
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ବାଡ଼ି ଧରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରୁଛନ୍ତି ଏବଂ ଆକ୍ରମଣ କରିବା ପାଇଁ ମଧ୍ୟ ଯାଉଛନ୍ତି ବୋଲି ଜଣ ପଡ଼ୁଛି। ଦାବି କର ଯାଉଛି ଯେ ଏହା ବାଂଲାଦେଶର ଘଟଣା ଯେଉଁଠାରେ ମୁସ୍ଲିମ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ପାଇଁ ଯାଉଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ ଦଳ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ହିନ୍ଦୁଙ୍କ ଉପରେ ଭୟଙ୍କର ଦମନଲୀଳା ଚଳାଇଛନ୍ତି। ମୁସଲମାନ ବାଂଲାଦେଶରେ ଘର ଘର ବୁଲି ହିନ୍ଦୁଙ୍କୁ କରୁଛନ୍ତି ହତ୍ୟା ହିନ୍ଦୁ ଝିଅବୋହୁଙ୍କୁ ବଳତ୍କାର, ସମ୍ପତି ଲୁଣ୍ଠନ ଓ ଘରପୋଡି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୯ ନଭେମ୍ବର ରେ ଗୋଟିଏ ଫେସବୁକ ଏକାଉଣ୍ଟରେ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ସେହି ପୋଷ୍ଟରେ ୟୁଜର ଲେଖିଛନ୍ତି, “କେବଳ ସଂଖ୍ୟାଲଘୁ ନୁହଁନ୍ତି, ମୁସଲମାନମାନେ ମଧ୍ୟ ମୌଳବାଦୀ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ନାହାଁନ୍ତି। ଶେରପୁର ମୁର୍ଶିଦପୁର ଦରବାର ଶରିଫରେ ଆକ୍ରମଣ ଏବଂ ଲୁଟପାଟର ଭିଡିଓ କ୍ଲିପ୍ ଦେଖିଲେ ସ୍ପଷ୍ଟ ହେଉଛି ଯେ ବାଂଲାଦେଶ ଆଜି କେଉଁ ଆଡ଼କୁ ଯାଉଛି।”
୨୮ ନଭେମ୍ବରରେ ବାଙ୍ଗଲା ଏଫାୟାର୍ସ ନାମକ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ମିଳିଲା ଯେଉଁଥିରେ ୫୦ ସେକେଣ୍ଡ ସମୟ ଠାରୁ ଆପଣ ମାନେ ଭାଇରାଲ କ୍ଲିପ୍ ଦେଖି ପାରିବେ। ସୂଚନା ଅନୁଯାୟୀ, ବାଂଲାଦେଶର ଶେରପୁର ଅଞ୍ଚଳରେ କିଛି ମୁସ୍ଲିମ ଲୋକ ମାନେ ସେଠାରେ ଥିବା ଏକ ପିର୍ ମଜାର ଧାର୍ମିକ ସ୍ଥଳରେ ଆକ୍ରମଣ କରି ଲୁଟ କରିଥିଲେ।
ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଶେରପୁର ସଦରରେ ଥିବା ଦୋଜା ପିରଙ୍କ ଦରବାରରେ ଆକ୍ରମଣ, ଭଙ୍ଗାରୁଜା ଏବଂ ପୋଡ଼ାଜଳା ଘଟଣା ଘଟିଥିଲା। ପୋଲିସ କହିଛି ଯେ ମୁର୍ଶିଦପୁର ଗ୍ରାମବାସୀ, ସ୍ଥାନୀୟ କା ୱମୀ ମଦ୍ରାସାର ଶିକ୍ଷକ ଏବଂ ଛାତ୍ରମାନେ ଅନୈତିକ କାର୍ଯ୍ୟକଳାପ ଅଭିଯୋଗ ଆଣି ଦରବାର ସରିଫକୁ ବନ୍ଦ କରିବାକୁ ଦାବି କରିଥିଲେ। ମଙ୍ଗଳବାର ଦିନ, ଏହାକୁ ନେଇ ଗାଁ ଲୋକମାନେ ପିରଙ୍କ ଅନୁଗାମୀମାନଙ୍କ ସହ ସଂଘର୍ଷ କରିଥିଲେ।
ଢାକା ଟ୍ରାଇବ୍ଯୁନ୍ ରିପୋର୍ଟ ଅନୁଯାୟୀ, ଶେରପୁର ର ଲଛମନପୁର ଅଞ୍ଚଳରେ ଦୋଜା ପିରଙ୍କ ନେତୃତ୍ୱରେ ମୁର୍ଶିଦପୁର ଦରବାର ସରିଫରେ ହୋଇଥିବା ଭଙ୍ଗାରୁଜା ଏବଂ ଲୁଟ ଘଟଣାରେ ପୋଲିସ ସାତ ଜଣଙ୍କୁ ଅଟକ ରଖିଛି। ୪୦୦-୫୦୦ ଅଜ୍ଞାତ ଆକ୍ରମଣକାରୀଙ୍କ ଆକ୍ରମଣରେ ୧୩ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା ଏବଂ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୈମନସିଂ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
କେୟାରଟେକର ମହମୁଦାନ ମାସୁଦଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଅଭିଯୋଗରେ ଜଣେ ସ୍ଥାନୀୟ ମଦ୍ରାସା ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୨୫ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇଥିଲା ଏବଂ ଅଭିଯୋଗ କରାଯାଇଥିଲା ଯେ ସ୍ଥାନୀୟ ମଦ୍ରାସା ଶିକ୍ଷକ ଏବଂ ବାସିନ୍ଦାମାନେ ଦରବାର ସରିଫକୁ ଇସଲାମିକ ବିରୋଧୀ କାର୍ଯ୍ୟକଳାପର ଅଭିଯୋଗ କରି ଏହି ଆକ୍ରମଣକୁ ପ୍ରୋତ୍ସାହିତ କରିଥିଲେ। ମାମଲାର ତଦନ୍ତ ଚାଲିଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ ଦଳ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

Title:ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ ଦଳ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
