
ନିକଟରେ ହରିୟାଣାର କୁସ୍ତିଯୋଦ୍ଧା ନିଶା ଦାହିୟାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଖେଳ ଜଗତ ଏବଂ ଦେଶବାସୀଙ୍କୁ ନିରାଶ ଏବଂ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ନିଶା ଦାହିୟାଙ୍କ ଏକ ଫୋଟୋ ପୋଷ୍ଟ କରି ଏହା ଦାବି କରାଯାଇଛି ଯେ ନିକଟରେ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ କୌଣସି ରୋଗ ନେଇ ହେଇ ନାହିଁ ବରଂ ତାଙ୍କର ନିର୍ମମ ଭାବରେ ହତ୍ୟା କରା ଯାଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୧ ନଭେମ୍ବରରେ ଓଡ଼ିଶା ମିରର ଲାଇଭ ନାମକ ଫେସବୁକ ଏକାଉଣ୍ଟରେ ନିଶା ଦାହିୟାଙ୍କର ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ “ହରିୟାଣାରେ କୁସ୍ତିଯୋଦ୍ଧା ନିଶା ଦାହିୟା ଏବଂ ତାଙ୍କ ଭାଇଙ୍କୁ ଗୁଳି କରି ନିର୍ମମ ହତ୍ୟା କରା ଯାଇଛି। ଏହି ଗୁଳିମାଡ଼ରେ ନିଶାଙ୍କ ମାଁ ଗୁରୁତର ଏବଂ ହସ୍ପିଟାଲରେ ତାଙ୍କୁ ଦାଖଲ କରା ଯାଇଛି। ଏହି ଘଟଣା ହରିୟାଣାର ସୋନିପତ ରେସଲିଙ୍ଗ ଏକାଡେମିରେ ଘଟିଛି।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୦ ନଭେମ୍ବରରେ ଏହି ଘଟଣା ସମ୍ବନ୍ଧୀୟ ଏକ ସମ୍ବାଦ ଭିଡିଓ ଏଏନଆଇ ର ଟୁଇଟର ହେଣ୍ଡେଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ନିଶା ଦାହିୟା ନିଜେ କହିଛନ୍ତି ଯେ “ସେ ଏବଂ ତାଙ୍କ ପରିବାର ସୁରକ୍ଷିତ ଅଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୂଚନା ଯେ କିଛି ଅଜ୍ଞାନ୍ତ ବ୍ୟକ୍ତି ଦ୍ଵାରା ତାଙ୍କ ଉପରେ ଆକ୍ରମଣ ହେଇଛି ତାହା ସଂପୂର୍ଣ୍ଣ ମିଥ୍ୟା ଅଟେ।”
ଏହା ପରେ ଆମକୁ ୧୧ ନଭେମ୍ବରରେ ଦି ଟ୍ରାଇବ୍ୟୁନ୍ ପତ୍ରିକାର ୱେବସାଇଟରେ ପ୍ରକାଶିତ ଏକ ସମ୍ବାଦ ମିଳିଲା। ଏହି ସମ୍ବାଦ ଅନୁଯାୟୀ ପ୍ରକୃତରେ ହରିୟାଣାର ସୋନିପତରେ ନିଶା ଦାହିୟା ନାମକ ଏକ ଖେଳାଳିର ନିର୍ମମ ହତ୍ୟା କରା ଯାଇଛି, କିନ୍ତୁ ସମାନ ନାମ ଥିବା କାରଣରୁ ଅନେକ ଗଣମାଧ୍ୟମ ହତ୍ୟା ହୋଇଥିବା ନିଶା ଦାହିୟାଙ୍କୁ ବ୍ରୋଞ୍ଜ ପଦକ ବିଜେତା ନିଶା ଦାହିୟା ବୋଲି ଭୁଲ ଭାବିଛନ୍ତି। ଭାରତ ରେସଲିଙ୍ଗ କୋଚ୍ ରନ୍ଧିର ମାଲିକ ସ୍ପଷ୍ଟ ଭାବରେ କହିଛନ୍ତି ଯେ “ଯେଉଁ ଖେଳାଳିଙ୍କ ମୃତ୍ୟୁ ହେଇଛି ସେ ସୋନିପତ ଜିଲ୍ଲାର ହଲାଲପୁର ଗ୍ରାମରୁ ଆସିଥିବା ଏକ ନୂତନ ଖେଳାଳି ଥିଲେ। ତାଙ୍କ ନାମ ମଧ୍ୟ ନିଶା ଦାହିୟା ଥିଲା କିନ୍ତୁ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ନିଶା ଦାହିୟା ନୁହନ୍ତି। ଏହା ମିଥ୍ୟା ଖବର ଯେ ପଦକ ଜିତିଥିବା ନିଶା ଦାହିୟାଙ୍କ ମୃତ୍ୟୁ ହୋଇଛି।”

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟର ଭାଇରାଲ ଦାବିକୁ ନିଶା ଦାହିୟା ନିଜେ ଭିଡିଓ ମାଧ୍ୟମରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ସୁସ୍ଥ ଅଛନ୍ତି। ମୃତ୍ୟୁ ହେଇଥିବା ଖେଳାଳିଙ୍କ ନାମ ମଧ୍ୟ ନିଶା ଦାହିୟା ହେଇଥିବାରୁ ଏହି ଗୁଜବ ସୃଷ୍ଟି ହେଇଛି। ମୃତ୍ୟୁ ହେଇଥିବା ନିଶା ଦାହିୟା ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ନିଶା ଦାହିୟା ନୁହନ୍ତି।

Title:କ’ଣ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ହଋୟାଣାର କୁସ୍ତିଯୋଦ୍ଧା ନିଶା ଦାହିୟାଙ୍କର ହତ୍ୟା ହୋଇଛି?
Fact Check By: Siddharth SahuResult: False
