
ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଶୁଣିବକୁ ମିଳିଛି ଯେ ମୋଦୀ କହୁଛନ୍ତି, “ଯେତେବେଳେ ମୁଁ ଛୋଟ ଚୋରୀ କରୁଥିଲି, ଯଦି ସେତେବେଳେ ମୋର ମାଁ ମତେ ଅଟକାଇଥାନ୍ତା ତେବେ ମୁଁ ଏତେ ବଡ଼ ଲୁଟେରା ହୋଇନଥାନ୍ତି।”
ଭିଡିଓକୁ ଏପରି ଭାବରେ ସେଯାର କରା ଯାଉଛି ଯେମିତି ମୋଦୀ ନିଜକୁ ଏକ ଚୋର ବୋଲି ସମ୍ବୋଧିତ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭିଡିଓ ଯେଉଁଥିରେ ସେ ଜନସମାବେଶ ପାଇଁ ନିଜ ଭାଷଣରେ ଏକ ଚୋରର ଚିତ୍ରଣ ଦେଇଥିଲେ। ସେ ନିଜକୁ ଚୋର କହୁଥିବା ଦାବି ମିଥ୍ୟା ଅଟେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ନରେନ୍ଦ୍ର ମୋଦୀ ୟୁଟ୍ୟୁବ ଚ୍ୟାନାଲରେ ୧୦ ଏପ୍ରିଲ୍ ୨୦୨୧ ରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, ପଶ୍ଚିମବଙ୍ଗର ସିଲିଗୁରି ଠାରେ ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।
ଉପରୋକ୍ତ ମୂଳ ଭିଡିଓକୁ କାଟି ତାହାର ଏକ ଛୋଟ ଅଂଶ ଭାଇରାଲ କରା ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରକୃତରେ କ’ଣ କହିଥିଲେ ତାହା ଆମେ ୩୯ ମିନିଟ ସମୟ ପର ଠାରୁ ଶୁଣି ପାରିବା। ମୋଦୀ, ବଙ୍ଗାଳ ମୁଖ୍ୟମନ୍ତ୍ରୀ ମମତା ବ୍ୟାନେର୍ଜିଙ୍କ ବିଷୟରେ କହୁଛନ୍ତି,
“ଦିଦି(ମମତା ବ୍ୟାନେର୍ଜି) ଦଳିତ, ଗରିବ, ଆଦିବାସୀ ମାନଙ୍କୁ ତାଙ୍କ ହକ୍ ଦେଇ ନାହାଁନ୍ତି। ସେ ଘରେ ନଳ ଦେଇ ନାହାଁନ୍ତି, କ୍ଷେତକୁ ଜଳସେଚନ ପାଣି ଯୋଗାଇ ନାହାଁନ୍ତି କିନ୍ତୁ ଏଠାର ନଦୀ ଗୁଡ଼ିକୁ ମାଫିଆ ମାନଙ୍କୁ ଦେଇଛନ୍ତି। ସବୁ ସ୍କିମ୍ ରେ ତୋଳାବାଜି ହେଉଛି। ଏଇଠି ସିଲିଗୁଡ଼ିରେ ଏ ସବୁ ହେଉଛି। କିଛି ଦିନ ପୂର୍ବରୁ ଦିଦି କହିଥିଲେ ଯେ ତାଙ୍କ ଠକ ଲୋକ କେବଳ 100, 200 ଏବଂ 500 ଟଙ୍କା ନିଅଁନ୍ତି। ଏଥିରେ କ’ଣ ବଡ଼ କଥା ହେଲା? ସେ ଏହି କଥା ବହୁତ ଆରାମରେ କହିଥିଲେ। ଭାଇ ଓ ଭଉଣୀ ମାନେ… ଆମେ ଛୋଟ ଥିଲୁ ତ ଏକ କାହାଣୀ ଶୁଣି ଥିଲୁ। ସେ କାହାଣୀରେ ଏକ ବଡ଼ ଡାକୁ କୁ ଫାଶୀ ଦଣ୍ଡ ଦିଆ ଯାଇଥିଲା। ତାକୁ ପଚରା ଯାଇଥିଲା କି ତୁମ ଶେଷ ଇଚ୍ଛା କ’ଣ? ସେ କହିଥିଲା ତାକୁ ତା ମାଁ କୁ ଦେଖା କରିବାର ଅଛି। ସରକାର ଏହି ସାକ୍ଷାତର ବ୍ୟବସ୍ଥା କରିଲା। ମାଁ କୁ ଭେଟିବା ସମୟରେ ସେ ନିଜ ମାଁର ନାକ କାଟି ଦେଲା। ଲୋକ ପଚାରିଲେ ଯେ ତୁମେ ନିଜ ମାଁ ସହିତ ଏପରି କ’ଣ ପାଇଁ କରିଲା? ସେ କହିଲା, ‘ଯେତେବେଳେ ମୁଁ ଛୋଟ ଚୋରୀ କରୁଥିଲି ସେତେବେଳେ ଯଦି ମୋର ମାଁ ମୋତେ ଅଟକାଇ ଥାନ୍ତା, ତେବେ ମୁଁ ଏତେ ବଡ଼ ଡାକୁ ହୋଇନଥାନ୍ତି ଏବଂ ମୋତେ ଫାଶୀ ହୋଇନଥାନ୍ତା।’”
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୁଳ ଭିଡିଓର ଏକ ଛୋଟ ଅଂଶକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଭିଡିଓରେ ମୋଦୀ ନିଜକୁ ଚୋର ବୋଲି କହୁ ନାହାଁନ୍ତି। ସେ ଭାଷଣରେ ଏକ କାହାଣୀ କହୁଛନ୍ତି।

Title:ମୂଳ ଭିଡିଓର ଛୋଟ ଅଂଶ ନେଇ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି ସ୍ଵୀକାର କରିଛନ୍ତି।
Fact Check By: Siddharth SahuResult:Missing Context
