
୭ ସେପ୍ଟେମ୍ବର ୨୦୨୨ ରେ ଶାରଜାଠାରେ ଅନୁଷ୍ଠିତ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଗୋଟିଏ ୱିକେଟରେ ଜିତ ହାସଲ କରିଥିଲା। ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାର ଅନେକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଭାଇରାଲ ହେଉଛି |
ଏହି ସମୟରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସେୟାର କରାଯାଉଛି। ଏହା ସହିତ ଦାବି କରା ଯାଇଛି ଯେ ଏହି ଭିଡିଓ ଆଫଗାନିସ୍ତାନ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚରେ ସମର୍ଥକଙ୍କ ମଧ୍ୟରେ ହେଇଥିବା ଲଢେଇକୁ ଦର୍ଶାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଅସମ୍ପୂର୍ଣ୍ଣ ପ୍ରସଙ୍ଗ ସହିତ ସେୟାର ହେଉଥିବା ପାଇଲା। ଆଫଗାନିସ୍ତାନ ଏବଂ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଲଢେଇର ପୁରୁଣା ଭିଡିଓକୁ ନିକଟରେ ଏସିଆ କପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆରେ କୁହା ଯାଉଛି ଯେ ଆଫଗାନିସ୍ତାନ, ମ୍ୟାଚ ପରେ ପାକିସ୍ତାନ କୁ ସୁପର ଓଭର ମାଡ଼ ମାରୁଛନ୍ତି
ସମାନ ଭିଡିଓ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଇଥିବା ଦେଖି ପାରିବେ।
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୩୦ ଜୁନ୍ ୨୦୧୯ ରେ ନ୍ୟୁଜ୍ ଟିଭି ନାମକ ଏକ ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଉଭୟ ଦେଶର ସମର୍ଥକ ମାନେ ପରସ୍ପରକୁ ମାଡ଼ ମାରି ଚେୟାର ଫିଙ୍ଗିଥିଲେ। ଏହି ଘଟଣା କେବଳ ଦର୍ଶକଙ୍କ ଷ୍ଟାଣ୍ଡରେ ନୁହେଁ ବରଂ ଖେଳ ପଡିଆରେ ଥିବା ପିଚରେ ମଧ୍ୟ ଘଟିଥିଲା ଯାହା ଖେଳାଳିଙ୍କୁ ମଧ୍ୟ ବିପଦରେ ପକାଇଥିଲା।
୨୯ ଜୁନ୍ ୨୦୧୯ ରେ ଇଣ୍ଡିଆ ଟୁଡେ ରିପୋର୍ଟ କରିଛି ଯେ ଏହି ଭିଡିଓ ଇଂଲଣ୍ଡର ହେଡିଙ୍ଗଲି ଷ୍ଟାଡିୟମରେ ଆୟୋଜିତ ଆଫଗାନିସ୍ତାନ ଏବଂ ପାକିସ୍ଥାନ ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚର ଘଟଣା ଥିଲା। କୁହାଯାଇଛି ଯେ ଖେଳର ପ୍ରଥମ ଭାଗରେ ଦୁଇ ଦଳ ସମର୍ଥକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା
ରିପୋର୍ଟ ଅନୁଯାୟୀ, ଝଗଡା କାରଣରୁ ଦୁଇ ଗୋଷ୍ଠୀଙ୍କୁ ଷ୍ଟାଡିୟମରୁ ମଧ୍ୟ ବାହାର କରି ଦିଆଯାଇଥିଲା। ସେହି ସମୟରେ ଷ୍ଟାଡିୟମକୁ ବେଆଇନ ଭାବେ ପ୍ରବେଶ କରିଥିବା ଏବଂ ସିଟ୍ ଦଖଲ କରିଥିବା ଖବର ମଧ୍ୟ ଆସିଥିଲା।

ଏଏନଆଇ ଟୁଇଟ ଦ୍ଵାରା କହିଛି ଯେ ଖେଳ ଚାଲିଥିବା ସମୟରେ ଷ୍ଟେଡିୟମ ଉପରୁ ଏକ ବିମାନ ଉଡିଥିଲା ଯେଉଁଥିରେ “ଜଷ୍ଟିସ ଫର ବାଲୁଚିସ୍ତାନ (ବାଲୁଚିସ୍ତାନକୁ ନ୍ୟାୟ)” ବୋଲି ଲେଖା ଯାଇଥିଲା। ଏହି କାରଣରୁ ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଅଧିକାରୀ ମାନଙ୍କ କହିବା ଅନୁଯାୟୀ ଏହା ଏକ ଅନଧିକୃତ ବିମାନ ଥିଲା ଏବଂ ଏହାର ଯାଞ୍ଚ କରା ଯାଇଥିଲା।
କ’ଣ ଆଫଗାନିସ୍ତାନ ଏବଂ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଏସିଆ କପରେ ଝଗଡା ହୋଇଥିଲା?
୮ ସେପ୍ଟେମ୍ବରରେ ଟ୍ରାଇବ୍ୟୁନ ପତ୍ରିକା ରିପୋର୍ଟ କରିଛି ଯେ ସାର୍ଜାହାରେ ଅନୁଷ୍ଠିତ ପାକିସ୍ତାନ ବନାମ ଆଫଗାନିସ୍ତାନର ମ୍ଯାଚରେ ଆଫଗାନିସ୍ତାନ ପରାଜିତ ହେବା ପରେ ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା। ସମର୍ଥକ ମାନେ ପରସ୍ପର ଉପରେ ଚେୟାର ମଧ୍ୟ ଫୋପାଡିଥିଲେ।
ଅନ୍ୟ କିଛି ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ ସମର୍ଥ ମାନେ ପାକିସ୍ତାନ ସମର୍ଥକଙ୍କ ଉପରେ ଆକ୍ରମଣ କରି ‘ଆଫଗାନିସ୍ତାନ ଜିନ୍ଦାବାଦ’ ନାରା ମଧ୍ୟ ଦେଇଥିଲେ। ଏହି ଝଗଡାରେ ସମର୍ଥକ ମାନେ ଷ୍ଟେଡିୟମର ଭଙ୍ଗାରୁଜା ମଧ୍ୟ କରିଥିଲେ।
ନିମ୍ନରେ ଆପଣ ମାନେ ଏହି ଘଟଣାର ଭିଡିଓ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଆଫଗାନିସ୍ତାନ ଏବଂ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଲଢେଇର ପୁରୁଣା ଭିଡିଓକୁ ନିକଟରେ ଏସିଆ କପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:ଆଫଗାନିସ୍ତାନ ଏବଂ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଲଢେଇର ପୁରୁଣା ଭିଡିଓକୁ ନିକଟରେ ଏସିଆ କପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: Missing Context