
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବନ୍ୟା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିକୁ ଗୋଟିଏ ହାତୀ ଉଦ୍ଧାର କରୁଛି। ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏହି ଘଟଣା ଭାରତରେ ଘଟିଛି।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ଭାରତର ନୁହେଁ ବରଂ ଥାଇଲାଣ୍ଡ ଦେଶର ଅଟେ।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓ ସହିତ କୁହା ଯାଇଛି, “ଏଥିପାଇଁ ସନାତନ ଧର୍ମରେ ପ୍ରତିଟି ଜୀବଜନ୍ତୁଙ୍କ ପୂଜା କରାଯାଏ। ଜୟ ହେଉପରମ ସତ୍ୟ ସନାତନର।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓକୁ ୟୁଟ୍ୟୁବରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୮ ଅକ୍ଟୋବର ୨୦୧୬ ରେ ସିଏନଏନ ଦ୍ଵାରା ପ୍ରସାରିତ ହେଇଥିବା ମିଳିଲା। ଏହି ୪୫ ସେକେଣ୍ଡ ଭିଡିଓରେ କୁହା ଯାଇଛି ଯେ ଥାଇଲାଣ୍ଡରେ ଗୋଟିଏ ହାତୀ ନିଜ ରକ୍ଷକକୁ ପାଣିରେ ବୁଡୁଥିବା ସମୟରେ ଉଦ୍ଧାର କରିଛି।
ଏହି ଘଟଣା ଥାଇଲାଣ୍ଡର ଚିଆଙ୍ଗ ମାଈ ଅଞ୍ଚଳରେ ସ୍ଥିତ ହାତୀ ପ୍ରକୃତି ଉଦ୍ଦ୍ଯାନରେ ଘଟିଥିଲା। ଖାମ୍ ଲିୟା ନାମକ ଏହି ଶିଶୁ ହାତୀ ଡେରିକ୍ ନାମକ ଜଣେ ବ୍ୟକ୍ତିକୁ ବିଆଦରେ ଦେଖି ତାଙ୍କୁ ଉଦ୍ଧାର କରିଥିଲା। ୨୦୧୫ ମସିହାରେ ଡେରିକ୍ ଏହି ଶିଶୁ ହାତୀକୁ ଉଦ୍ଧାର କରିଥିଲେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଘଟଣା ବିଷୟରେ ଏକ୍ସପ୍ରେସ୍ ପତ୍ରିକା ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଡେରିକ୍ ଥମ୍ସନ୍ ନାମକ ବ୍ୟକ୍ତି ଏହି ଶିଶୁ ହାତୀକୁ ୨୦୧୫ ରେ ଉଧାର କରିଥିଲେ। ଭିଡିଓରେ ସେ କୌଣସି ବିପଦରେ ନାହାଁନ୍ତି। ସେ ହାତୀର ପ୍ରତିକ୍ରିୟା ଦେଖିବା ପାଇଁ ପାଣିରେ ବୁଡ଼ିବାର ନାଟକ କରୁଥିଲେ। ନିଜ ଉଦ୍ଧାରକର୍ତ୍ତାକୁ ବିପଦରେ ଦେଖି ଖାମ୍ ଲିୟା ନାମକ ଶିଶୁ ହାତୀ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ଦ୍ୟୟମ କରିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିର ଭାରତ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓ ଥାଇଲାଣ୍ଡ ଦେଶର ଏକ ହାତୀ ପ୍ରକୃତି ଉଦ୍ଦ୍ଯାନର ଘଟଣା ଅଟେ।

Title:କ’ଣ ବନ୍ୟା ପାଣିରେ ଭାସି ଯାଉଥିବା ବ୍ୟକ୍ତିକୁ ଏକ ହାତୀ ରକ୍ଷା କରୁଥିବା ଭିଡିଓ ଭାରତର? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
