କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

Misleading Political

‘ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି’ ଏକ ଭାଷଣରେ କହିଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିକଟରେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ସଂସାଦରେ ତାଙ୍କ ସଦସ୍ଯତାକୁ ଗୁଜରାଟ ନ୍ୟାୟଳୟ ବାତିଲ କରିଥିଲା। ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତିନିଧୀ ଅଧିନିୟମ (1951) ଏବଂ ସମ୍ବିଧାନର ଧାରା 102 (1) ଅନୁଯାୟୀ ବାତିଲ କରାଯାଇଛି।

ଏହି ପ୍ରସଙ୍ଗରେ ବର୍ତ୍ତମାନ ରାହୁଲ ଗାନ୍ଧୀ କାଗଜ ଚିରୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ ଦାବି କରା ଯାଉଛି ଏହି ଫୋଟୋ ୨୦୧୩ ମସିହାର ଅଟେ ଯେତେବେଳେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶ ଜାରି କରା ଯାଇଥିଲା ଯାହାକୁ ରାହୁଲ ଗାନ୍ଧୀ ଚିରି ଦେଇଥିଲେ। ଯଦି ସେ ୧୦ ବର୍ଷ ପୂର୍ବରୁ ସେହି ଅଧ୍ୟାଦେଶ ଚିରି ନଥାନ୍ତେ ତେବେ ଆଜି ଏହି ବିପଦରେ ପଡିବାରୁ ବଞ୍ଚି ଯାଇ ଥାନ୍ତେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ରାହୁଲ ଗାନ୍ଧୀଙ୍କ ପାଇଁ ଟର୍ଣ୍ଣିଂପଏଣ୍ଟ ପାଲଟିଛି ୧୦ ବର୍ଷ ତଳେ ସେ ଚିରିଥିବା ଏକ ଅଧ୍ୟାଦେଶ। ଏହି ଘଟଣା ୨୦୧୩ ମସିହାରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶ ଆଣିଥିଲେ, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେବା ପରେ ସାଂସଦମାନଙ୍କୁ ତିନି ମାସର ମହଲତ ମିଳିଥାନ୍ତା। ଏହି ଅଧ୍ୟାଦେଶ ସେତେବେଳେ ଆସିଥିଲା ଯେତେବେଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯଦି କୌଣସି ସାଂସଦ/ବିଧାୟକଙ୍କୁ ୨ ବର୍ଷ କିମ୍ବା ତାଠାରୁ ଅଧିକ ସଜା ମିଳେ ତେବେ ତାଙ୍କର ସଦସ୍ୟତା ତୁରନ୍ତ ରଦ୍ଦ ହେବ। ସେ ଆଗାମୀ ନିର୍ବାଚନ ଲଢିପାରିବେନି। ଏଭଳି ସ୍ଥିତିରେ ମନମୋହନ ସରକାର ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏକ ବିଲ୍‌ ଆଣିଥିଲେ, ଯାହାଦ୍ବାରା ସୁପ୍ରିମକୋର୍ଟଙ୍କ ରାୟ ପ୍ରଭାବହୀନ ହୋଇଥାଆନ୍ତା। ୨୪ ସେପ୍ଟେମ୍ବର ୨୦୨୩ ରେ କଂଗ୍ରେସ ସରକାର ଏହି ବିଲ୍‌ର ବିଶେଷ୍ବତ ବିଷୟରେ କହିବା ପାଇଁ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ହେଲେ ଏହି ସାମ୍ବାଦିକ ସମ୍ମିଳନୀର ମଝିରେ ପହଞ୍ଚି ରାହୁଲ ଏହାକୁ ବେକାର ବିଲ୍ କହିବା ସହ ତାକୁ ଚିରି ଦେଇଥିଲେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ରାହୁଲ ଗାନ୍ଧୀଙ୍କ ଏହି କାଗଜ ଚିରିଥିବା ଫୋଟୋ ୨୦୧୨ ମସିହାର ଅଟେ। 

ଏନଡ଼ିଟିଭି ଚ୍ୟାନେଲ ଏହି ସାକ୍ଷାତର ଭିଡିଓକୁ ୧୬ ଫେବୃଆରୀ ୨୦୧୨ ରେ ୟୁଟ୍ୟୁବରେ ଅପଲୋଡ୍ କରିଥିଲା। ଅନୁରୂପ ଭାବେ, ଲକ୍ଷ୍ନୋ ରେ ଏକ ସାକ୍ଷାତରେ ରାହୁଲ ଗାନ୍ଧୀ ଏସପି ଏବଂ ବିଏସପି ନିର୍ବାଚନ ପ୍ରତିଶ୍ରୁତିକୁ ସମାଲୋଚନା କରୁଥିବା ସମୟରେ ମଞ୍ଚ ଉପରେ ଏକ କାଗଜ ଚିରିଥିଲେ। 

ପୂର୍ବ ଖବର ଅନୁଯାୟୀ, ରାହୁଲ ଗାନ୍ଧୀ ଏସପି ଏବଂ ବିଏସପିଙ୍କ ଆଶ୍ୱାସନା ତାଲିକା ଛିଣ୍ଡାଇ ଥିଲେ। କିନ୍ତୁ ପରେ ଏହା ଖବର ସାମନାକୁ ଆସିଲା ଯେ ସେହି କାଗଜରେ କଂଗ୍ରେସ ନେତାଙ୍କ ନାମର ଏକ ତାଲିକା ଥିଲା।

ତେଣୁ ଏହି ଫଟୋ ନିୟମକୁ ଭାଙ୍ଗିବା ବିଷୟରେ ନୁହେଁ। ତେବେ ଅଧ୍ୟାଦେହ ଚିରି ଥିବା ସହିତ ଏହି ଫୋଟୋର କ’ଣ ସମ୍ପର୍କ?

୧୦ ଜୁଲାଇ ୨୦୧୩ ରେ, ‘ଲିଲି ଥୋମାସ୍ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟ ଲୋକ ପ୍ରତିନିଧୀ ଅଧିନିୟମର ଧାରା 8 (4) କୁ ଅସାମ୍ବିଧାନିକ ଘୋଷଣା କରିଥିଲେ।

ଲୋକ ପ୍ରତିନିଧୀ ଅଧିନିୟମର ଧାରା 8 (3) ଅନୁଯାୟୀ, ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ଭୋଗିବା ପରେ ଜଣେ ସାଂସଦ, ବିଧାୟକ କିମ୍ବା ବିଧାନ ପରିଷଦର ସଦସ୍ୟଙ୍କ ଅଯୋଗ୍ୟତା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ, ଧାରା 8 (4) ରେ ସେମାନଙ୍କ ନିଲମ୍ବନ କାର୍ଯ୍ୟରୁ କିଛି ମାତ୍ରାରେ ଆରାମ ପ୍ରଦାନ କରାଯାଇଥିଲା।

ଦି ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ସୁପ୍ରିମକୋର୍ଟ କହିଥିଲେ ଯେ ଯଦି କୌଣସି ବିଧାୟକ କିମ୍ବା ସାଂସଦଙ୍କୁ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ କରାଯାଏ, ତେବେ ତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରାଯିବ। ଏହା ବ୍ୟତୀତ ଦୁଇ ବର୍ଷର ଦଣ୍ଡ ସମାପ୍ତ ହେବା ପରେ ଲୋକ ପ୍ରତିନିଧୀ ଆସନ୍ତା ୬ ବର୍ଷ ପାଇଁ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସମସ୍ତ ପକ୍ଷ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱାଧୀନ ୟୁପିଏ ସରକାର ଏଭଳି ମାମଲାରେ ଲୋକଙ୍କ ପ୍ରତିନିଧୀଙ୍କ ସୁରକ୍ଷା ପାଇଁ ଏକ ନିୟମ ପ୍ରଣୟନ କରିଥିଲେ। କଂଗ୍ରେସ ଆଣିଥିବା ଏହି ନିୟମକୁ ରାହୁଲ ଗାନ୍ଧୀ ବିରୋଧ କରିଥିଲେ। ୨୭ ସେପ୍ଟେମ୍ବର ୨୦୧୩ ରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଏହି ନିୟମକୁ ‘ନିରର୍ଥକ’ ବୋଲି କହିଥିଲେ। ନିମ୍ନରେ ଆପଣ ଏହି ଘଟଣାର ଭିଡିଓ ଦେଖି ପାରିବେ। 

ଏଥିରେ ରାହୁଲ ଗାନ୍ଧୀ କୁହନ୍ତି, “ମୋର ବ୍ୟକ୍ତିଗତ ମତରେ, ଏହି ନିୟମଟି ନିରର୍ଥକ ଅଟେ ଏବଂ ଏହାକୁ ଖଣ୍ଡନ କରାଯିବା ଉଚିତ୍। ମୁଁ ତୁମ ପାଇଁ ପୁନରାବୃତ୍ତି କରୁଛି ଯେ ମୋର ମତରେ ଏହି ନିୟମକୁ ଚିରି ଫିଙ୍ଗି ଦିଆଯାଉ।”

ଏହା କହିବା ବେଳେ ରାହୁଲ ଗାନ୍ଧୀ କୌଣସି କାଗଜ ଚିରି ନଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଏପରି କିଛି କରିଥିବା ପରି ମଧ୍ୟ ମନେ ହେଉନାହିଁ। ରାହୁଲ ଗାନ୍ଧୀ କେବଳ କହିଥିଲେ ଯେ ସେ ଏହି ନିୟମକୁ ‘ଚିରି ଦେବେ’, କିନ୍ତୁ ପ୍ରକୃତରେ ସେ ତାହା କରିନଥିଲେ।

ରାହୁଲ ଗାନ୍ଧୀଙ୍କ ବିରୋଧ ପରେ ଏହି ନିୟମ ପ୍ରତ୍ୟାହାର କରାଯାଇଥିଲା ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅକ୍ଷୁର୍ଣ୍ଣ ରହିଥିଲା। ଏହା ସତ୍ୟ ଯେ ଯଦି ଏହି ନିୟମ ପାସ ହୋଇଥାନ୍ତା ତେବେ ରାହୁଲ ଗାନ୍ଧୀ ଦୁଇ ବର୍ଷ କାରାଦଣ୍ଡ ପରେ ତୁରନ୍ତ ସଦସ୍ୟତା ହରାଇ ନଥାନ୍ତେ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ରାହୁଲ ଗାନ୍ଧୀ କୌଣସି ଅଧ୍ୟାଦେଶ ଚିରି ନଥିଲେ। ଏହା ସତ୍ୟ ଯେ ସେ ଏହି ଅଧ୍ୟାଦେଶ ବିରୁଦ୍ଧରେ ଥିଲେ କିନ୍ତୁ ତାଙ୍କ ଦ୍ଵାରା ଜନସାଧାରଣ ସାମନାରେ ଅଧ୍ୟାଦେଶ ଚିରିଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *