
କେକ୍ ପ୍ୟାକେଟ୍ ଭିତରେ ଦୁଇଟି ଛୋଟ ଟାବଲେଟ୍ ମିଳିଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ, ଜଣେ ବ୍ୟକ୍ତି କେକ୍ ର ଏକ ପ୍ୟାକେଟ୍ ଖୋଲିଥିବାର ଦେଖାଯାଇଛି ଏବଂ ତା’ପରେ ଏହାକୁ ଭାଙ୍ଗିବା ପରେ ସେଥିରୁ ଦୁଇଟି ଧଳା ରଙ୍ଗର ଟାବଲେଟ୍ ବାହାରିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଛୋଟ ପିଲାମାନଙ୍କୁ ପକ୍ଷାଘାତ କରିବା ପାଇଁ ଏହି ଟାବଲେଟଗୁଡିକ କେକ୍ରେ ଭର୍ତ୍ତି କରାଯାଇଥିଲା।
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ଯୁଜର ଲେଖିଛନ୍ତି, “*ସାବଧାନ* ମରଣ ଆମ ଚାରି ପଟେ ଅଛି। ବିଧର୍ମୀ ଜିହାଦି ଙ୍କ ଦ୍ୱାରା ତିଆରି କେବଳ ହିନ୍ଦୁ ଅଞ୍ଚଳ ରେ ହିଁ ବିକ୍ରି ହେଉଛି ଏ କେକ ବଜାରରେ l ପ୍ଲୁପେ କମ୍ପାନୀ ର କେକ ଭିତରେ କିଛି ବିଷାକ୍ତ ବଟିକା ଦିଆଯାଇଛି ଛୋଟ ପିଲାଙ୍କୁ ପୋଙ୍ଗୁ କରିପକାଉଛି l ନିଜର ଯତ୍ନ ସହିତ ଆପଣଙ୍କ ପିଲାଙ୍କ ଭି ଯତ୍ନ ନିଅନ୍ତୁ ଏ ଭିଡିଓ କୁ ନିଜ ସଂପର୍କୀୟ ଙ୍କୁ ନିଶ୍ଚୟ ପଠାନ୍ତୁ“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦୧୯ ରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ମିଳିଲା। ତେଣୁ କୁହା ଯାଇ ହେବ ଯେ ଏହା ନିକଟର ଘଟଣା ନୁହେଁ।
ଆମେ ଜାଣିବାକୁ ପାଇଲୁ ଯେ ଲୁପ୍ପୋ ହେଉଛି ଏକ ତୁର୍କୀ କମ୍ପାନୀ ସୋଲେନ୍ ଦ୍ୱାରା ନିର୍ମିତ କେକ୍ ର ଏକ ବ୍ରାଣ୍ଡ। ଏକ ତୁର୍କୀ ଫ୍ୟାକ୍ଟ ଚେକ୍ ସଂସ୍ଥା, ତାୟିତ୍ ଦର୍ଶାଇଛି ଯେ ଭାଇରାଲ ଭିଡିଓର ୪୫ ସେକେଣ୍ଡର ସମୟରେ ଜଣେ ବ୍ୟକ୍ତି ସୋରାନୀ ଭାଷା କହୁଥିବାର ଶୁଣିବାକୁ ମିଳିଛି ଯାହାକି କୁର୍ଦ୍ଦର ଏକ ଭାଷା ଏବଂ ଇରାକର କୁର୍ଦ୍ଦିସ୍ତାନ ଆଞ୍ଚଳିକ ସରକାରଙ୍କ ସରକାରୀ ଭାଷାର ଅଟେ।
୨୦୧୯ ରେ ଏହି ଭିଡିଓ ଭାଇରାଲ ହେବା ପରେ ଇରାକ୍ ଅବସ୍ଥିତ ଏର୍ବିଲ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟାପାର ନିର୍ଦ୍ଦେଶାଳୟ ଫେସବୁକରେ ଦୁଇଟି ଫୋଟୋ ପୋଷ୍ଟ କରିଥିଲା ଯେଉଁଥିରେ ତାଙ୍କ ଅଧିକାରୀ ମାନେ ଲୁପ୍ପୋ କେକ୍ ପ୍ୟାକେଟ୍ ଯାଞ୍ଚ କରୁଛନ୍ତି। ଫେସବୁକ ପୋଷ୍ଟ ରେ ଲେଖା ଯାଇଛି, “ପ୍ରିୟ ନାଗରିକ, ଖାଦ୍ୟ କେନ୍ଦ୍ର-ଏବ୍ରିଲର ଲାବୋରେଟୋରୀ ପରୀକ୍ଷା ଅନୁଯାୟୀ, ଲୁପୋ କେକ୍ ଖାଇବା ଯୋଗ୍ୟ। ଏହାପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶାମାନ ବର୍ଜାଞ୍ଜି ଏହି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବ୍ରୀଳ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟାପାର ନିର୍ଦ୍ଦେଶକ ସରହାଙ୍ଗ ଜଲାଲ କହିଛନ୍ତି ଯେ କେକ୍ ର ନମୁନା ପରୀକ୍ଷା କରାଯାଇଛି ଏବଂ ଏହା ଖାଇବା ଯୋଗ୍ୟ।“

ଆମେ ଏହା ମଧ୍ୟ ଜାଣିବାକକୁ ପାଇଲୁ ଯେ ସୋଲେନ୍ କମ୍ପାନୀକୁ AA+ ସାର୍ଟିଫିକେଟ୍ ପ୍ରଦାନ କରା ଯାଇଛି ଯାହା ଖାଦ୍ୟ ନିରାପତ୍ତା ଏବଂ ଉତ୍ପାଦନ ଭିତ୍ତିଭୂମି ଦୃଷ୍ଟିରୁ ସର୍ବୋଚ୍ଚ ଗ୍ରେଡ୍ ଭାବରେ ବିବେଚନା କରାଯାଏ। ସୋଲେନ୍ କୁ ଅନ୍ୟ ଖାଦ୍ୟ ସୁରକ୍ଷା ପରିଚାଳନା ସଂସ୍ଥା SGS ଦ୍ୱାରା ମଧ୍ୟ ସାର୍ଟିଫିକେଟ୍ ପ୍ରଦାନ କରା ଯାଇଛି। ନିମ୍ନରେ ଆପଣ ସାର୍ଟିଫିକେଟ୍ ଦେଖିପାରିବେ।

ଏହା ବ୍ୟତୀତ, ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଭିଡିଓର ୧୭ ସେକେଣ୍ଡ୍ ଟାଇମଷ୍ଟ୍ୟାମ୍ପରେ କେକ୍ ଖଣ୍ଡ କ୍ୟାମେରାର ଫୋକସ୍ ବାହାରକୁ ପଳାଇଥିଲା। ଏହା ସନ୍ଦେହ ସୃଷ୍ଟି କରେ ଯେ କେକ୍ ଭିତରୁ ବାହାରୁଥିବା ଟାବଲେଟ୍ ଭିଡିଓରେ ଖୋଲାଯାଇଥିବା କେକ୍ ରୁ ଆସିଛି କି? ଆମେ ମଧ୍ୟ କେକ୍ ଖଣ୍ଡରେ ଛିଦ୍ର ପାଇଲୁ ଏବଂ ଯଦି ଆପଣ ଭିଡିଓକୁ ଅତି ନିକଟରୁ ଦେଖିବେ, ଟ୍ୟାବଲେଟ୍ ଖଣ୍ଡଗୁଡ଼ିକ ସେହି ଛିଦ୍ର ଅଂଶ ପଛରୁ ଆସିଛି। ନିମ୍ନରେ ଆପଣ ଫୋଟୋ ଦେଖିପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପ୍ୟାକେଟ୍ ରୁ ନିଆ ଯାଇଥିବା କେକ୍ ଖଣ୍ଡକୁ ଟ୍ୟାମ୍ପର କରା ଯାଇଛି ଏବଂ ତାହା ଭିତରେ ଟ୍ୟାବଲେଟ୍ ପୁରାଇ ଦିଆ ଯାଇଛି। ଲୁପୋ କେକ୍ ନିର୍ମାତା ସୋଲେନ ଏହାର ଉତ୍ପାଦନ ସୁବିଧା ଏବଂ ପ୍ରକ୍ରିୟା ପାଇଁ ସାର୍ଟିଫିକେଟ୍ ପାଇଛି ଏବଂ ଏହି କେକ୍ ଖାଇବା ନିରାପଦ ଘୋଷିତ କରାଯାଇଛି |

Title:କ’ଣ ଲୁପ୍ପୋ କେକ୍ ରେ ପକ୍ଷାଘାତ ବଟିକା ମିଶାଇ ବିକ୍ରି କରା ଯାଉଛି? ଜାଣନ୍ତୁ ସତ୍ୟତା
Fact Check By: Siddharth SahuResult: False
