
ନିକଟରେ ଖ୍ରୀଷ୍ଟମାସ ଏବଂ ନବ ବର୍ଷ ବଦଳରେ ତୁଲସୀ ଦିବସ ଏବଂ ହିନ୍ଦୁ ନବ ବର୍ଷ ପାଳନ କରିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।
ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ବିଶାଳ ରେଲିର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରେଲି ସମୟରେ କିଛି ଲୋକେ ରାସ୍ତାରେ ଛିଡା ହୋଇଥିବା ଲୋକଙ୍କୁ ମାରୁଛନ୍ତି। ଦାବି କରା ଯାଉଛି ଯେ କ୍ରିଷ୍ଟିୟାନ ମିଶନାରୀ ମାନେ ମେଘାଳୟରେ ବଡଦିନ ଏବଂ ନବ ବର୍ଷ ସମୟରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଜନସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଲୋକେ କ୍ରିଷ୍ଟିୟାନ ମିଶନାରୀ ନୁହଁନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ବଡଦିନ ପାଳନ କରୁ ଥାଆନ୍ତୁ ସେପଟେ ମେଘାଳୟରେ ଅଳ୍ପସଂଖ୍ୟକ ହିନ୍ଦୁ ଙ୍କୁ କାଶ୍ମୀର ଘାଟୀ ପରି ହତ୍ୟା, ମାଡପିଟ, ମନ୍ଦିର ଭାଙ୍ଗି ମାଟିରେ ମିଶାଇବା ସହିତ ଅକଥନୀୟ ଅତ୍ୟାଚାର ସହିତ ତଡିଦେଉଛନ୍ତି ମିଶନାରୀ ଆତଙ୍କବାଦୀ ମାନେ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମେ ସମାନ ଭିଡିଓ ବିଷୟରେ ତଥ୍ୟ ପାଇଲୁ।
ଆମକୁ ସମାନ ଭିଡିଓ ୨୮ ଅକ୍ଟୋବର ୨୦୨୨ ରେ ଜଣେ ସାମ୍ବାଦିକଙ୍କ ଟୁଇଟର ହେଣ୍ଡେଲରେ ମିଳିଲା। ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ ମେଘାଳୟରେ ବେରୋଜଗାରର ଏକ ଜନସମାଗମ ନିରୀହ ଲୋକଙ୍କୁ ବିନା କାରଣରେ ଆକ୍ରମଣ କରୁଥିବା ବେଳେ ପୋଲିସ ସେଠାରେ ଛିଡା ହୋଇ ଦେଖୁଛନ୍ତି।
ଏହି ଭିଡିଓ ଅକ୍ଟୋବର ମାସରେ ପୋଷ୍ଟ ହେଇଥିବାରୁ ସ୍ପଷ୍ଟ ହେଉଛି ଯେ ଏହାର ବଡଦିନ କିମ୍ବା ନବ ବର୍ଷ ସହିତ କୌଣସି ସମ୍ବନ୍ଧ ନାହିଁ।
ତେବେ ପ୍ରକୃତ ଘଟଣା କ’ଣ?
ଏହି ବିଷୟରେ ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୮ ଅକ୍ଟୋବର ୨୦୨୨ ରେ ନର୍ଥଇଷ୍ଟ୍ ନାଓ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ମେଘାଳୟର ଶୀଲୋଙ୍ଗରେ ହୋଇଥିବା ବେକାରୀ ସମାବେଶ ହିଂସାତ୍ମକ ରୂପ ନେଇଥିଲା। ଏହି ଘଟଣାରେ ଅନେକ ଲୋକେ ଆଘାତ ହୋଇଥିଲେ। ବିକ୍ଷୋଭକାରୀଙ୍କ ଦ୍ୱାରା ଗୋଟିଏ ପୋଲିସ ଗାଡି ମଧ୍ୟ ଭଙ୍ଗାରୁଜା କରାଯାଇଥିଲା
ଘଟଣା ପରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଦୋକାନ ବଜାରକୁ ବନ୍ଦ କରା ଯାଇଥିଲା। ଏହି ରେଲିର ଆୟୋଜନ ଫେଡେରେସନ୍ ଅଫ୍ ଖାସି ଜେଣ୍ଟିଆ ଏବଂ ଗାରୋ ଲୋକ (FKJGP) ଦ୍ଵାରାକରା ଯାଇଥିଲା।
୨୮ ଅକ୍ଟୋବର ୨୦୨୨ ରେ ଇଷ୍ଟମୋଜୋ ୱେବସାଇଟ ରିପୋର୍ଟ ଅନୁଯାୟୀ ରାଜ୍ୟରେ ରୋଜଗାର ଅଭାବ ନେଇ ଫେଡେରେସନ୍ ଅଫ୍ ଖାସି ଜେଣ୍ଟିଆ ଏବଂ ଗାରୋ ଲୋକ (FKJGP) ଦ୍ଵାରା ଆୟୋଜିତ ଏକ ରେଲି ରେ ସହ-ସହ ଲୋକେ ଯୋଗଦାନ ଦେଇ ଥିଲେ। ମେଘାଳୟର ଯୁବକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏକ ନୀତି ଆପଣାଇବାକୁ ରାଜ୍ୟ ସରକାରକୁ ଦାବି କରା ଯାଇଥିଲା। ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଆଜିର ରାଲିର ସର୍ତ୍ତଗୁଡିକର ଉଲ୍ଲଂଘନ ପାଇଁ ଆୟୋଜକ (FKJGP) କୁ ଏକ ନୋଟିସ୍ ଜାରି କରା ଯାଇଥିଲା।

ୟୁଟ୍ୟୁବରେ ସର୍ଚ୍ଚ କରିବା ପରେ ଆମକୁ ଏହି ଘଟଣା ସମ୍ବନ୍ଧିତ ଏକ ଭିଡିଓ କିଛି ମାସ ପୂର୍ବରୁ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟରେ କୁହ ଯାଇଛି ଯେ, “ବେରୋଜଗାରୀକୁ ବିରୋଧ କରିବା ପାଇଁ ଏକ ଶାନ୍ତିପୂର୍ଣ୍ଣ ରାଲିରେ ଯୋଗଦେବା ଉଦ୍ଦେଶ୍ୟରେ ଶୀଲୋଙ୍ଗ ରାସ୍ତାରେ ହିଂସା ଦେଖାଦେଇଥିଲା ଏବଂ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରା ଯାଇଥିଲା। ଏହି ଘଟଣା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଫେଡେରେସନ୍ ଅଫ୍ ଖାସି ଜେଣ୍ଟିଆ ଗାରୋ ପିପୁଲ୍ସ (FKJGP) ର ସଭାପତି ଦୁଣ୍ଡି ଖୋଙ୍ଗସିଟ୍ କହିଛନ୍ତି ଯେ ହିଂସା ପାଇଁ କୌଣସି ଆହ୍ଵାନ ଦିଆ ଯାଇନଥିଲା।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓ ଗତ ବର୍ଷ ଅକ୍ଟୋବର ମାସର ଅଟେ। ଫେଡେରେସନ୍ ଅଫ୍ ଖାସି ଜେଣ୍ଟିଆ ଗାରୋ ପିପୁଲ୍ସ (FKJGP) ବେରୋଜଗାର ବିରୁଦ୍ଧରେ ବିରୋଧ ପ୍ରଦର୍ଶନର ଏକ ଭିଡିଓକୁ କ୍ରିଷ୍ଟିୟାନ ମିଶନାରୀ ଦ୍ଵାରା ହିନ୍ଦୁଙ୍କ ଉପରେ ଅତ୍ୟାଚାରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ କ୍ରିଷ୍ଟିୟାନ ମିଶନାରୀ ମାନେ ମେଘାଳୟରେ ହିନ୍ଦୁ ମାନଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
