
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଦୁର୍ଘଟଣା ଓଡ଼ିଶାରେ ଘଟିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହେଲିକପ୍ଟର ଦୁର୍ଘଟଣା ଦର୍ଶାଉଥିବା ଭାଇରାଲ ଫୋଟୋ ଓଡ଼ିଶାର ନୁହେଁ ବରଂ ତେଲେଙ୍ଗାନା ରାଜ୍ୟର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଘଟଣା କେନ୍ଦୁଝର ଜିଲ୍ଲାର ଆନ୍ଦପୁର ଅଞ୍ଚଳରେ ଘଟିଛି। କେଶଦୂରାପାଳ ନିକଟରେ ହେଲିକପ୍ଟର ବ୍ଳାଷ୍ଟ ହୋଇଥିବା ଦାବି କରା ଯାଉଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୬ ଫେବୃଆରି ୨୦୨୨ ରେ ଡେକାନ୍ କ୍ରୋନିକାଲ୍ସ ୱେବସାଇଟରେ ଆମକୁ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ଦୁର୍ଘଟଣାର ଏହି ଦୃଶ୍ୟ ତେଲେଙ୍ଗାନା ରାଜ୍ୟର ନାଲଗୋଣ୍ଡା ଜିଲ୍ଲାରେ ଘଟିଥିଲା। ଏହି ଦୁର୍ଘଟଣାରେ ୨୯ ବର୍ଷୀୟ ମହିଳା ପାଇଲଟଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ସ୍ଥଳ ନିକଟରେ କିଛି ଚାଷୀ କାର୍ଯ୍ୟ କରୁଥିଲେ। ଘଟଣା ସ୍ଥଳରେ ସେମାନେ ପହଞ୍ଚିବା ପରେ ହେଲିକପ୍ଟରରେ ପାଇଲଟଙ୍କର ମୃତ ଦେହ ଦେଖିଥିଲେ। ଉଡ଼ାନ ତାଲିମ ଅଭ୍ଯାସ କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା।

ସମାନ ଘଟଣା ବିଷୟରେ ନ୍ୟୁଜ୍ ୧୮ ଏବଂ ଡେଲି ନ୍ୟୁଜ୍ ରିପୋର୍ଟ ପତ୍ରିକାରେ ମଧ୍ୟ ଖବର ପ୍ରକାଶିତ ହୋଇଛି।
୯ ମାସ ପୂର୍ବରୁ ହିନ୍ଦୁସ୍ଥାନ ଟାଇମ୍ସ ନିଜ ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣା ନେଇ ଏକ ଭିଡିଓ ପ୍ରସାରିତ କରିଥିଲା। ରିପୋର୍ଟ ଅନୁଯାୟୀ ଘଟଣାଟି ତେଲେଙ୍ଗାନା ରାଜ୍ୟର ନାଲଗୋଣ୍ଡା ଜିଲ୍ଲାରେ ଘଟିଥିଲା ଦୁର୍ଘଟଣାରେ ଦୁଇଟି ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ତାଲିମ ଅଭ୍ଯାସ ସମୟରେ ବିଦ୍ୟୁତ ତାର ସମ୍ପର୍କରେ ଆସି ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ହେଲିକପ୍ଟରଟି ହାଇଡେରାବାଦ ଅବସ୍ଥିତ ଫ୍ଲାଏଟେକ୍ ଏଭିଏସନ୍ କମ୍ପାନୀର ବୋଲି ଜାଣିବାକୁ ମିଳିଛି।
କ’ଣ ନିକଟରେ ଓଡ଼ିଶାରେ ହେଲିକପ୍ଟର ଦୁର୍ଘଟଣା ହୋଇଛି?
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୩୦ ଜୁନ୍ ୨୦୨୨ ରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍ ପତ୍ରିକା ୱେବସାଇଟର ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ ଓଡ଼ିଶାର ଓଏନଜିସି ରେ କାର୍ଯ୍ୟ କରୁଥିବା ସତ୍ୟମ୍ବଦା ପାତ୍ରଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ତେଲେଙ୍ଗାନା ରାଜ୍ୟର ନାଲଗୋଣ୍ଡା ଜିଲ୍ଲାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ହେଲିକପ୍ଟରର ଫୋଟୋକୁ ଓଡିଶାର କୁନ୍ଦୁଝରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭାଇରାଲ ଫୋଟୋରେ ହେଲିକପ୍ଟର ଦୁର୍ଘଟଣା ଓଡ଼ିଶାରେ ଘଟିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
