାଯ୍ୟତାରେ ସର୍ଚ୍ଚ କରିଲୁ। କିନ୍ତୁ ଫଳାଫଳରେ ଆମକୁ କୌଣସି ତଥ୍ୟ ମିଳିଲା ନାହିଁ।
୨୦୧୯ ମସିହାରେ ଫ୍ୟାକ୍ଟ କ୍ରିଷେଣ୍ଡୋ ମରାଠି ଦଳ ସମାନ ଦାବି ସହିତ ଭାଇରାଲ ହେଉଥିବା ଅନ୍ୟ ଏକ ଫୋଟୋର ଅନୁସନ୍ଧାନ କରି ମିଥ୍ୟା ବୋଲି ପ୍ରମାଣ କରିଥିଲା। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୯ ମାର୍ଚ୍ଚ ୨୦୧୭ ମସିହାରେ ଏବିପି ନ୍ୟୁଜ ଦ୍ଵାରା ତାଙ୍କର ଅଫିସିଆଲ ୟୁଟ୍ୟୁବ ଏକାଉଣ୍ଟରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଯୋଗୀ ଆଦିତ୍ୟନାଥଙ୍କ ପରିବାରସହ ଏକ ସାକ୍ଷାତର ଭିଡିଓ ଅଟେ।
ଏହି ଭିଡିଓରୁ ଆମେ ଜାଣିବାକୁ ପାଇଲୁ ଯେ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡର ୟାମକେଶ୍ଵର ତହସିଲର ପଞ୍ଚୁର ଗ୍ରାମରେ ଜନ୍ମ ନେଇଥିଲେ। ତାଙ୍କ ପ୍ରକୃତର ନାମ ଅଜୟ ସିଂହ ବିଷ୍ଟ ଅଟେ। ତାଙ୍କ ପିତାଙ୍କ ନାମ ଆନନ୍ଧ ସିଂହ ଥିଲା ଏବଂ ସେ ଜଣେ ବଣ ବିଭାଗ ଅଧିକାରୀ ଥିଲେ। ଯୋଗୀଜିଙ୍କ ମାତାଙ୍କ ନାମ ସାବିତ୍ରୀ ଦେବୀ ଅଟେ। ଯୋଗୀ ଆଦିତ୍ୟନାଥ ୭ ଭାଇ ଭଉଣୀ ଆତନ୍ତି ଏବଂ ସେ ତାଙ୍କ ମଧ୍ୟରୁ ପଞ୍ଚମ ସନ୍ତାନ। ତାଙ୍କର ୩ ଟି ବଡ ଭଉଣୀ ଏବଂ ଏକ ବଡ ଭାଇ ଆଉ ୨ ସାନ ଭାଇ ଅଛନ୍ତି। ଭିଡିଓରେ ଏବିପି ନ୍ୟୁଜ ଯୋଗୀଙ୍କ ପିତା ଏବଂ ଦୁଇଟି ଭାଇଙ୍କ ସହିତ ସାକ୍ଷାତ କରିଥିବା ଜଣା ପଡିଛି।
ଏହା ପରେ ଆମେ ଗୁଗୁଲରେ ଯୋଗୀ ଆଦିତ୍ୟନାଥଙ୍କ ବଂଶାବଳି ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ୱେବସାଇଟ ମିଳିଲା ଯେଉଁଥିରେ ଯୋଗୀ ଆଦିତ୍ୟନାଥଙ୍କର ପରିବାର ବିଷୟରେ ସୂଚନା ଥିଲା। ଏହି ୱେବସାଇଟ ଅନୁଯାୟୀ ଯୋଗୀଜିଙ୍କ ପିତାଙ୍କ ନାମ ଆନନ୍ଦ ବିଷ୍ଟ ଥିଲା ଏବଂ କର୍କଟ ରୋଗରୁ ୨୦୨୦ ରେ ତାଙ୍କ ମୃତ୍ୟୁ ହେଥିଲା। ତାଙ୍କ ମାତାଙ୍କ ନାମ ସାବିତ୍ରୀ ଦେବୀ ଅଟେ ଏବଂ ବଡ ଭାଇଙ୍କ ନାମ ମାନଭେଣ୍ଡର ମୋହନ ଅଟେ। ତାଙ୍କ ବଡ ଭାଇ ଏକ କୃଶକ ଅଟନ୍ତି। ତାଙ୍କ ବଡ ଭଉଣୀ ଉତରାଖଣ୍ଡରେ ଏକ ଚା ଦୋକାନ କରିଛନ୍ତି। ଯୋଗୀଜିଙ୍କର ଅନ୍ୟ ଦୁଇ ଭାଇ ଶୈଳେନ୍ଦ୍ର ମୋହନ ବିଷ୍ଟ ଭାରତ ସେନାରେ ଅଛନ୍ତି ଏବଂ ଅନ୍ୟ ଭାଇ ମହେନ୍ଦ୍ର ସିଂହ ବିଷ୍ଟ ଜଣେ ସାମ୍ବାଦିକ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କ ଭାଇ ନୁହନ୍ତି। ତେଣୁ, ତାଙ୍କ ଭାଇ ଚା ବିସ୍କୁଟ ବିକୁଥିବା ଦାବି ମିଥ୍ୟା ଅଟେ। ଯୋଗୀଜିଙ୍କ ବଡ ଭାଇ କୃଶକ ଅଟନ୍ତି ଏବଂ ଅନ୍ୟ ଦୁଇ ଭାଇ ଭାରତ ସେନା ଯବାନ ଏବଂ ଜଣେ ସାମ୍ବାଦିକ ଅଟନ୍ତି।

Title:କ’ଣ ଫୋଟୋରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଯିଏ ଚା ବିକ୍ରି କରନ୍ତି?
Fact Check By: Siddharth SahuResult: False
