
ଗତ କିଛି ବର୍ଷ ମଧ୍ୟରେ ଆମେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟର ସାମନା କରିଛୁ ଯାହା ଏକ ରାଜନୈତିକ ଦଳ କିମ୍ବା ନେତା ମାନଙ୍କୁ ବଦନାମ କରେ। ବେଳେବେଳେ ଏହା ସମ୍ପୂର୍ଣ ମିଥ୍ୟା ଦାବି ସହିତ ଭାଇରାଲ ହେଇଥାଏ କିମ୍ବା ଏକ ମୂଳ ଭିଡିଓକୁ ଏଡିଟ୍ କରି ତାହାର ପ୍ରକୃତ ପ୍ରସଙ୍ଗକୁ ଲୁଚାଇ ଗୁଜବ ସୃଷ୍ଟି କରା ଯାଇଥାଏ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ଏକ ଭାଷଣ ଦେଉଛନ୍ତି। ଏହି ୧୪ ସେକେଣ୍ଡ ଭିଡିଓରେ ସେ କହୁଛନ୍ତି ଯେ ଉତ୍ତରପ୍ରଦେଶରେ ଏପରି ମହିଳା ମାନେ ଅଛନ୍ତି ଯେଉଁମାନେ ସପ୍ତାହକୁ ଗୋଟିଏ ଶିଶୁ ଏବଂ ବର୍ଷକୁ ୫୨ ଶିଶୁଙ୍କୁ ଜନ୍ମ ଦିଅନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭିଡିଓକୁ ପ୍ରସଙ୍ଗ ବାହାରେ ବୋଲି ଜାଣିବାକୁ ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓର ମୂଳ ଭିଡିଓ ସର୍ଚ କରିଲୁ। ସର୍ଚର ଫଳାଫଳରେ ଆମକୁ ୧୪ ନଭେମ୍ବର ୨୦୧୧ ମସିହାରେ ଏହି ଭିଡିଓ ଇଣ୍ଡିଆ ଟିଭିର ଅଫିସିଆଲ ୟୁଟ୍ୟୁବ ଏକାଉଣ୍ଟରେ ପ୍ରସାରିତ ହେଇଥିବା ମିଳିଲା। ୮ ମିନିଟର ଏହି ଭିଡିଓରେ ଆମେ ରାହୁଲ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶରେ ହେଉଥିବା ଦୁର୍ନୀତି ବିଷୟରେ ଭାଷଣ ଦେଉଥିବା ଶୁଣିବାକୁ ପାଇଲୁ। ଏହି ଭିଡିଓର ୫ ମିନିଟ ୨୦ ସେକେଣ୍ଡ ସମୟରୁ ନେଇ ୬ ମିନିଟ ୮ ସେକେଣ୍ଡ ସମୟ ମଧ୍ୟରେ ଆମକୁ ଭାଇରାଲ ଭିଡିଓର ସମ୍ପୂର୍ଣ ପ୍ରସଙ୍ଗ ଜଣା ପଡିଲା। ରାହୁଲ ଗାନ୍ଧୀ କହିଥିଲେ, “ଜନନୀ ସୁରକ୍ଷା ଯୋଜନା ଏକ ଅଭିଯାନ ଅଟେ ଯାହା ଅନ୍ତର୍ଗତ ଶିଶୁ ଜନ୍ମ କରିବା ବେଳେ ମହିଳାକୁ ୧୪୦୦ ଟଙ୍କା ମିଳେ। ଆମେ ଆରଟିଆଇ ମାଗିଲୁ ଏବଂ ଆରଟିଆଇ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶରେ ଏପରି ମହିଳା ଅଛନ୍ତି ଯିଏ ପ୍ରତ୍ୟେକ ସପ୍ତାହ ଏକ ଶିଶୁ ଜନ୍ମ କରି ପାରୁଛନ୍ତି ଏବଂ ବର୍ଷକୁ ୫୨ ଶିଶୁ ଜନ୍ମ କରୁଛନ୍ତି। ସମସ୍ତ୍ତ ଶିଶୁଙ୍କ ନାମ ସମାନ ଅଟେ। ଏହି ପରି ସେମାନେ ୧୪୪୦ ଟଙ୍କା ପ୍ରତ୍ୟେକ ସପ୍ତାହ ନେଉଛନ୍ତି। ଏପରି କରୁଥିବା କେବଳ ଗୋଟିଏ ମହିଳା ନାହାନ୍ତି, ହଜାରର ସଂଖ୍ୟାରେ ମହିଳା ଅଛନ୍ତି। ”
ନିମ୍ନରେ ଆପଣ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓର ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓକୁ ଏଡିଟ୍ କରି ରାହୁଲ ଗାନ୍ଧୀଙ୍କ ଭାଷଣକୁ ପ୍ରସଙ୍ଗ ବାହାରେ ଦାବି ସହିତ ଭାଇରାଲ କରା ଯାଇଛି। ମୂଳ ଭିଡିଓରେ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶରେ ଜନନୀ ସୁରକ୍ଷା ଯୋଜନାରେ ହେଉଥିବା ଘୋଟାଲା ବିଷୟରେ କହୁଛନ୍ତି।

Title:ଉତ୍ତରପ୍ରଦେଶରେ ମହିଳା ମାନେ ବର୍ଷକୁ ୫୨ ପିଲା ପ୍ରସାବ କରିପାରିବେ ବୋଲି ରାହୁଲ ଗାନ୍ଧୀଙ୍କ କହିବା ଅର୍ଥ କ’ଣ ଥିଲା?
Fact Check By: Siddharth SahuResult: Missing Context
