
ନିକଟରେ ହାଥରସରେ ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ସ୍ଥିତି ହୋଇଥିଲା ଯେଉଁଥିରେ ପ୍ରାୟ ୧୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଥିଲା। ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଫୋଟୋରେ ଦେଖିବାକୁ ମିଳିଛି ଯେ ଲୋକଙ୍କ ଭିଡ଼ ମଧ୍ୟରେ ପୋଲିସ ଏବଂ କିଛି ଲୋକମାନେ ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ନେଇ ଯାଉଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ହାଥରସରେ ହୋଇଥିବା ଦଳାଚକଟା ସମୟର ଅଟେ ଏବଂ ପୋଲିସ ଜଣେ ଆଘାତ ହୋଇଥିବା ମହିଳାଙ୍କୁ ଚିକିତ୍ସାଳୟ ନେଉଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ୨୦୧୫ ମସିହାର ଆନ୍ଧ୍ରପ୍ରଦେଶରେ ଘଟିଥିବା ଘଟଣାର ଫୋଟୋ ଯାହାକୁ ହାଥରସ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି, “ଖୁବ୍ ଦୁଃଖଦ । ସତସଙ୍ଗ ଶ୍ମଶାନ ପାଲଟିଗଲା ।
ଏ ଶୁଟ କୋର୍ଟ , ଟାଇ ବୁଟ ପିନ୍ଧା ବାବା ଅଘଟଣ ପରେ ଫେରାର କାହିଁକି। ହାଥରସ ରେ ଏହି ଅଘଟଣ ଏକ ଷଡ଼ଯନ୍ତ୍ର ନୁହେତ !“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୧୫ ରେ ଲସ୍ ଏଞ୍ଜେଲେସ୍ ଟାଇମ୍ସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଘଟଣା ଆନ୍ଧ୍ରପ୍ରଦେଶର ରାଜହମୁଣ୍ଡରୀ ଜିଲାରେ ଘଟିଥିଲା। ପୁଷ୍କରମ ପର୍ବ ସମୟରେ ଗୋଦାଭରି ନଦୀରେ ସ୍ନାନ କରିବା ପାଇଁ ଭକ୍ତମାନଙ୍କର ଭିଡ଼ରେ ଦଳାଚକଟା ହୋଇଥିଲା ଯେଉଁଥିରେ ଅନେକ ଲୋକ ଆଘାତ ହୋଇଥିଲେ।
NDTV ରିପୋର୍ଟ ଅନୁଯାୟୀ, ଗୋଦାଭରି ନିକଟରେ ମହାପୁଷ୍କାରାଲୁ ପର୍ବର ଆୟୋଜନ ହୋଇଥିଲା। ଏହି ପର୍ବ ୧୪୪ ବର୍ଷର ଥରେ ପାଳନ କରା ଯାଇଥାଏ। ୧୨ ଦିନର ଏହି ପର୍ବକୁ ଦକ୍ଷିଣର କୁମ୍ଭ ମେଳା ମଧ୍ୟ କୁହା ଯାଏ। ପର୍ବରେ ଆସିଥିବା ତୀର୍ଥଯାତ୍ରୀ ମାନେ ଗୋଦାଭରି ନଦୀରେ ସ୍ନାନ କରି ବାହାରୁଥିବା ସମୟରେ ଅନ୍ୟ ଭକ୍ତ ମାନେ ନଦୀ ଦିଗରେ ମାଡ଼ି ଆସିଥିଳୀ ଯାହା ଦଳାଚକଟା ସୃଷ୍ଟି କରିଥିଲା। ଘଟଣାରେ ୨୭ ତୀର୍ଥଯାତ୍ରୀ ମାନଙ୍କର ମୃତ୍ୟୁ ହେଇଥିବା ବେଳେ ୨୫ ରୁ ଉର୍ଦ୍ଧ ଲୋକ ଆଘାତ ହେଇଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଫୋଟୋ ୨୦୧୫ ରେ ଆନ୍ଧ୍ରପ୍ରଦେଶରେ ମହାପୁଷ୍କାରାଲୁ ପର୍ବ ସମୟର ଘଟଣା ଅଟେ ଯାହାକୁ ନିକଟରେ ହାଥରସରେ ହୋଇଥିବା ଦଳାଚକଟାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:ଭାଇରାଲ ଫୋଟୋ ନିକଟରେ ହାଥରସରେ ଗୋଟିଏ ସତସଙ୍ଗରେ ହୋଇଥିବା ଦଳାଚକଟା ଘଟଣା ନୁହେଁ। ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: Misleading
