
୩୦ ଜୁଲାଇ ୨୦୨୫ ରେ ରୁଷିଆର କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା ଏବଂ ଓଆହୁରେ ୪ ଫୁଟ (1.2 ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା।
ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଲୋକ ଉପକୂଳରେ ରେ ଆସିଥିବା ସୁନାମୀରୁ ରକ୍ଷା ପାଇବା ପାଇଁ ଦଉଡି ପାଉଛନ୍ତି।
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ରୁଷ ରେ ଭୂକମ୍ପ ପରେ ସୁନାମି ଆସିବା ର ଦୃଶ୍ୟ କଏଦହେଲା କ୍ୟାମେରା ରେ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୦ ମଇ ୨୦୨୧ ରେ ନ୍ଯୁଜଫ୍ଲେୟାର ନାମକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା।
ବର୍ଣ୍ଣନାରେ କୁହାଯାଇଛି, “ଗ୍ରାନଲ୍ୟାଣ୍ଡର ପଶ୍ଚିମ ଉପକୂଳରେ ଆଘାତ ପାଇଥିବା ସୁନାମି ତରଙ୍ଗର ଅବିଶ୍ୱସନୀୟ ଶକ୍ତି ଦେଖି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା କ୍ୟାମେରାରେ କଏଦ ହୋଇଥିବା ଏକ ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତ। ସୌଭାଗ୍ୟବଶତଃ ତିନିଜଣ ଠିକ୍ ସମୟରେ ତରଙ୍ଗରୁ ରକ୍ଷା ପାଇପାରିଲେ”
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓ ନିକଟରେ ରୁଷରେ ଆସିଥିବା ସୁନାମୀ ଦୃଶ୍ୟ ନୁହେଁ।
ରିପୋର୍ଟ ଅନୁଯାୟୀ, “୨୦୧୭ ମସିହାରେ ଗ୍ରୀନଲ୍ୟାଣ୍ଡର ନୁଗାଟସିଆକ୍ ର ଛୋଟ ମାଛ ଧରିବା ଗାଁରେ ଏକ ବିରାଟ ସୁନାମି ଆସିବାରୁ ତିନି ଜଣ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ। ଏହା ପ୍ରାୟ ୨୦ ମାଇଲ ଦୂରରେ ହେଇଥିବା ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିଲା। ସୁନାମିର ସର୍ବାଧିକ ତରଙ୍ଗ ଉଚ୍ଚତା ୩୦୦ ଫିଟ୍ ରେକର୍ଡ କରାଯାଇଥିଲା ଏବଂ ଏହା ୩୦ ଫିଟ୍ ପର୍ଯ୍ୟନ୍ତ ଉଚ୍ଚ ତରଙ୍ଗ ସହିତ ସହରରେ ପହଞ୍ଚିଥିଲା”।
୧୭ ଜୁନ୍ ୨୦୧୭ ରେ, ଗ୍ରୀନଲ୍ୟାଣ୍ଡର ପଶ୍ଚିମ ଉପକୂଳରେ ଥିବା କାରାଟ୍ ଫଜୋର୍ଡ ରେ ଏକ ବିରାଟ ସୁନାମି ଆସିଥିଲା, ଯାହା ଫଳରେ ନୁଗାଟସିଆକ୍ ନାମକ ମାଛ ଧରିବା ଗ୍ରାମରେ ଗମ୍ଭୀର ସମ୍ପତ୍ତି କ୍ଷତି ଏବଂ ମୃତାହତ ହୋଇଥିଲା। ସୁନାମି ପୂର୍ବରୁ ଚିହ୍ନଟ ହୋଇଥିବା ଭୂକମ୍ପ ଶକ୍ତି ଏତେ ବଡ଼ ଥିଲା ଯେ ଏହାକୁ ପ୍ରଥମେ ୪.୧ ତୀବ୍ରତାର ଭୂମିକମ୍ପର ଫଳାଫଳ ବୋଲି ଭାବିଥିଲେ। ତଥାପି, ଏହାର କାରଣ ଥିଲା ଏକ ବଡ଼ ଭୂସ୍ଖଳନ ଯେଉଁଠାରେ ଲକ୍ଷ ଲକ୍ଷ ଘନ ମିଟର ପଥର ଗ୍ରାମଠାରୁ ଉତ୍ତର-ପୂର୍ବରେ ୩୨ କିଲୋମିଟର ଦୂରରେ ତଳେ ପାଣିରେ ଖସି ପଡ଼ିଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାରେ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ଗ୍ରୀନଲ୍ୟାଣ୍ଡର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷରେ ଆସିଥିବା ସୁନାମୀ ଘଟଣା ଦାବି ସହିତ ସେୟାର କରା ଯାଉଛି।

Title:ଗ୍ରୀନଲ୍ୟାଣ୍ଡର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷରେ ଆସିଥିବା ସୁନାମୀ ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
