
ଦୁଇ ଦିନ ପୂର୍ବରୁ ଦେଶକୁ ଏକ ଦୁଖଦ ଖବର ମିଳିଲା। ଭାରତର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ ବିପିନ ରାୱତଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଖବର ସାମନାକୁ ଆସିଥିଲା। ଏହି ଦୁର୍ଘଟଣା ତାମିଲନାଡୁର କୁନ୍ନୁର ଅଚଳରେ ଘଟିଥିଲା। ଏହି ଘଟଣା ନେଇ ଭାରତ ବାୟୁ ସେନା ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରୁ ଏକ ଟୁଇଟ ମାଧ୍ୟମରେ ଖବର ଦେଇଛି ଯେ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ଏହି ଘଟଣା ଘଟିବା ପରେ ସୋସିଆଲ ମିଡିଆରେ ଅନେକ ପୁରୁଣା ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି। ଏପରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଆକାଶରେ ଉଡୁଥିବା ସମୟରେ ହେଲିକପ୍ଟରରେ ନିଆ ଲାଗି ଯାଉଛି ଏବଂ ସେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡୁଛି। ୮ ଡିସେମ୍ବରରେ ସଂକେତ ଟିଭି ଏହି ଭିଡିଓ ପୋଷ୍ଟ କରି ଦାବି କରିଛି ଯେ ଏହି ଭିଡିଓ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଭିଡିଓ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା ଏବଂ ଏହା ମଧ୍ୟ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓ ସିରିୟା ଦେଶର ଭିଡିଓ ଅଟେ।
କ’ଣ ଦାବି ଏହି ପୋଷ୍ଟର?
ପୋଷ୍ଟରେ ଦାବି କରା ଯାଇଛି ଯେ “୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଜଳନ୍ତା ହେଲିକପ୍ଟରରୁ ୩ ଜଣ ଡେଇଁ ଥିଲେ। ତାମିଲନାଡୁର କୁନ୍ନୁରରେ ହେଇଥିଲା ଚିଫ୍ ଅଫ୍ ଦେଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ୍ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୧ ଫେବ୍ରୁଆରି ୨୦୨୦ ରେ ସମାନ ଭିଡିଓ ଦି ତେଲେଗ୍ରାଫ୍ ପତ୍ରିକା ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଏହି ଭିଡିଓ ପୂର୍ବ ଇଡଲିବର ନାଇରାବ ଅଞ୍ଚଳରେ ବିଦ୍ରୋହିମାନେ ସିରିୟା ବାୟୁ ସେନାର ଏକ ହେଲିକପ୍ଟର ଉପରେ ଆକ୍ରମଣ କରିଥିବା ଭିଡିଓ ଅଟେ।
ଏସୋସିଏଟେଡ୍ ପ୍ରେସ୍ ସେହି ସମୟରେ ରିପୋର୍ଟ କରିଥିଲା ଯେ ବିଦ୍ରୋହୀ ମାନେ ଉତ୍ତର ସିରିୟାରେ ଏକ ବାୟୁ ସେନା ହେଲିକପ୍ଟରକୁ ଆକ୍ରମଣ କରି ଚାଳକ ମାନଙ୍କର ହତ୍ୟା କରିଥିଲେ। ନାଇରବ ଗ୍ରାମ ନିକଟରେ ଯୁଧ୍ୟ ମଧ୍ୟରେ ଏହି ଘଟଣା ଘଟିଥିଲା।
ତୁର୍କୀର ଅଫିସିଆଲ୍ ଆନାଡୋଲୁ ନ୍ୟୁଜ ସଂସ୍ଥା ରିପୋର୍ଟ କରିଛି ଯେ ପାଇଲାଟ୍ ଏବଂ ବିମାନରେ ଥିବା ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିରୋଧୀ ଦଳ କହିଛନ୍ତି ଯେ ହେଲିକପ୍ଟରରେ କେବଳ ଦୁଇ କ୍ରୁ ମେମ୍ବର ଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସିରିୟା ଦେଶର ଅଟେ। ଏହି ଭିଡିଓର ତାମିଲନାଡୁରେ ଘଟିଥିବା ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଭିଡିଓରେ ହେଲିକପ୍ଟର ଦୁର୍ଘଟଣା ହେଉଥିବା ଭିଡିଓ ବିପିନ ରାୱତଙ୍କ ଦୁର୍ଘଟଣାର ଭିଡିଓ ଅଟେ?
Fact Check By: Siddharth SahuResult: False
